ଓଡ଼ିଆ ପୁଅଙ୍କ ବଲିଉଡ ଚଳଚ୍ଚିତ୍ର ପ୍ରଯୋଜନା: ଶରୀର ଓଡ଼ିଶାରେ, ଆତ୍ମା ମୁମ୍ବାଇରେ

ଭୁବନେଶ୍ବର: ଶରୀର ସିନା ଏଇ ଓଡ଼ିଶାରେ ଥାଏ, ଆତ୍ମା କିନ୍ତୁ ଥାଏ ମୁମ୍ବାଇରେ। ଓଡ଼ିଆ ହିସାବରେ ବଲିଉଡରେ ନିଜକୁ ପ୍ରମାଣିତ କରିବାର ସ୍ବପ୍ନ ଦିନ ରାତି ଘାରୁଥାଏ। ଶେଷ‌ରେ ୨୦୧୮ ମସିହାରେ ଏଇ ସ୍ବପ୍ନ ସାକାର ପାଇଁ ଅଣ୍ଟା ଭିଡ଼ିଥିଲି। ସେଇଠୁ ଆରମ୍ଭ ହୋଇଥିଲା ‘ଓ ପୁଷ୍ପା ଆଇ ହେଟ ଟିଅର୍ସ’ ଭଳି ଚଳଚ୍ଚିତ୍ରର ନିର୍ମାଣ। ବଲିଉଡରେ ଜଣେ ପ୍ରଯୋଜକ ଭାବେ ଗୋଟେ ପରେ ଗୋଟେ ଫିଲ୍ମ ଭେଟି‌ ଦେବା ପାଇଁ ସଂକଳ୍ପବଦ୍ଧ ଏହି ଓଡ଼ିଆ ଜଣକ ହେଉଛନ୍ତି ଅମୂଲ୍ୟ କୁମାର ଦାସ।

ବାରିପଦା ବେଲଗାଡ଼ିଆ ଅଞ୍ଚଳରେ ଜନ୍ମିତ ଅମୂଲ୍ୟ ୧୯୯୩ରେ ଏଫଟିଟିଆଇକୁ ପଢ଼ିବାକୁ ଚାଲିଯାଇଥିଲେ। ସେଠାରୁ ୧୯୯୪ରେ ଫେରିବା ପରେ ଇଟିଭିରେ ପ୍ରସାରିତ ପ୍ରଥମ ଧାରାବାହିକ ‘ପ୍ରାୟଶ୍ଚିତ’ର ନିର୍ଦେଶନା ଦେଇଥିଲେ। ଏହା ପରେ ଡିଡି-୧ରେ ପ୍ରସାରିତ ଧାରାବାହିକ ‘ବିଜୟିନୀ’ରେ ମଧ୍ୟ ନିର୍ଦେଶନା ଦେଇଥିଲେ। ମାତ୍ର ବଲିଉଡ୍‌ରେ ଚଳଚ୍ଚିତ୍ର କରିବାକୁ ସେ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ମୁମ୍ବାଇ ଚାଲିଯାଇଥିଲେ। ‌ସେଠାରେ ସହଯୋଗୀ ନିର୍ଦେଶକ ଭାବେ କାମ କରିବା ପରେ ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇବାକୁ ୨୦୧୮ରେ ମନ ବଳାଇଥିଲେ। ତେଣୁ ଏ ସମ୍ପର୍କରେ ସେ ଅଭିନେତା କୃଷ୍ଣା ଅଭିଷେକ, ଜଣାଶୁଣା କନ୍ନଡ଼ ଅଭିନେତା କାର୍ତିକ ଜୟରାମ, ଅଭିନେତ୍ରୀ ଅର୍ଜୁମନ ମୁଘଲ ଓ ଅନୁସ୍ମ୍ରିତି ସରକାରଙ୍କୁ ଯୋଗାଯୋଗ କରିଥିଲେ। କେବଳ ସେତିକି ନୁହେଁ ଫିଲ୍ମଟି ଯେମିତି ସବୁ ଦୃଷ୍ଟିରୁ ମନୋରଂଜନଧର୍ମୀ ହେବ ସେଥିପାଇଁ ସୂର୍ଯ୍ୟବଂଶମ ଫେମ ଆଦେଶ କେ. ଅର୍ଜୁନଙ୍କୁ ଫିଲ୍ମର ସ୍କ୍ରିନପ୍ଲେ ଓ ସଂଳାପ ଲେଖିବାର ଦାୟିତ୍ବ ଦେଲେ। ଦିନକର କପୁରଙ୍କୁ ନିର୍ଦେଶକ ଭାବେ ନେଲେ। ୨ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ସେ ‘ଓ ପୁଷ୍ପା ଆଇ ହେଟ ଟିୟର୍ସ’ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ଫିଲ୍ମଟି ଆସନ୍ତା ୨୮ ତାରିଖରେ ୪ଶହ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମର କିଛି ଅଂଶ ସେ ଓଡ଼ିଶାରେ ମଧ୍ୟ ସୁଟିଂ କରିଛନ୍ତି। ଏହା ବ୍ୟତୀତ ଓଡ଼ିଆ ନୃତ୍ୟ ସଂଯୋଜକ ଚନ୍ଦନ ମହାପାତ୍ରଙ୍କୁ ଏହି ଫିଲ୍ମରେ ସୁଯୋଗ ଦେଇଥିବା ବେଳେ ୨ ଟେକ୍ନିସିଆନଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ନେଇଛନ୍ତି। ତେବେ ଗୋଟିଏ ଫିଲ୍ମ ମୁକ୍ତିଲାଭ ନକରିବା ପୂର୍ବରୁ ସେ ଆଉ ଗୋଟିଏ ହିନ୍ଦୀ ଫିଲ୍ମ ପାଇଁ ପଂଜୀକରଣ ମଧ୍ୟ କରିସାରିଛନ୍ତି। ଦୀର୍ଘ ୨୫ ବର୍ଷର ଅଭିଜ୍ଞତାକୁ ସେ ଏଇ ଫିଲ୍ମରେ ଲଗାଇଛନ୍ତି। ଅମୂଲ୍ୟଙ୍କ କହିବା ମୁତାବକ, ଫିଲ୍ମ ନିର୍ମାଣ ହେଉଛି ଏକ ରିସ୍କ କାମ। ମାତ୍ର ଏହାକୁ ଯିଏ ବୁଝିପାରିବ ତେବେ ସେ କ୍ଷତିରେ ପଡ଼ିବ ନାହିଁ। ଏଥିରେ ସେ ନିଜ ପତ୍ନୀ ସୁଜାତା ଦାସଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ଏପରିକି ଆଗାମୀ ହିନ୍ଦୀ ଚଳଚ୍ଚିତ୍ରରେ କିଛି ଓଡ଼ିଆ କଳାକାରଙ୍କୁ ସୁଯୋଗ ଦେବା ସହ ବଲିଉଡର ଜଣେ ନାମୀ କଳାକାରଙ୍କ ପୁଅକୁ ବ୍ରେକ ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି। ବିଶେଷକରି ଏହି ଚଳଚ୍ଚିତ୍ରର ସଫଳତା ପାଇଁ ସେ ଓଡ଼ିଆ ଦର୍ଶକଙ୍କ ସହଯୋଗ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର