‘ବନ୍ଦ’ ସବୁଠି ସଫଳ

ବାରଙ୍ଗ
ଆଜି ରାଜ୍ୟ ବ୍ୟାପି ଅନୁଷ୍ଠିତ ହୋଇଥିବା ବନ୍ଦ ଡାକରାର ଭଲ ପ୍ରଭାବ ବାରଙ୍ଗରେ ଦେଖିବାକୁ ମିଳିଥିଲା। ବାରଙ୍ଗ ବ୍ଲକ କଂଗ୍ରେସ ସଭାନେତ୍ରୀ ରୀତାଞ୍ଜଳି ସାମଲଙ୍କ ନେତୃତ୍ବରେ କର୍ମୀମାନେ ତ୍ରିଶୂଳିଆ ଛକରେ ଟାୟାର ଜାଳି ରାସ୍ତାରୋକ୍‌ କରିଥିଲେ। ଫଳରେ ବାରଙ୍ଗ ଭାୟା କଟକ ଭୁବନେଶ୍ବର ଓ ବାରଙ୍ଗ ଭାୟା ବାଙ୍କୀ ବାଲିକୁଦା ମୁଖ୍ୟ ରାସ୍ତାରେ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ। ମୂରଲୀଧର ସ୍ବାଇଁ, ପୂର୍ବତନ ଜୋନ୍ ସଭାପତି ମଂଟୁ ମାଝୀ, ପ୍ରଫୁଲ କୁମାର ସାହୁ, ଅରୁଣ କୁମାର ସାହୁ, ରବି ବେହେରା, ଅଞ୍ଜନ କୁମାର ରାଉତ, ମୁଣ୍ଡଳୀ ସରପଞ୍ଚ ଶ୍ରୀକାନ୍ତ ଜେନା, ସଞ୍ଜୟ ବିଷୋୟୀ, ରଞ୍ଜନ ମୁଦୁଲି, ରାଜେନ୍ଦ୍ର ବିଶ୍ବାଳ ଓ ସୋନାଲି ବିଷୋୟୀଙ୍କ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ବଡ଼ କଥା ହେଉଛି ଏହି ବନ୍ଦ ପାଳନ ଅବସରରେ କଂଗ୍ରେସ କର୍ମୀମାନେ ପଥଚାରୀଙ୍କୁ ପାଣି ବୋତଲ ଓ ଖାଦ୍ୟ ପୁଡ଼ିଆ ଦେଇଥିଲେ।

ବାଲିପାଟଣା
ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ବିରୋଧରେ ଓଡିଶା ପ୍ରଦେଶ କଂଗ୍ରେସ ଦେଇଥିବା ୬ ଘଣ୍ଟିଆ ଡାକରାର ପ୍ରଭାବ ବାଲିପାଟଣାରେ ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ କମିଟି ତରଫରୁ ବାଲିପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ବଜାର ବନ୍ଦ ଓ ରାସ୍ତାରୋକ୍ କରାଯାଇଥିଲା। ଅଠାନ୍ତର ବଜାରଠାରେ ନିମାପଡା-ସରଦେଇପୁର ରାସ୍ତା ଅବରୋଧ କରାଯାଇଥିଲା। ବାଲିପାଟଣା ଛକରେ ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିଲା। ପିସିସି ସୋସିଆଲ ମିଡିଆ ସେଲ୍‌ ମେମ୍ବର ଶୈଳେନ୍ଦୁ ଦାଶ ତାଙ୍କ ସମର୍ଥକମାନଙ୍କ ସହ ଅଠାନ୍ତର ବଜାରରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ବେଣୁଧର ଭୋଇ, ଜୟନ୍ତ ଭୋଇ, ଭରତ ବେହେରା, ନାରାୟଣ ମଙ୍ଗରାଜ, ଗୟାଧର ରାଉତରାୟ, ରଶ୍ମିରଞ୍ଜନ ନନ୍ଦ, କେଦାର ରାଉତ, ଇସ୍‌ଲାମ୍‌ ଖାଁ, ମଣ୍ଟୁ ସାହୁ, ଅର୍ସିତ୍‌ ଅଲ୍ଲୀ, ରଞ୍ଜିତ ମହାନ୍ତି ପ୍ରମୁଖ ବନ୍ଦ ପାଳନରେ ସାମିଲ୍‌ ହୋଇଥିଲେ। ସେହିପରି ଶୈଳେନ୍ଦୁଙ୍କ ନେତୃତ୍ବରେ ହୋଇଥିବା ବାଇକ୍‌ ରୢାଲିରେ ଗୋଲକବିହାରୀ ସ୍ୱାଇଁ, ସମ୍‌ସୁର ଅଲ୍ଲୀ, କ୍ଷେତ୍ରମୋହନ ତ୍ରିପାଠୀ, ରସାନନ୍ଦ ପରିଡ଼ା, ଦିଲ୍ଲୀପ ସ୍ୱାଇଁ, ଉମାକାନ୍ତ ସାହାଣୀ, ପୁଲିନ ମହାପାତ୍ର, ସନ୍ତୋଷ ଭୋଳ, ନିହାର ରଞ୍ଜନ ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ। ଅତ୍ୟାବଶ୍ୟକୀୟ ସେବା, ଆମ୍ବୁଲାନ୍‌ସ, ବିବାହ ଗାଡ଼ି, ମେଡିକାଲ ଯାଉଥିବା ଲୋକଙ୍କୁ ଛାଡ଼ି ଦିଆଯାଇଥିଲା।

ପୁରୁଣା ଭୁବନେଶ୍ବର
ପୁରୁଣା ଭୁବନେଶ୍ବରରେ ‘ବନ୍ଦ’ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା। ପୂର୍ବାହ୍ନରେ ଦୋକାନ ବଜାର ବନ୍ଦ ଥିଲା। ତେବେ ବାଇକ୍‌ ଚଳପ୍ରଚଳ ସ୍ବ‌ାଭାବିକ ଥିଲା। ବନ୍ଦ ଯୋଗୁଁ ସାମନ୍ତରାପୁର, ପୋଖରୀପୁଟ୍‍, ପଳାସପଲ୍ଲୀ, ରବିଟକିଜ୍‍ ଛକ, ମାଉସୀ ମା’ ଛକରେ ଦୋକାନ ବଜାର ବନ୍ଦ ଥିବା ବେଳେ ଅଟୋ ଚାଲୁନଥିବାରୁ ଲୋକମାନେ ବାଇକ୍‌ରେ ଯିବା ଆସିବା କରିଥିଲେ। ପୂର୍ବାହ୍ନରେ ସାମନ୍ତରାପୁର ଛକଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ନାରୀନେତ୍ରୀ ରଶ୍ମି ମହାପାତ୍ର ଓ ବହୁ କର୍ମୀ ସାମିଲ ହୋଇଥିଲେ।

ବାଲିଅନ୍ତା
ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ବାଲିଅନ୍ତା ବ୍ଲକ୍‌ରେ ସଫଳ ହୋଇଛି। କଂଗ୍ରେସ ନେତା ବେଣୁଧର ଭୋଇଙ୍କ ନେତୃତ୍ବରେ ସକାଳ ୭ଟାରୁ କଂଗ୍ରେସ କର୍ମୀମାନେ ବିଭିନ୍ନ ଛକ ଓ ବଜା‌ର ଅଞ୍ଚଳରେ ବନ୍ଦ ପାଳନ କରିଥିଲେ। ହାତରେ ପ୍ଲାକାର୍ଡ ଓ ବ୍ୟାନର‌୍ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବାଳକାଟି ପୁରୀ ମୁଖ୍ୟ କେନାଲ ବ୍ରିଜ, ରଙ୍ଗବଜାର, ହଂସପାଳ, ବଇଁଚୁଆ ଓ ବେଣ୍ଟପୁର ଆଦି ଛକ ଓ ବଜାରରେ ‌କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ରହିବାରୁ ଲୋକମାନେ ଯାତାୟାତ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜନ୍ମେଞ୍ଜୟ ସ୍ବାଇଁ, ବିପିନ କୁମାର ପାତ୍ର, କେଶବ ବେହେରା, ପ୍ରଭାସ ବାରିକ, ବିଜୟ କୁମାର ସାହୁ, ନାରାୟଣ ସାହୁ, ବସନ୍ତ ପଣ୍ଡା ଓ ଜଗତ୍‌ଜୀବନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ନେତୃବୃ‌ନ୍ଦ ଏହି ବନ୍ଦ ପାଳନ‌ରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର