ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ଥିତି ସମୀକ୍ଷା କଲେ ଉପଦେଷ୍ଟା

ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ(ଓଏଭିଏସ୍‌)ର ଉପଦେଷ୍ଟା ଡ. ବିଜୟ କୁମାର ସାହୁ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଦର୍ଶ ବିଦ୍ୟାଳୟଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଦୁଇଦିନିଆ ବୈଠକର ପ୍ରଥମ ଦିନରେ ଓଏଭିଏସ୍‌ ନିର୍ଦ୍ଦେଶକ ରଘୁରାମ ଆର୍. ଲାୟର, ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବିଜୟ ଅମୃତ କୁଲାଙ୍ଗେ, ୨୨ ଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ୨୨ଟି ବ୍ଳକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦେଇ ବିଦ୍ୟାଳୟଗୁଡ଼ିକର ସ୍ଥିତି ଉପରେ ଅବଗତ କରାଇଥିଲେ।

ଉପଦେଷ୍ଟା ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମିସନର ସମ୍ପୂର୍ଣ୍ଣ ବିବରଣୀ ଦେବା ସହ ବୈଷୟିକ ଜ୍ଞାନକୌଶଳ, ସ୍ବଚ୍ଛତା, ଦଳଗତ କାର୍ଯ୍ୟ, ସମୟ ଓ ପରିବର୍ତନ ପରି ୫-ଟି ଦୃଷ୍ଟିକୋଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରାଯାଇପାରିବ ବୋଲି କହିଥିଲେ। ଏଥିସହ ଶିକ୍ଷକ ପ୍ରଶିକ୍ଷଣ, ଭିତ୍ତିଭୂମି, ଇଅର୍‌ପି ଓ ୱେବସାଇଟ୍‌ଗୁଡ଼ିକର ଅପଡେଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିର୍ମାଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଆଗାମୀ ଦିନରେ ବିଦ୍ୟାଳୟଗୁଡ଼ିକରେ କିଭଳି ପାଠ୍ୟକ୍ରମ ସହ ଖେଳ, ପ୍ରତିଯୋଗିତା ଓ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ମିଳିବ ସେନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଆଦର୍ଶ ବିଦ୍ୟାଳୟର ସମଗ୍ର କାର୍ଯ୍ୟପ୍ରଣାଳୀ, ବର୍ତମାନର ସ୍ଥିତି ସହ ପ୍ରଗତିର ବାସ୍ତବତାକୁ ଏକ ବିବରଣୀ ମାଧ୍ୟମରେ ଦର୍ଶାଇଥିଲେ। ସେହିପରି ସମସ୍ତ ବିଦ୍ୟାଳୟର ଅଧ୍ୟକ୍ଷ ପାୱାରପଏଣ୍ଟ ମାଧ୍ୟମରେ ନିଜ ସ୍କୁଲର ପାଠ୍ୟକ୍ରମ ଓ ସହ-ପାଠ୍ୟକ୍ରମର ବାସ୍ତବ ସ୍ଥିତିକୁ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର