ଭୁବନେଶ୍ୱର: କଳା ଶିକ୍ଷକମାନେ ଅତ୍ୟନ୍ତ ସ୍ୱଳ୍ପ ବେତନରେ ଛାତ୍ର ଛାତ୍ରୀମାନଙ୍କୁ ନିରବଚ୍ଛିନ୍ନ ଭାବରେ କଳା ଓ ସଂସ୍କୃତି ଶିକ୍ଷାଦାନ କରୁଛନ୍ତି। ଫଳରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଜ୍ୟର କଳା ସଂସ୍କୃତି ସଂପର୍କରେ କେବଳ ଯେ ଜ୍ଞାନ ବୃଦ୍ଧି ପାଉଛି, ତାହା ନୁହେଁ, ବରଂ ସରକାରୀ ବିଦ୍ୟାଳୟମାନଙ୍କରେ ଉପସ୍ଥାନ ବୃଦ୍ଧି ହେଉଛି। କଳା ସଂସ୍କୃତିର ବିକାଶ ହେଲେ ରାଜ୍ୟର ବିକାଶ ଅବଶ୍ୟମ୍ଭାବୀ। ତେଣୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ରାଜ୍ୟ ଓ ରାଜ୍ୟର ମାନବ ସମ୍ବଳର ବିକାଶରେ ସାରଥୀ ସାଜିଥିବା ଏହି କଳା ଶିକ୍ଷକମାନଙ୍କ ଦାବି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଖୁବ୍‌ଶୀଘ୍ର ଆଲୋଚନା କରି ସେମାନଙ୍କ ଦାବି ପୂରଣ ଦିଗରେ ଆବଶ୍ୟକ ପଦେକ୍ଷପ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କଳା ଶିକ୍ଷକ ସଂଘର ଷଷ୍ଠ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ରଖିଥିଲେ।

Advertisment

ଆଜି ଜୟଦେବ ଭବନରେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ ପାର୍ଟ ଟାଇମ୍ କଳା ଶିକ୍ଷକମାନଙ୍କୁ ନେଇ ଆୟୋଜିତ ବାର୍ଷିକ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବଡ଼ଚଣା ବିଧାୟକ ଅମର ଶତପଥୀ, ମୋରଡ଼ା ବିଧାୟକ ରାଜକିଶୋର ଦାସ ଯୋଗଦେଇ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କର ପାରିଶ୍ରମିକ ବୃଦ୍ଧି, ସ୍ଥାୟୀ ନିଯୁକ୍ତି, ଖାଲିଥିବା ପଦବି ପୂରଣ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ବିଶିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ଶିକ୍ଷକମାନଙ୍କ ଦାବିଗୁଡ଼ିକୁ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଥି‌ଲେ। ସଂଘର ଉପଦେଷ୍ଟା ଜ୍ୟୋତି ରଂଜନ ମହାପାତ୍ର କଳା ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

ଉତ୍ସବ ପ୍ରାରମ୍ଭରେ କଳା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା, ଦାବି ଓ ଆନ୍ଦୋଳନ ସମ୍ବଳିତ ଏକ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହୋଇଥିଲା। କଳା ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରଦୀପ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ କଳା ଶିକ୍ଷକ ଶିକ୍ଷୟିତ୍ରୀ ଦ୍ୱାରା ପ୍ରସ୍ତୁତ ନାଟକ ‘ଅଭିଶପ୍ତ ମୁଁ କଳା ଶିକ୍ଷକ’ ମଞ୍ଚସ୍ଥ ହୋଇଥିଲା। ଶିକ୍ଷକ ରତିକାନ୍ତ ମହାନ୍ତିଙ୍କ ଦ୍ୱାରା ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଦେବବ୍ରତ ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାତୀ ମୁକ୍ତା, ରାଜସ୍ମିତା ଓଝା, ଝରଣାରାଣୀ ବାରିକ, ମନସ୍ମିତା ପଣ୍ଡା, ସୁନନ୍ଦା ପରିଡ଼ା, ପ୍ରଗତି ମହାପାତ୍ର, ଅନିଲ୍ ମହାପାତ୍ର, ଜ୍ୟୋତି ପ୍ରକାଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।