ଭାଇର ଚାକିରି କରାଇଦେବାକୁ କହି ମହିଳାଙ୍କଠାରୁ ୯ ଲକ୍ଷ ଚଳୁ

ଭୁବନେଶ୍ବରରୁ ଯୁବକଙ୍କୁ ଉଠାଇଲା ଡାମନ-ଡିୟୁ ପୁଲିସ୍‌

ଭୁବନେଶ୍ବର : ରେଳବାଇରେ ସ୍ବାମୀ ଓ ଭାଇର ଚାକିରି କରାଇ ଦେବାକୁ କହି ଡାମନ-ଡିୟୁରେ ରହୁଥିବା ଜଣେ ଓଡ଼ିଆ ମହିଳାଙ୍କଠାରୁ ଜଣେ ଧୂର୍ତ୍ତ ଯୁବକ ପାଖାପାଖି ୯ଲକ୍ଷ ଟଙ୍କା ଲୁଟି ନେଇଥିଲା। ଏନେଇ ମହିଳାଜଣଙ୍କ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ଭରତପୁର ପୁଲିସ ସହାୟତାରେ ନାନି ଡାମନ୍‌ ପୁଲିସ ଭୁବନେଶ୍ବର ଆସି ଠକ ଯୁବକକୁ ଗିରଫ କରିଛି। ସେ ହେଲା, ବାଲେଶ୍ବରର ଦିବ୍ୟଲୋଚନ କମଳଲୋଚନ ନନ୍ଦୀ(୨୭)। ସେ ଭରତପୁର ଥାନା ଅଞ୍ଚଳରେ ରହୁଥିଲା। ପୁଲିସ ଦିବ୍ୟକୁ କୋର୍ଟରେ ହାଜର କରାଇବା ସହ ଟ୍ରାଞ୍ଜିଟ୍ ରିମାଣ୍ଡ୍‌ରେ ନେବା ପାଇଁ ଆବେଦନ କରିଛି। ଆସନ୍ତାକାଲି ତାକୁ ଟ୍ରେନ୍ ଯୋଗେ ନାନି ଡାମନ ନିଆଯିବ ବୋଲି ଜଣାଯାଇଛି।

ଭରତପୁର ପୁଲିସର ସୂଚନା ମୁତାବକ, ଡାମନ୍‌ରେ ରହୁଥିବା ଓଡ଼ିଆ ମହିଳା ଅତାନି ଉତ୍ତମ କୁମାର ଦାସ ବାଲେଶ୍ବର ଜଳେଶ୍ବରର ମୂଳବାସିନ୍ଦା। ବିବାହ ପରେ ପ୍ରାୟ ୧୨ ବର୍ଷ ହେଲା ସେ ସ୍ବାମୀଙ୍କ ସହ ସେଠାରେ ରହୁଛନ୍ତି। ଗତ ୨୦୧୯ ମାର୍ଚ୍ଚ ମାସରେ ଦିବ୍ୟଙ୍କ ସହ ତାଙ୍କର ଫେସବୁକ୍‌ରେ ଚିହ୍ନା ପରିଚୟ ହୋଇଥିଲା। ଦିବ୍ୟଙ୍କ ମୂଳ ଘର ବି ବାଲେଶ୍ବର ତଥା ଅତାନିଙ୍କ ଶ୍ବଶୂରଘର ପାଖରେ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା। କିନ୍ତୁ ଏହାର ଫାଇଦା ନେଇ ଦିବ୍ୟ ତାଙ୍କୁ ଠକିବା ପାଇଁ ଯୋଜନା କରିଥିଲା। ପ୍ରଥମେ ମା’ଙ୍କ ଅସୁସ୍ଥତା ଦର୍ଶାଇ ଅତାନିଙ୍କଠାରୁ ୨ଲକ୍ଷ ଟଙ୍କା କରଜ ମାଗିଥିଲା‌। ଦରମା ମିଳିଲେ ଧୀରେଧୀରେ ସମସ୍ତ ଟଙ୍କା ଫେରାଇଦେବ ବୋଲି କହିଥିଲା। ଆଗପଛ ବିଚାର ନ କରି ଅତାନି ତାକୁ ଟଙ୍କା ଧାର ଦେଇ ଦେଇଥିଲେ। ତେବେ ଏତେ ସହଜରେ ଏତେଗୁଡ଼ାଏ ଟଙ୍କା ମିଳିଯିବାରୁ ଅତାନିଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକିବାକୁ ଦିବ୍ୟ ଜାଲ ବିଛାଇଥିଲା। ସେ ରେଳବାଇରେ ଜଣେ ବରିଷ୍ଠ ଅଧିକାରୀ ଓ ଅତାନିଙ୍କ ମା ଓ ଭାଇକୁ ରେଳବାଇରେ ଚାକିରି କରାଇଦେବ ବୋଲି ଲୋଭ ଦେଖାଇଥିଲା। ତେବେ ଖାଲି ଭାଇର ଚାକିରି କରାଇଦେବାକୁ ଅତାନି କହିବାରୁ କାଗଜପତ୍ର ଡକ୍ୟୁମେଣ୍ଟେସନ୍‌ ନାଁରେ ଦୁଇଟି ପର୍ଯ୍ୟାୟ‌ରେ ସେ ୭ ଲକ୍ଷ ଟଙ୍କା ନେଇ ଯାଇଥିଲା। ପରେ ଅତାନି ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ଡାମନ ଡିୟୁସ୍ଥିତ ନାନି ଡାମନ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ପୁଲିସ ଦିବ୍ୟର ମୋବାଇଲ୍ ଟ୍ରାକ୍ କରି ସେ ଭୁବନେଶ୍ବରରେ ଥିବା ଠାବ କରିଥିଲା। ଆଉ ଭରତପୁର ପୁଲିସ ସହାୟତାର ଶ୍ୟାମପୁରରୁ ଦିବ୍ୟଲୋଚନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର