ଭୁବନେଶ୍ୱର: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ବିଭିନ୍ନ ପ୍ରକାର ଅପରାଧରେ ମଧ୍ୟ ସେମାନଙ୍କ ସଂପୃକ୍ତି ଦେଖିବାକୁ ମିଳୁଛି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସେମାନଙ୍କୁ କିଛି ନେତା ସବୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ସେମାନେ ମିନି ବାଂଲାଦେଶର ଭ୍ରମ ସୃଷ୍ଟି କଲେଣି। କିନ୍ତୁ ଦେଶର ସାର୍ବଭୌମତ୍ୱ ପ୍ରତି ଏମାନେ ବିପଦ ବୋଲି ଅଭିଯୋଗ କରିଛନ୍ତି ଭାରତ ରକ୍ଷା ମଞ୍ଚର ଜାତୀୟ ସଂଯୋଜକ ମୁରଲୀ ମନୋହର ଶର୍ମା। ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଲେ, ଆସାମରେ ନ୍ୟାସ୍ନାଲ୍ ରେଜିଷ୍ଟର୍ ଅଫ୍ ସିଟିଜେନ୍ କାର୍ଯ୍ୟକାରୀ କରିବା ସ୍ୱାଗତଯୋଗ୍ୟ। ଏହା ଦେଶର ସାର୍ବଭୌମତ୍ୱ ସୁରକ୍ଷା ଦିଗରେ ବଳିଷ୍ଠ ପଦକ୍ଷେପ। କେବଳ ଆସାମ ନୁହେଁ, ଓଡ଼ିଶାରେ ବି ବାଂଲାଦେଶୀ ସମସ୍ୟା ଉତ୍କଟ ଆକାର ଧାରଣ କରିଛି। ତେଣୁ ଓଡ଼ିଶାରେ ଏନ୍ଆର୍ସି ପ୍ରବର୍ତ୍ତନ କରିବାକୁ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି।
ଶ୍ରୀ ଶର୍ମା ଓ ମଞ୍ଚର ଜାତୀୟ ସମ୍ପାଦକ ଅନୀଲ ଧୀର କହିଲେ, ଓଡ଼ିଶାର ସୁଦୀର୍ଘ ତଟବର୍ତ୍ତୀ ଅଞ୍ଚଳର ଫାଇଦା ନେବା ପାଇଁ ବାଂଲାଦେଶୀ ଅନୁପ୍ରବେଶକାରୀ ବିପୁଳ ସଂଖ୍ୟାରେ ପଶି ଆସୁଛନ୍ତି। ଆସାମରେ ନାଗରିକତ୍ୱରୁ ସଦ୍ୟ ବାଦ୍ ପଡ଼ିଥିବା ଲୋକେ ଓଡ଼ିଶାକୁ ପ୍ରବେଶ କରିବାର ଆଶଙ୍କା ରହିଛି। ଏଥି ପାଇଁ ଓଡ଼ିଶା ସରକାରଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ୧୦ଟି ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହି ଦାବି ମଧ୍ୟରେ ଅଛି ଭାରତୀୟ ରେଜିଷ୍ଟ୍ରାର୍ ଜେନେରାଲ୍ଙ୍କୁ ଅନୁରୋଧ କରି ଓଡ଼ିଶାରେ ଏନ୍ଆର୍ସି ପ୍ରକ୍ରିୟା ଆରମ୍ଭ କରିବା, ସାମୁଦ୍ରିକ ଥାନାଗୁଡ଼ିକୁ ସକ୍ରିୟା କରିବା, ସମୁଦ୍ରକୁ ଯାଉଥିବା ସବୁ ମତ୍ସ୍ୟଜୀବୀଙ୍କୁ ବାୟୋମେଟ୍ରିକ୍ କାର୍ଡ ଇସ୍ୟୁ କରିବା, ଅନୁପ୍ରବେଶକାରୀଙ୍କ ବସ୍ତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା, ଉପକୂଳବର୍ତ୍ତୀ ଅଞ୍ଚଳରେ ତିଆରି ହୋଇଥିବା ଘରୋଇ ରେଡିଓ ଷ୍ଟେସନ୍ ଉପରେ ନଜର ରଖିବା, ସୀମାନ୍ତବର୍ତ୍ତୀ ଇଲାକାରେ କାମ କରୁଥିବା ଅର୍ଦ୍ଧ ସାମରିକ କର୍ମଚାରୀଙ୍କୁ ନେଇ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସ୍ପେସାଲ୍ ଟାସ୍କ ଫୋର୍ସ ଗଠନ କରିବା ଇତ୍ୟାଦି।