ଓଡ଼ିଆ ଶ୍ରୀରାମ ଚରିତ ମାନସ ‘ଅରଣ୍ୟକାଣ୍ଡ’ ଉନ୍ମୋଚିତ : ରାମାୟଣ, ଭାଗବତ ଆମକୁ ସବୁବେଳେ ପ୍ରଭାବିତ କରି ଆସିଛି

ଭୁବନେଶ୍ବର : ସନ୍ଥ ତୁଳସୀ ଦାସଙ୍କ ରଚିତ ଶ୍ରୀରାମ ଚରିତ ମାନସର ଓଡ଼ିଆ ଅନୁବାଦ ତଥା ଓଡ଼ିଆ ଶ୍ରୀରାମ ଚରିତ ମାନସର ‘ଅରଣ୍ୟକାଣ୍ଡ’ ଉନ୍ମୋଚିତ ହୋଇଯାଇଛି। ପଣ୍ଡିତ କମଳାକାନ୍ତ ମିଶ୍ରଙ୍କ ଦ୍ବାରା ନବାକ୍ଷରୀ ଛନ୍ଦରେ ଅନୁଦିତ ‘ସୁନ୍ଦରକାଣ୍ଡ’ ଓ ‘ଲଙ୍କାକାଣ୍ଡ’ ପରେ ଆଜି ‘ଅରଣ୍ୟକାଣ୍ଡ’ପୁସ୍ତକକୁ ଅତିଥି ବୃନ୍ଦ ‘ସମ୍ବାଦ’ ଭବନରେ ଲୋକାର୍ପଣ କରିଛନ୍ତି।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ପୁସ୍ତକକୁ ଉନ୍ମୋଚନ କରି କହିଲେ, ଏବେ ବି ରାମାୟଣ ଓ ଭାଗବତର ପ୍ରାସଙ୍ଗିକତା ରହିଛି। ଏହା ଆମକୁ ସବୁ‌ବେଳେ ପ୍ରଭାବିତ କରି ଆସିଛି। ତେଣୁ ସନ୍ଥ ତୁଳସୀ ଦାସଙ୍କୁ ଓଡ଼ିଆ ସାହିତ୍ୟ ଜଗତକୁ ପ୍ରବେଶ କରାଇବାରେ କମଳାକାନ୍ତ ମିଶ୍ରଙ୍କ ଉଦ୍ୟମ ପ୍ରଶଂସନୀୟ। ବାସ୍ତବରେ ଈଶ୍ବରଙ୍କ କୃପା ନ ଥିଲେ ଏହା ହୋଇପାରେ ନାହିଁ। ଅନୁବାଦ ସମ୍ପର୍କରେ ନିଜର ମତ ରଖି ସେ କହିଲେ, ଅନୁବାଦ ଏକ ବଡ଼ ଦାୟିତ୍ବ। ତେଣୁ ଅନୁବାଦ କଲା ବେଳେ ଅତ୍ୟନ୍ତ ସତର୍କ ରହିବା ଉଚିତ।

ନିଜ ବାପାଙ୍କ ସ୍ବପ୍ନ ସାକାର ପାଇଁ ସେ ଶ୍ରୀରାମ ଚରିତ ମାନସର ଅନୁବାଦ କରୁଥିବାରୁ ଶ୍ରୀ ମିଶ୍ରଙ୍କ ଏଭଳି କାର୍ଯ୍ୟ ଅନୁକରଣୀୟ ବୋଲି ସେ କହିଥିଲେ।

ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ବିବେଦୀ କହିଲେ, ଭାଷା ଭଣ୍ଡାରକୁ ଏହା ଆଉ ଏକ ଦାନ। ‘ନବାକ୍ଷରୀ’ ଛନ୍ଦରେ ଲେଖାଯାଇ ଥିବାରୁ ଏହା ଆଦୃତ ହେବ। ଲକ୍ଷ୍ନୌ ଆୟୁର୍ବେଦ ଗବେଷଣା କେନ୍ଦ୍ରର ପ୍ରାକ୍ତନ ନିର୍ଦେଶକ ଗୋପାଳ ଚନ୍ଦ୍ର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସମ୍ବନ୍ଧୀୟ କଥାବସ୍ତୁ ସହ ନୈତିକ କଥା ଥିବାରୁ ଗ୍ରହଣୀୟ ହେବ ବୋଲି କହିଥିଲେ।

ପାରାଦୀପ ବନ୍ଦର ନ୍ୟାସର ପ୍ରାକ୍ତନ ସଚିବ ପ୍ରଭାତ କୁମାର ନନ୍ଦ ଏହି ପୁସ୍ତକରେ ଥିବା ସରଳ ଭାଷା ସମ୍ବନ୍ଧରେ କହିଥିଲେ। ପୁସ୍ତକର ଲେଖକ କମଳାକାନ୍ତ ମିଶ୍ର କହିଲେ, ନିଜ ବାପାଙ୍କ ଅଭିଳାଷ ପୂରଣ ପାଇଁ ସେ ଶ୍ରୀରାମ ଚରିତ ମାନସର ଅନୁବାଦ କରୁଛନ୍ତି। ଆଗକୁ ଆଦ୍ୟକାଣ୍ଡ, ଅଯୋଧ୍ୟା କାଣ୍ଡ, କିସ୍କିନ୍ଧ୍ୟା କାଣ୍ଡ ଓ ଉତ୍ତରାକାଣ୍ଡର ଅନୁବାଦ ମଧ୍ୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଥିଲେ।

‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ‘କନକ ନ୍ୟୁଜ୍‌’ର ସମ୍ପାଦକ ମନୋରଂଜନ ମିଶ୍ରଙ୍କ ସମେତ ସୀତାବଲ୍ଲଭ ମହାପାତ୍ର, ବିଜୟ କୁମାର ମହାନ୍ତି, ରାମନାରାୟଣ ମିଶ୍ର, ଅରୁଣ କୁମାର ଆଚାର୍ଯ୍ୟ, ରାଜେଶ ଚୌଧୁରୀ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ରହି ଲେଖକଙ୍କୁ ଉତ୍ସାହିତ କରିଥିଲେ। ପୂଜ୍ୟପୂଜା ଓଡ଼ିଶାର ସମ୍ପାଦକ ରମାକାନ୍ତ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ତାରେଶ୍ବର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର