ବାମଦଳର ଓଡ଼ିଶା ବନ୍ଦ: ୬ ଘଣ୍ଟା ଅଟକିଗଲା ରାଜଧାନୀ, କାଁ ଭାଁ ଉତ୍ତେଜନା, ମୁହାଁମୁହିଁ

ଯାନବାହନ ଚଳାଚଳ ବାଧାପ୍ରାପ୍ତ, ବନ୍ଦ ରହିଲା ଅଧିକାଂଶ ଦୋକାନ, ବଜାର, ପେଟ୍ରୋଲିୟମ କମ୍ପାନି କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ

ଭୁବନେଶ୍ବର: ମାସ ମାସ ଧରି ଲାଗି ରହିଛି କରୋନା କଟକଣା। ଯେଉଁ ସକାଳ ସମୟରେ କଟକଣା ଟିକେ କୋହଳ ହେଉଛି, ଆଜି ସେଇ ସମୟରେ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିଲେ ୪ ବାମଦଳ। ପେଟ୍ରୋଲ, ଡିଜେଲର ‌ଦରବୃଦ୍ଧି ପ୍ରତିବାଦରେ ଏହି ବନ୍ଦକୁ ସାଧାରଣ ଜନତାଙ୍କ ସମର୍ଥନ ମଧ୍ୟ ମିଳିଥିଲା। ଫଳରେ ଆଜି ରାଜଧାନୀର ଅଧିକାଂଶ ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେ‌ଳେ ଦୋକାନ ବଜାର ବନ୍ଦ ରହିଥିଲା। ବିଶେଷକରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ତୈଳ କମ୍ପାନି କାର୍ଯ୍ୟାଳୟ ସମ୍ମୁଖରେ ବନ୍ଦ ସମର୍ଥକ ବିଭିନ୍ନ ଦଳର ନେତା ଓ କର୍ମୀମାନେ ବହୁସମୟ ଧରି ପିକେଟିଂ କରିବାରୁ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ୍ ସମେତ ବିଭିନ୍ନ ଛକ ଓ ତୈଳ କମ୍ପାନି ଅଫିସ ଆଗରେ ବିକ୍ଷୋଭ କରୁଥିବା ବନ୍ଦ ସମର୍ଥକଙ୍କୁ ପୁଲିସ ଗିରଫ କରିଥିଲା। ତେବେ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ପୁଲିସର କଡ଼ା ସୁରକ୍ଷା ଥିବାରୁ ଅଫିସ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା।

ସିପିଏମ୍, ସିପିଆଇ, ସିପିଆଇଏମ୍‌ଏଲ୍, ଏସ୍‌ୟୁସିଆଇ ଓ ଫରୱାର୍ଡ ବ୍ଲକ୍ ଆଦି ବାମଦଳଗୁଡ଼ିକ ଆଜି ବନ୍ଦ ଡାକରା ଦେଇଥିବାବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ସମର୍ଥନ କରିଥିଲେ। ତେଣୁ ମାଷ୍ଟରକ୍ୟାଣ୍ଟିନ ଛକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ ଦୁଇ କଂଗ୍ରେସ ନେତାଙ୍କ ସହ ସିପିଆଇର ଆଶିଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ସୁର ଜେନା, ଜୟନ୍ତ ଦାସ, ବିଜୟ ଜେନା, ସିପିଏମ୍‌ର ଅଳିକିଶୋର ପଟ୍ଟନାୟକ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ସିପିଆଇଏମ୍‌ଏଲ୍‌ର ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଫରୱାର୍ଡ ବ୍ଲକ୍‌ର ଜ୍ୟେତିରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟିର ସୁଦର୍ଶନ ଦାସଙ୍କ ନେତୃତ୍ବରେ ବି‌କ୍ଷୋଭକାରୀମାନେ ଏକ ଶୋଭାଯାତ୍ରା‌ରେ ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଆଡ଼କୁ ପୁଲିସ କର୍ଡନ ଭାଙ୍ଗି ଯିବାକୁ ଉଦ୍ୟମ କଲାବେ‌ଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ସକାଳୁ ସକାଳୁ ବିକ୍ଷୋଭକାରୀ ରେଳ ଷ୍ଟେସନରେ ପହଞ୍ଚି ରେଳଧାରଣାରେ ବସିବା ସହ ବିଶାଖାପାଟଣା ଯାଉଥିବା ଏକ ଟ୍ରେନକୁ ଅଟକାଇଥିଲେ। କିଛି କର୍ମୀ ଷ୍ଟେସନ ବାହାରେ ମଧ୍ୟ ବସି ରହିବାରୁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପଶି ପାରିନଥିଲେ, କିମ୍ବା ଭିତରୁ କେହି ବାହାରି ପାରିନଥିଲେ। ତେବେ କରୋନା କଟକଣା ପାଇଁ ସୀମିତ ସଂଖ୍ୟାରେ ଟ୍ରେନ୍‌ ଚାଲୁଥିବାରୁ କୌଣସି ଟ୍ରେନ୍‌ ବାଧାପ୍ରାପ୍ତ ହୋଇନଥିବା କହିଛନ୍ତି ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ। ସକାଳ ୬ଟାରେ ଜନଶତାବ୍ଦୀ ଛାଡ଼ିବା ପରେ ପିକେଟିଂ ଦଳ ପହଞ୍ଚିଥିଲେ। ସେମାନେ ଚାଲିଆସିବା ପରେ ୭ଟା ୨୦ମିନିଟ୍‌ରେ ଅର୍ଥାତ୍‌ ଠିକ୍ ସମୟରେ ଲୋକମାନ୍ୟ ତିଳକ ଟ୍ରେନ୍‌ ମଧ୍ୟ ଛାଡ଼ିଥିଲା ବୋଲି ସେ କହିଛନ୍ତି। ତେବେ ବସ୍‌ ଚାଲୁନଥିବାରୁ ବସ୍‌ଷ୍ଟାଣ୍ଡକୁ ବିକ୍ଷୋଭକାରୀ ଯାଇନଥିଲେ। ଜାତୀୟ ରାଜପଥର ଜୟଦେବବିହାର ଓଭରବ୍ରିଜ୍, ହୋଟେଲ କ୍ରାଉନ୍‌ ସାମ୍ନା ରାଜପଥ ଓ ଆଇଗିଣିଆ ଛକରେ ପିକେଟିଂ ହେବାରୁ ପାଖାପାଖି ୩ ଘଣ୍ଟା ଧରି ରାଜପଥରେ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା। ଏହାଛଡ଼ା ଆଚାର୍ଯ୍ୟବିହାର, ଚନ୍ଦ୍ରଶେଖରପୁର, କିଟ୍‌ ଛକ, ରେଳକୁଞ୍ଜ ଆଦି ସମ୍ମୁଖରେ ସତୀଶ ମିଶ୍ର, ବିଜୟ ମହାନ୍ତି, କୈଳାସ ପୁହାଣ, ଦଳଗୋବିନ୍ଦ ବେ‌ଶ୍ରା ଓ ସଂଘମିତ୍ରା ଜେନା ପ୍ରମୁଖ ପିକେଟିଂର ନେତୃତ୍ବ ନେଇଥିଲେ।

କାଁ ଭାଁ ଉତ୍ତେଜନା, ମୁହାଁମୁହିଁ
ରାଜଧାନୀର କେତୋଟି ଜାଗାରେ କିଛି ସମୟ ଲାଗି ଉତ୍ତେଜନାକୁ ଛାଡ଼ିଦେଲେ ବନ୍ଦ ପାଳନବେଳେ ସେମିତି କିଛି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନଥିଲା। ଏଜି ଛକରେ ବିକ୍ଷୋଭକାରୀ ହୋହଲ୍ଲା କରିବା ସହ ୪ ଦିଗରୁ ରାସ୍ତା ଅବରୋଧ କରି ଟ୍ରାଫିକ୍‌ ଜାମ୍‌ କରିଦେଇଥିଲେ। ସେମାନଙ୍କୁ ହଟାଇବା ପାଇଁ ପୁଲିସ ନାକେଦମ୍‌ ହୋଇଥିଲା। ଶେଷରେ ୩୦ରୁ ଊର୍ଦ୍ଧ୍ବ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା। ସେହିପରି ୧ ନମ୍ବର ମାର୍କେଟ ସାମ୍ନାରେ ମଧ୍ୟ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପିକେଟିଂ ଚାଲୁଥିବା ବେଳେ ଜଣେ ଯୁବତୀ ରାସ୍ତା ଅବରୋଧ ନମାନି ମାଡ଼ିଯିବାରୁ ବିକ୍ଷୋଭକାରୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକାଇଥିଲା। କଳ୍ପନା ଛକରେ ଥିବା ପେଟ୍ରୋଲ ଟାଙ୍କି ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ ବେଳେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଟାଙ୍କି ସମ୍ମୁଖରେ ଏପରି କରିବାରୁ ପୁଲିସ ଏଥିରେ ବାଧା ଦେବାକୁ ଉଦ୍ୟମ କରିଥିଲା। ଫଳରେ କିଛି ସମୟ ପାଇଁ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ।

ଜାତୀୟ ରାଜପଥ ତିନି ଘଣ୍ଟା ଜାମ୍‌

ବିକ୍ଷୋଭକାରୀମାନେ ଆଜି ସକାଳ ୬ଟାରୁ ପ୍ରାୟ ୯ଟା ପର୍ଯ୍ୟନ୍ତ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପିକେଟିଂ କରିବ‌ା‌ରୁ ପ୍ରାୟ ୩ଘଣ୍ଟା ଧରି ଗାଡ଼ିମଟର ଚଳାଚଳ ବନ୍ଦ ହୋଇ ଯାଇଥିଲା। ଜୟଦେବବିହାର ଓଭରବ୍ରିଜ୍‌ରେ ବରିଷ୍ଠ ନେତା ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ବରେ ତଥା ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ୍ ସହଯୋଗରେ ଜାତୀୟ ରାଜପଥ ବନ୍ଦ କରାଯାଇଥିଲା। ଏହା ସହିତ ଜୟଦେବବିହାର ଓଭରବ୍ରିଜ୍‌ ତଳେ ମଧ୍ୟ ଗାଡ଼ି ଚଳାଚଳକୁ ଅଟକାଇ ଦିଆଯାଇଥିଲା। ସେହିଭଳି ଖଣ୍ଡଗିରି ଛକରେ ଦିନ ୯ଟା ପରେ କଂଗ୍ରେସର କିଛି ଯୁବ କର୍ମୀ ରାସ୍ତା ଅବରୋଧ କରିଥିଲେ। ସେହିଭଳି ଆଇଗିଣିଆ ଓଭରବ୍ରିଜ୍ ଓ ଛକରେ ସିଆଇଟିୟୁର ବସନ୍ତ ସାହୁଙ୍କ ନେତୃତ୍ବରେ ପିକେଟିଂ ହୋଇଥିଲା। ଓଭରବ୍ରିଜ୍‌କୁ ପ୍ରାୟ ଅଢ଼େଇଘଣ୍ଟା ଅବରୋଧ କରି ଆନ୍ଦୋଳନକାରୀମାନେ ଧାରଣାରେ ବସିଥିଲେ। ଏହି ବିକ୍ଷୋଭରେ ଭାଗୀରଥି ସେନାପତି, ମନୋରଂଜନ ସାହୁ, ପରମାନନ୍ଦ ବେହେରା, ପଞ୍ଚାନନ ମହାରଣା, ସୀମାଞ୍ଚଳ ସାହୁ, ରବି ସାହୁ, ସନ୍ତୋଷ ସାହୁ, ସଂଜୟ ସାହୁ, ଅମ୍ବୁଜା ନାଥ, ବିଚିତ୍ର ପାଇକରାୟ, କାଳୁ ସେନାପତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର