ଭୁବନେଶ୍ୱର: ସାଧାରଣ ମଣିଷର ଭାବାବେଗକୁ ଅସାଧାରଣ ବର୍ଣ୍ଣନାରେ ଗଳ୍ପର ରୂପଦେଇ ଗାଳ୍ପିକ ଶଶିକାନ୍ତ ମିଶ୍ର ସୃଷ୍ଟି କରିଥିବା ‘ଡିଅରସ୍କିନ୍’ ଆଜି ଭୂମିଷ୍ଠ ହୋଇଛି। ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଏହି କ୍ଷୁଦ୍ର ଇଂରାଜୀ ଗଳ୍ପ ସଂକଳନର ଲୋକାର୍ପଣ କରି କହିଲେ, ନିତିଦିନିଆ ଜୀବନରେ ଭେଟୁଥିବା ଚରିତ୍ରମାନେ ଜୀବନ୍ତ ଭାବେ ଏ ଗଳ୍ପ ଭିତରେ ଚଳପ୍ରଚଳ ହେଉଛନ୍ତି। ଲେଖକୀୟ କଳ୍ପନା, ଭାଷାଗତ ଶୁଦ୍ଧତା ଏବଂ ଜୀବନ୍ତ କଥାବସ୍ତୁ ଗଳ୍ପଗୁଡ଼ିକୁ ପ୍ରଭାବଶାଳୀ କରିଛି ବୋଲି ସେ କହିଥିଲେ। ଶ୍ରୀ ମିଶ୍ରଙ୍କର ଏହି ପ୍ରଥମ ଇଂରାଜୀ ଗଳ୍ପ ସଂକଳନରେ ୨୨ଟି ଗଳ୍ପ ରହିଥିବା ବେଳେ ଏଥିରେ ଭାରତୀୟ ସଂସ୍କୃତି, ପରମ୍ପରା, ସଭ୍ୟତା, ସଂସ୍କାର ଓ ମୂଲ୍ୟବୋଧର ଗୁରୁତ୍ୱ ବାରି ହୋଇପଡ଼େ। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ନାଟ୍ୟକାର ଏକେ ପରିଚ୍ଛା ଯୋଗଦେଇ କହିଲେ, ଏ ପୁସ୍ତକରୁ ଗଳ୍ପଗୁଡ଼ିକ ପଢ଼ିବା ବେଳେ କେହି ଆପଣଙ୍କୁ ଗପ କହିବା ଭଳି ହୃଦବୋଧ ହେବ। ତା ଭିତରେ ପାଠକ ନିଶ୍ଚିତ ଜଣେ ଚରିତ୍ର ହୋଇଯିବାକୁ ବାଧ୍ୟ ହେବ। ପ୍ରେମ ଚାନ୍ଦ, ଖୁସଓ୍ଵନ୍ତ ସିଂହ, ମହାଶ୍ୱେତାଙ୍କ ଭଳି ପ୍ରଖ୍ୟାତ ସାହିତ୍ୟିକଙ୍କ ଭଳି ଶ୍ରୀ ମିଶ୍ରଙ୍କ ଶୁଦ୍ଧ ମାନସିକ ଚିନ୍ତନ ଏବଂ ମାନବୀୟ ବେଦନାର ପରିପ୍ରକାଶ ଗଳ୍ପଗୁଡ଼ିକୁ ଜୀବନ୍ତ କରିପାରିଛି ବୋଲି ସେ କହିଥିଲେ। କଟକ ଜେକେବିକେ କଲେଜ୍ର ସହଯୋଗୀ ପ୍ରଫେସର କବି ଡ. ସରୋଜ ପାଢ଼ୀ ପୁସ୍ତକର ସମୀକ୍ଷା କରି କହିଥିଲେ, ଗଳ୍ପରେ ଓଡ଼ିଆ ବାସ୍ନା ସହ ଜାଗତିକ ଆବେଦନ ରହିଛି। ଗଭୀର ମନସ୍ତାତ୍ତ୍ୱିକ କଥାସାର ସହ ପ୍ରକୃତିକୁ ନିକଟରୁ ଦେଖିବାର ହୃଦବୋଧ କରାଇଛି। ତେଣୁ ଜଣେ ଥରେ ପଢ଼ିବା ଆରମ୍ଭ କଲେ ଶେଷ ବାକ୍ୟ ଯାଏଁ ପଢ଼ିବାକୁ ବାଧ୍ୟ ହେବ ବୋଲି ସେ କହିଥିଲେ। କଟକସ୍ଥିତ ରାଷ୍ଟ୍ରୀୟ ଆଇନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରଙ୍ଗିନ ପଲ୍ଲବ ତ୍ରିପାଠୀ ପାଠକୀୟ ମନ୍ତବ୍ୟ ରଖିଥିବା ବେଳେ ବହିର ଗାଳ୍ପିକ ଶଶିକାନ୍ତ ଛୋଟଛୋଟ ଗଳ୍ପ ଲେଖିବା ପାଇଁ କିଭଳି ପ୍ରେରଣା ପାଇଲେ ସେ ସମ୍ବନ୍ଧରେ ମତ ରଖିଥିଲେ। ଏଥିସହିତ ସେ ନିଜର ଏକ ଗଳ୍ପ ପାଠ କରିଥିଲେ। ପ୍ରାରମ୍ଭରେ ସିଦ୍ଧାନ୍ତ ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ମିନାକ୍ଷୀ ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ସ୍ତୁତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଗଳ୍ପରେ ଓଡ଼ିଆ ବାସ୍ନା, ଜାଗତିକ ଆବେଦନ ରହିଛି
କ୍ଷୁଦ୍ର ଇଂରାଜୀ ଗଳ୍ପ ସଂକଳନ ‘ଡିଅରସ୍କିନ୍’ ଲୋକାର୍ପିତ
/sambad/media/post_attachments/wp-content/uploads/2018/05/m19-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)