ଓଡ଼ିଶାର ବାର୍ଷିକ ବଜେଟ୍‌: ‘ନିଶାଜନିତ କ୍ଷତି ବାର୍ଷିକ ବଜେଟ୍‌କୁ ବି ବଳି ଯାଉଛି’

ଭୁବନେଶ୍ବର: ରାଜ୍ୟ ସରକାର ବଜେଟ୍‌ ଉପସ୍ଥାପନ ଆଗରୁ ଏଥର ଜନସାଧାରଣଙ୍କ ମତ ଲୋଡ଼ିଛନ୍ତି। ସରକାରଙ୍କ ଏହି ମନୋଭାବ ସ୍ବାଗତଯୋଗ୍ୟ। ତେବେ ଜନତାଙ୍କ ମତକୁ ସରକାର କେତେ ଗ୍ରହଣ କରିବେ ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏକ ଆକଳନ ମୁତାବକ ‘ନିଶା’ ଯୋଗୁଁ ବର୍ଷକୁ ରାଜ୍ୟ ଯେତିକି କ୍ଷତି ସହେ ତାହା ଓଡ଼ିଶାର ବାର୍ଷିକ ବଜେଟ୍‌ଠାରୁ ବି ଅଧିକ। ଅବିଶ୍ବାସ ମନେ ହେଉଥିଲେ ହେଁ ବିଭିନ୍ନ କ୍ଷେତ୍ରରେ ହେଉଥିବା କ୍ଷତି ମଧ୍ୟରେ ‌ଯେ ନିଶାର ସିଂହଭାଗ ରହିଛି, ଏପରି ଯୁକ୍ତି ଦର୍ଶାଇଛନ୍ତି ଓଡ଼ିଶା ମଦମୁକ୍ତି ଅଭିଯାନର ଉପଦେଷ୍ଟା ତଥା ଗାନ୍ଧୀବାଦୀ ଚିନ୍ତକ ପ୍ରହ୍ଲାଦ କୁମାର ସିଂହ। ପରିସଂଖ୍ୟାନ ମୁତାବକ ୨୦୦୦-୦୧ ମସିହା ମଧ୍ୟରେ ଓଡ଼ିଶାରେ ଅବକାରୀ ରାଜସ୍ବ ପରିମାଣ ୧୩୫କୋଟି ୩୫ ଲକ୍ଷ ଟଙ୍କା ଥିଲା। ୨୦୧୮-୧୯ ବେଳକୁ ଏହା ବଢ଼ି ୩୯୨୫ କୋଟି ୪୧ ଲକ୍ଷରେ ପହଞ୍ଚିଛି। ପୁଣି ଚଳିତବର୍ଷ ରାଜ୍ୟ ସରକାର ୪୬୦୦ କୋଟି ଟଙ୍କାର ଅବକାରୀ ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଣେ ୨୦୧୩ ମସିହାରୁ ସରକାର ନିଶାମୁକ୍ତ ଗ୍ରାମ କଥା କହି ଆସୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ଅଲଗା। ନିଶା କମିବ କ’ଣ ଅଧିକରୁ ଅଧିକ ଲୋକଙ୍କୁ ନିଶାଗ୍ରସ୍ତ କରାଯାଉଛି। ନିଶା ଜନିତ କ୍ଷତିର ଏକ ନମୁନା ହେଉଛି ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୩୦ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୬୦ ହଜାରରୁ ଅଧିକ ପଙ୍ଗୁ ହୋଇଯାଇଛନ୍ତି। ତେବେ ସଂଘଟିତ ଦୁର୍ଘଟଣା ମଧ୍ୟରୁ ୬୦ ପ୍ରତିଶତ ନିଶା ଜନିତ। ଅର୍ଥାତ ନିଶା ଜନିତ ଦୁର୍ଘଟଣା ଯୋଗୁଁ ପ୍ରାୟ ୨୪ ହଜାର ଲୋକ ରାଜ୍ୟରେ ପ୍ରାଣ ହରାଇଛନ୍ତି।

ମଦ ଓ ଅନ୍ୟ ନିଶାଖୋର ପ୍ରବୃତ୍ତି ଯୋଗୁଁ ଅନେକ ସମୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଆପରାଧିକ କାର୍ଯ୍ୟକଳାପ ବଢ଼ିଛି। ଅନେକ ମହିଳା ଓ ଶିଶୁ ନିଶାଖୋରଙ୍କ ଯୋଗୁଁ କୁ-ପ୍ରଭାବ ଭୋଗିଛନ୍ତି। ରୋଗବ୍ୟାଧି ଯଥେଷ୍ଟ ବଢ଼ିଛି। ଛାତ୍ରାବସ୍ଥାରୁ ନିଶା ପ୍ରତି ଆସକ୍ତି ଯୋଗୁଁ ବହୁ ପ୍ରତିଭାଦୀପ୍ତ ପିଲାମାନେ ଆଗକୁ ଯାଇପାରୁ ନାହାନ୍ତି। ଏହା ଚୋରି ଓ ଡକାୟତି ରାସ୍ତାକୁ ସେମାନଙ୍କୁ ଟାଣି ନେଉଛି। ଗାଁ’ରୁ ସହର ସବୁଆଡ଼େ ନିଶା ବିସ୍ତାର କରୁଥିବାରୁ ଏହାର ପ୍ରଭାବ ଚାଷବାସ କ୍ଷେତ୍ରରେ ମଧ୍ୟ ପଡ଼ିଛି। ରାଜ୍ୟର ସାମାଜିକ, ଆର୍ଥିକ, ନୈତିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇ ଆସୁଛି। ଯଦି ଏ ସବୁ କ୍ଷୟକ୍ଷତିକୁ ଆକଳନ କରାଯିବ ତେବେ ରାଜ୍ୟର ବାର୍ଷିକ ବଜେଟ୍‌ଠାରୁ ବି କ୍ଷତିର ପରିମାଣ ବଳିଯିବ। ଅର୍ଥାତ ରାଜ୍ୟର ବାର୍ଷିକ ବଜେଟ୍ ଦେଢ଼ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ବ୍ୟକ୍ତି, ପରିବାର, ସମାଜର କ୍ଷତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ହେବ ବୋଲି ଶ୍ରୀ ସିଂହ କହିଛନ୍ତି। ରାଜ୍ୟ ସରକାରଙ୍କ ବାର୍ଷିକ ଅବକାରୀ ରାଜସ୍ବ ପ୍ରାୟ ୪ ହଜାର କୋଟି ଟଙ୍କା। ଯାହାକି ଅନ୍ୟ କ୍ଷେତ୍ରରୁ ସରକାର ଯଥେଷ୍ଟ ଅଧିକ ରାଜସ୍ବ ସଂଗ୍ରହ କରିପାରିବେ। ସେ ଉଦାହରଣ ଦେଇ କହିଥିଲେ, ବେଆଇନ ଖଣି କାରବାର ବ୍ୟାପାରରେ ରାଜ୍ୟ ସରକାର ଜାରି କରିଥିବା ୬୯ହଜାର କୋଟି ଟଙ୍କାର ଜରିମାନା ଆଦାୟ କରିବା ସହ ଯଦି ସମସ୍ତ ଖଣିଜ କାରବାର ସରକାରୀ ସଂସ୍ଥା ଦ୍ବାରା କରାଯିବ, ତେବେ ରାଜକୋଷକୁ ବାର୍ଷିକ ୪୦ହଜାର କୋଟି ଟଙ୍କାର ଅଧିକ ମୁନାଫା ମିଳି ପାରିବ। ଏଥିସହ ଉତ୍ପାଦନ କ୍ଷେତ୍ରରେ ପ୍ରୋତ୍ସାହନ ଓ ବିଭିନ୍ନ କାର୍ଯ୍ୟ କରି ଲୋକଙ୍କୁ ସ୍ବାବଲମ୍ବୀ କରିପାରିଲେ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ତେଣୁ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ବିଧାନସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ସାରିଥିବା ଓଡ଼ିଶା ନିଶା ନିବାରଣ ଆଇନକୁ ସଂଶୋଧନ କରି କାର୍ଯ୍ୟକାରୀ କଲେ ରାଜ୍ୟ ସରକାର ଏହାର ସୁଫଳ ପାଇପାରିବେ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର