ଓଡ଼ିଶା ନିର୍ମାଣ କନକ୍ଲେଭ୍‌-୨୦୨୧; ୫ଟି ରାଜ୍ୟକୁ ଓଡ଼ିଶାରୁ ଚାଉଳ ରପ୍ତାନି ହେଉଛି: ଦେବୀ ମିଶ୍ର

ଧାନ ଉତ୍ପାଦନ ବଢ଼ିଛି, ହେଲେ ସଂଗ୍ରହ କରାଯାଉ ନାହିଁ: ସୁରେଶ ପୂଜାରୀ

‘ଜୟ କିଷାନ ଏକ ସ୍ଲୋଗାନ କି?’ ଶୀର୍ଷକ ଅଧିବେଶନରେ ଭାଗ ନେଇ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଲେ, ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ଆଗକୁ ବଢ଼ିଛି। ଚାଷୀଙ୍କ ରୋଜଗାର ବଢ଼ିବା ସହ ଅଧିକ ସଂଖ୍ୟାରେ ନୂଆ ଚାଷ କରିବାକୁ ଆଗ୍ରହ ଦେଖାଇଛନ୍ତି। ଏବେ ୫ଟି ରାଜ୍ୟକୁ ଓଡ଼ିଶାରୁ ଚାଉଳ ରପ୍ତାନି ହେଉଛି। ୨୦୧୭, ୨୦୧୮, ୨୦୧୯ରେ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ହୋଇନି। ଯେତେବେଳେ କି ମହରାଷ୍ଟ୍ରରେ ବହୁ ପରିମାଣରେ ହୋଇଛି। ଧାନ ମଣ୍ଡିରେ ଦଲାଲି ବ୍ୟବସ୍ଥାକୁ ରୋକ୍‌ ଲଗାଇବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଜେପି ସାଂସଦ ସୁରେଶ ପୂଜାରୀ କହିଲେ, ଚାଷୀ ଏବେ ଚିନ୍ତାରେ।

ଧାନ ଉତ୍ପାଦନ ବଢ଼ିଛି, ହେଲେ ତାହାକୁ ସଂଗ୍ରହ କରାଯାଉନାହିଁ। ନିର୍ବାଚନକୁ ନଜରରେ ରଖି କୃଷି ଯୋଜନା କରୁଛନ୍ତି, ଯାହାକି ଠିକ୍‌ ନୁହେଁ। ଚାଷୀଙ୍କୁ ଖାଦ୍ୟଶସ୍ୟ ଗଚ୍ଛିତ, ପରିବହନ, ବଜାର ସୁବିଧା ଯୋଗାଇବାକୁ ହେବ। ୧୫ରୁ ୨୦ ବର୍ଷ ପାଇଁ ଆଗୁଆ ଯୋଜନା କରିବାକୁ ପଡ଼ିବ। ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ଯୋଗଦେଇ କହିଲେ, ଚାଷୀ ଆତ୍ମହତ୍ୟା ହେଉଥିଲେ ମଧ୍ୟ ସ୍ବୀକାର କରିବାକୁ ରାଜ୍ୟ ସରକାର ପସ୍ତୁତ ନୁହନ୍ତି। ମିଥ୍ୟା କହି କ୍ଷତିପୂରଣ ଦେଉନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ରହିଛି। ୫ବର୍ଷ ମଧ୍ୟରେ ୩୧୪ ବ୍ଲକ୍‌ର ୩୫% ଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୦୫-୦୬ରେ ‌ଘୋଷଣା କରିଥିଲେ। ୧୫ ବର୍ଷ ପରେ ବି ଆହୁରି ୭୨ଟି ବ୍ଲକ୍‌ରେ ଜଳସେଚନ ହୋଇପାରିନାହିଁ। ଚାଷୀଙ୍କୁ ବଜାର ସୁବିଧା ଯୋଗାଇ ଦିଆଯାଉ। କନକ ନ୍ୟୁଜ୍‌ର ମୁଖ୍ୟ ଉପସ୍ଥାପକ ସଂଗ୍ରାମ ଷଡ଼ଙ୍ଗୀ ଏହି ଅଧିବେଶନକୁ ପରିଚାଳନା କରିଥିଲେ।

ବିକାଶ ଏକ ନିରନ୍ତର ପ୍ରକ୍ରିୟା
‘ଭିଜନ: ଓଡ଼ିଶା ୨୦୩୦’ ସମ୍ପର୍କରେ କନକ ନ୍ୟୁଜ୍‌ ସମ୍ପାଦକ ମନୋରଞ୍ଜନ ମିଶ୍ରଙ୍କ ସହ ଆଲୋଚନା କରି ଉନ୍ନୟନ କମିସନର ପ୍ରଦୀପ ଜେନା କହିଲେ, ୨୦୩୦ କିମ୍ବା ୨୦୩୬ ସୁଦ୍ଧା ବିକାଶ ହେବ କି ନାହିଁ କହି ହେବନି। କାରଣ ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ। ଲୋକଙ୍କ ଆଶା, ଆକାଂକ୍ଷା ବଢ଼ୁଥିବାରୁ ଆମକୁ ସେକ୍ଟର ଅନୁଯାୟୀ ବିକାଶ କରିବାକୁ ହେବ। ୧୯୯୯ ମହାବାତ୍ୟା ହେଉଛି ଆମ ପାଇଁ ଏକ ମାର୍କ। ମହାବାତ୍ୟାରେ ଓଡ଼ିଶାର ଭିତ୍ତିଭୂମି ଦୋହଲିଯିବା ପରେ ୩୬୫ଦିନରୁ ୩୬୦ ଦିନ ଟ୍ରେଜେରି ବନ୍ଦ ରହୁଥିଲା। ଜିପିଏଫ୍‌ ପଇସା ଫେରି ପାଇବା ନେଇ କର୍ମଚାରୀ ଆଶଙ୍କାରେ ଥିଲେ। ସେଥିରୁ ବାହାରି କୃଷି, ମତ୍ସ୍ୟ, ଅଣ୍ଡା ଉତ୍ପାଦନ ଆଗକୁ ବଢ଼ିଛୁ। ୨୦୦୮ରେ ବିଦ୍ୟୁତ୍‌ କ୍ଷେତ୍ରରେ ପାୱାରକଟ୍‌, ଲୋ‌-ଭୋଲ‌ଟେଜ୍‌ ନେଇ ଯେଉଁ ସମସ୍ୟା ଥିଲା, ତାହା ଏବେ ନାହିଁ। ଦାରିଦ୍ର୍ୟ ଦୂରୀକରଣ ହୋଇଥିବା ବେଳେ ଏବେ ଆମକୁ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ କାମ କରିବାକୁ ପଡ଼ିବ। ମାଇ‌ଗ୍ରେସନ୍‌ ଖରାପ ନୁହେଁ। ତେବେ ମାଇଗ୍ରେସନ କ୍ଲେଶ ହେବା କଥା ନୁହେଁ। କ୍ଷୁଦ୍ର, ମାଧ୍ୟମ ଶିଳ୍ପକୁ ପ୍ରାଥମିକତା ଦେବାକୁ ହେବ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ କାର୍ଯ୍ୟକ୍ଷମ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ୨୦୪୦ ସୁଦ୍ଧା ରାଜ୍ୟର ସବୁ ଘରକୁ ପାନୀୟ ଜଳ ସୁବିଧା କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅପରାଧୀକୁ ଗିରଫ କରିବା ପୁଲିସର କାମ
କୌଣସି ଏକ ଘଟଣାରେ ବଡ଼ ଲୋକଙ୍କୁ ପୁଲିସ ବାନ୍ଧିଲେ ଲୋକମାନେ ବହୁତ ପ୍ରଶଂସା କରିବେ। ହେଲେ କାହାକୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିବା ପୁଲିସର କାମ ନୁହେଁ। ଅପରାଧୀଙ୍କୁ ଗିରଫ କରିବା ପୁଲିସର କାମ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ପୁଲିସ ଅଧିକାରୀ ଅରୁଣ ବୋଥ୍ରା।

ଚତୁର୍ଥ ଅଧିବେଶନରେ କନକ ନ୍ୟୁଜ୍‌ର ସଂପାଦକ ମନୋରଂଜନ ମିଶ୍ରଙ୍କ ସହିତ ଆଲୋଚନା ବେଳେ ଶ୍ରୀ ବୋଥ୍ରା କହିଥିଲେ, ସମାଜରେ ଲୋକ ଭିନ୍ନ ମତ ଦେବାର ଅଧିକାର ରହିଛି। ଜଣେ ବ୍ୟକ୍ତି ମିଛ କହିଥାଇପାରେ, ହେଲେ ପ୍ରମାଣ କେବେ ମିଛ କହେନି। ପୁଲିସ ବିଭାଗରେ ପେସାଦାର ମ‌ନଭାବ କମୁଛି କି ପ୍ରଶ୍ନର ଉତ୍ତର ଶ୍ରୀ ବୋଥ୍ରା କହିଲେ, ସାମାଜିକ ଆବଶ୍ୟକତା ଅନୁସାରେ ପୁଲିସ କାର୍ଯ୍ୟ କରିବା ଜରୁରୀ। ସିବିଆଇରେ କାର୍ଯ୍ୟ କରୁଥିବା ଜଣେ ତଦନ୍ତ ଅଧିକାରୀ ବର୍ଷକୁ ଗୋଟିଏ ମାମଲାର ତଦନ୍ତ କରୁଥିବା ବେଳେ ଓଡ଼ିଶାର ଗୋଟିଏ ଥାନାରେ ଜଣେ ଅଧିକାରୀ ମାସକୁ ୨୦ ମାମଲାର ତଦନ୍ତ କରୁଛନ୍ତି। ଏହାସହ ଆଇନ ଶୃଙ୍ଖଳାର ପରିଚାଳନା ମଧ୍ୟ ପୁଲିସକୁ କରିବାକୁ ପଡ଼ୁଛି। ତେଣୁ ସିବିଆଇରେ କାର୍ଯ୍ୟରତ ଅଧିକାରୀଙ୍କ ସଫଳତା ହାର ଅଧିକ ରହିବା ସ୍ବାଭାବିକ।

କଳାକାର ପାଇଁ ପ୍ରଶଂସା ବଡ଼ କଥା: ନୀଳମାଧବ ପଣ୍ଡା
ଜଣେ କଳାକାର ପାଇଁ ପ୍ରଶାଂସା ବଡ଼ କଥା। ହେଲେ ଓଡ଼ିଶାରେ ପ୍ରଶଂସା ବଦଳରେ ଅଧିକ ସମାଲୋଚନା ମିଳିଥାଏ। ଓଡ଼ିଶାରେ ଜଣେ କଳାକାର ବ୍ୟକ୍ତିଗତ ଜୀବନ ଉପରେ ଅଧିକ ମତ ରଖାଯାଉଛି। ଏହାସହ ଓଡ଼ିଆ ଲୋକଙ୍କଠାରେ ସିନେମା ସଂସ୍କୃତି ଦେଖିବାକୁ ମିଳୁନାହିଁ ବୋଲି ମତ ରଖିଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ଅଭିନେତ୍ରୀ ପ୍ରକୃତି ମିଶ୍ର। ମଞ୍ଜରୀ ଟିଭିର କ୍ରିଏଟିଭ୍ ଗ୍ରୁପ୍ ମୁଖ୍ୟ ଗାର୍ଗୀ ମହାନ୍ତିଙ୍କ ସହିତ ‘ଓଡ଼ିଶା ସିନେମା ବଞ୍ଚିବ କେମିତି’ ପ୍ରସଙ୍ଗ ଉପରେ ଆଲୋଚନା ବେଳେ ନୀଳମାଧବ କହିଥିଲେ, ଓସ୍କାର ଦୌଡ଼ରେ ଏକ ତାମିଲ ଚଳଚ୍ଚିତ୍ର ସାମିଲ ହୋଇଥିଲା। ସଂପୂର୍ଣ୍ଣ ତାମିଲ ମିଡିଆ ଏହାର ଜୋରଦାର ପ୍ରଚାର କରିଥିଲେ। ଅନେକ କଷ୍ଟ ସତ୍ତ୍ବେ ଓଡ଼ିଆ ଚଳଚ୍ଚିତ୍ର ଓସ୍କାର ଦୌଡ଼ରେ ସାମିଲ ହୋଇପାରିଥିଲା। ମାତ୍ର ଓଡ଼ିଶାରେ ଏହାର ନକାରାତ୍ମକ ପ୍ରଚାର କରାଯାଇଥିଲା। ଜଣେ କଳାକାର ପାଇଁ କେହି ମାର୍ଗଦର୍ଶକ ହୋଇପାରିବ ନ‌ା‌ହିଁ। କଳାକାର ହିଁ ନିଜେ ନିଜର ମାର୍ଗଦର୍ଶକ।

ପ୍ରସ୍ତୁତ ହେଉଥିବା ସବୁ ଚଳଚ୍ଚିତ୍ର ବ୍ୟବସାୟ ପାଇଁ ଉଦ୍ଦିଷ୍ଟ। ‘ଆଇ ଆମ କଲାମ’ ଖର୍ଚଠାରୁ ୩୦ ଗୁଣ ଅଧିକ ବ୍ୟବସାୟ କରିଥିଲା ବୋଲି ନୀଳମାଧବ କହିଥିଲେ। ସେହିପରି ଅଭିନେତ୍ରୀ ପ୍ରକୃତି ମିଶ୍ର କହିଥିଲେ, ସିନେମା ପ୍ରସ୍ତୁତି ସମୟରେ ଓଡ଼ିଆ ସଂସ୍କୃତିକୁ ଭୁଲିବା କଥା ନୁହେଁ। ଓଡ଼ିଶାର ନିଜସ୍ବ କାହାଣୀ ଚଳଚ୍ଚିତ୍ରରେ ପ୍ରତିଫଳିତ ହେବା ଦରକାର। ଓଡ଼ିଆ ଲୋକମାନେ ନିଜର କଳାକାର ଓ ଶିଳ୍ପକୁ ନେଇ ଗର୍ବ କରିବା ଜାଣିନାହାନ୍ତି। ହିନ୍ଦୀ ଚଳଚ୍ଚିତ୍ରର ଲୋକ ସଂପର୍କ ବା ପିଆର୍‌ ଭଲ। ତେଣୁ ସେମାନେ ଅନ୍ୟଠୁ କପି ହୋଇଥିବା କାହାଣୀକୁ ମଧ୍ୟ ଠିକ୍ ଢଙ୍ଗରେ ଉପସ୍ଥାପନ କରିପାରନ୍ତି। ମାତ୍ର ଓଡ଼ିଶା‌ରେ କେବଳ ନକାରାତ୍ମକ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର