ମାଷ୍ଟରସେଫ୍ ଇଣ୍ଡିଆରେ ଓଡ଼ିଆ ପୁଅ ଅବିନାଶ
ଅପରାଜିତା ଫୁଲର ରଙ୍ଗ ଓ ଗଙ୍ଗଶିଉଳି କ୍ଷୀରରେ ପ୍ରସ୍ତୁତ କଲେ ପାରମ୍ପରିକ ଗଇଁଠା ପିଠା
ଭୁବନେଶ୍ୱର: ପ୍ରଥମେ ଗଇଁଠା ପିଠା ପରେ ଖଟାମିଠା ମାଛ ଏବେ ଚିଙ୍ଗୁଡ଼ି ନଡ଼ିଆ ରସା। ଓଡ଼ିଆ ଖାଦ୍ୟ ପରସି ଜାତୀୟସ୍ତରରେ ନାମ କରିଥିବା ଓଡ଼ିଆ ପୁଅ ଅବିନାଶ ପଟ୍ଟନାୟକ ଏବେ ସବୁଠି ପରିଚିତ। ଜାତୀୟ ଟେଲିଭିଜନରେ ପ୍ରସାରିତ ‘ମାଷ୍ଟର୍ସେଫ୍ ଇଣ୍ତିଆ’ର ସପ୍ତମ ସିଜିନ୍ରେ ଶ୍ରେଷ୍ଠ ୧୨ ମଧ୍ୟରେ ରହିଛନ୍ତି ଭୁବନେଶ୍ୱରର ୩୨ ବର୍ଷୀୟ ଅବିନାଶ। ଓଡ଼ିଶାର ଖାଦ୍ୟ ବ୍ଲଗିଂରେ ‘ଭୁକ୍କଡ୍ ଇନସାନ୍’ ଭାବରେ ସେ ପ୍ରଥମେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ କହିବା ଅନୁଯାୟୀ ପ୍ରଥମରୁ ହିଁ ସେ ଜଣେ ଖାଦ୍ୟ ପ୍ରେମୀ। ତାଙ୍କ ଆଈଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଓଡ଼ିଆ ଖାଦ୍ୟ ତାଙ୍କର ବେଶ୍ ପ୍ରିୟ। ମାଷ୍ଟରସେଫ୍ରେ ପ୍ରଥମ କରି ପ୍ରସ୍ତୁତ କରିଥିବା ପାରମ୍ପରିକ ‘ଗଇଁଠା ପିଠା’ ସେ ତାଙ୍କ ଆଈ ମା’ଙ୍କ ଠାରୁ ଶିଖିଥିବାବେଳେ ଏହାକୁ ଏକ ଆକର୍ଷଣୀୟ ମୋଡ଼ ଦେଇ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅପରାଜିତା ଫୁଲକୁ ଖାଦ୍ୟ ରଙ୍ଗ ପାଇଁ ବ୍ୟବହାର କରିବା ସହ ପିଠାକୁ ଫୁଲ ଆକୃତିରେ ସଜାଇ ଏହାକୁ ଗଙ୍ଗଶିଉଳି କ୍ଷୀର ଏବଂ ଅନ୍ନପୂର୍ଣ୍ଣା ପତ୍ରରେ ପରସିଥିଲେ, ଯାହା ସୋ’ରେ ଥିବା ତିନି ବିଚାରକଙ୍କ ମନ ଜିଣିଥିଲା। ଏହାପରେ ଅବିନାଶଙ୍କ ଦ୍ୱାରା ପ୍ରସ୍ତୁତ ‘ଫ୍ଲେବର୍ସ ଅଫ୍ ତଟିନି’ ତାଙ୍କୁ ଶ୍ରେଷ୍ଠ ୧୬ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ଦେଇଥିଲା। ତିନିଜଣ ବିଚାରପତି, ସେଫ୍ ବିକାଶ ଖାନ୍ନା, ରଣଭୀର ବ୍ରାର ଏବଂ ସେଫ୍ ଗରିମା ଆରୋରା ଉଭୟ ଏହି ଡିସ୍କୁ ବହୁତ ପସନ୍ଦ କରିଥିଲେ।
ଅବିନାଶ ଏବେ ଓୟୁଏଟିରେ ଫ୍ଲୋରିକଲ୍ଚର ଓ ଲ୍ୟାଣ୍ଡ୍ସ୍କେପ ଗାର୍ଡେନିଂରେ ପିଏଚ୍ଡି କରୁଛନ୍ତି। ଏହା ପୂର୍ବରୁ ସେ ଜଣେ ସରକାରୀ କୃଷି ଅଧିକାରୀ ଥିଲେ। ଖାଦ୍ୟକୁ ପ୍ରକୃତିରୁ ମିଳୁଥିବା ଉପାଦାନ ସହ ମିଶାଇ ନୂତନ ଢଙ୍ଗରେ ପ୍ରସ୍ତୁତ କରିବାରେ ଅବିନାଶଙ୍କର ଦକ୍ଷତା ରହିଛି। ଏପର୍ଯ୍ୟନ୍ତ ୧୫ରୁ ଅଧିକ ଓଡ଼ିଆ ପିଠାର ପାରମ୍ପରିକ ପ୍ରସ୍ତୁତିଶୈଳୀ ଏବଂ ଏହା ପଛରେ ଥିବା ଇତିହାସକୁ ସେ ଡକ୍ୟୁମେଣ୍ଟ୍ କରିସାରିଛନ୍ତି। ଅବିନାଶଙ୍କ ପାଇଁ ମାଷ୍ଟରସେଫ୍ ଇଣ୍ଡିଆରେ ଏହା ହେଉଛି ଦ୍ୱିତୀୟ ପ୍ରୟାସ। ତାଙ୍କ ପିତା ଦିଲ୍ଲୀପ କୁମାର ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଓ ମା’ ବିଦ୍ୟୁତପ୍ରଭା ପଟ୍ଟନାୟକ ଜଣେ ଗୃହିଣୀ। ରୋଷେଇ ବ୍ୟତୀତ ତାଙ୍କର ଚିତ୍ରାଙ୍କନ, ସୋଲୋ ଟ୍ରାଭେଲିଂ ଏବଂ ଫଟୋଗ୍ରାଫି ପ୍ରତି ରୁଚି ରହିଛି।