ଦକ୍ଷିଣ ଆଫ୍ରିକାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଖଣ୍ଡଗିରି: ଦକ୍ଷିଣ ଆଫ୍ରିକା‌ରେ ଶ୍ରମିକ ଭାବେ କାମ କରୁଥିବା ସ୍ଥାନୀୟ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ, ଏୟାର୍‌ଫିଲ୍‌ଡ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ତୃତୀୟାପଡ଼ାର ବଂଶୀଧର ମାନ୍‌ଧାତାଙ୍କ ପୁଅ ଅଶୋକ(୪୦)। ବିଦେଶ ପଠାଇଥିବା କମ୍ପାନି ପକ୍ଷରୁ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଥିଲେ ହେଁ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ପରିବାର ଲୋକମାନେ ଏୟାର୍ ଫିଲ୍‌ଡ ଥାନାରେ ଅଭିଯୋଗ କରି ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ଅଶୋକ ହାଇଦ୍ରାବାଦସ୍ଥିତ ଏକ ଅନ୍ତର୍ଜାତୀୟ ବିସ୍କୁଟ୍‌ କମ୍ପାନିରେ ମିସ୍ତ୍ରି ଭାବେ କାମ କରୁଥିଲେ। କୁଶଳୀ କାରିଗର ‌ହୋଇଥିବାରୁ ଗତ ମାସରେ କମ୍ପାନି ତାଙ୍କୁ ଦକ୍ଷିଣ ଆଫ୍ରିକା ପ୍ଲାଣ୍ଟକୁ ପଠାଇଥିଲା। ମଧୁମେହ କାରଣରୁ ଦେହ ଅସୁସ୍ଥ ସତ୍ତ୍ବେ ଭଲ ଦରମା ପାଇବା‌ ଲୋଭରେ ଅଶୋକ ବିଦେଶ ଯାତ୍ରା କରିଥିଲେ। ମାତ୍ର ସେଠ‌ାରେ ୧୫ଦିନ କାମ କରିବା ପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର