ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ ପକ୍ଷରୁ ‘ଉଡ଼େ ତ୍ରିରଙ୍ଗା’

ପୂଜିବି ଭାରତ...

ଭୁବନେଶ୍ବର: ଦୁଇଦିନ ପରେ ସମଗ୍ର ଦେଶରେ ପାଳିତ ହେବ ସ୍ବାଧୀନତା‌ ଦିବସ। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଯୁବ ଦିବସରେ ଯୁବପିଢ଼ିକୁ ଦେଶ ଭକ୍ତିରେ ଆଚ୍ଛନ୍ନ କରିବା ପାଇଁ ଉତ୍କଳ ରଙ୍ଗମଞ୍ଚରୁ ସଂଚରି ‌ଆସିଥିଲା ଦେଶଭକ୍ତି ସଂଗୀତ। ଅବସର ଥିଲା ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ ପକ୍ଷରୁ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମ ‘ଉଡ଼େ ତ୍ରିରଙ୍ଗା’। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଯୋଗ ଦେଇଥିଲେ। ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ର ଅଧ୍ୟକ୍ଷ ତଥା ଜଣାଶୁଣା ଶିଳ୍ପପତି ଜେ. କେ ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଉପାଧ୍ୟକ୍ଷ ଡକ୍ଟର୍ ଜେନାମଣ ସଞ୍ଜୀବ କୁମାର ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଚୌଧୁରୀ ଅମିତାଭ ଦାସ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ସା‌ଲୁଟ୍‌ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଦସ୍ୟ ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ଶିତିକଣ୍ଠ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋର, ଟି ସୌରୀ, ‌ଶୈଳଭାମାଙ୍କ ସମେତ ମନୋଜ, ଜ୍ୟୋତିର୍ମୟୀ ଓ ତନୁଶ୍ରୀ ଉଭୟ ଓଡ଼ିଆ ଓ ହିନ୍ଦୀରେ ଦେଶାତ୍ମବୋଧକ ସଙ୍ଗୀତ ସଂଗୀତରେ ଶ୍ରୋତାଙ୍କ ମନୋରଂଜନ କରିଥିଲେ। ‘ପୂଜିବି ଭାରତ’, ‘ଦେଶବାସୀ ବନ୍ଧୁ’, ‘ଆର୍ଯ୍ୟଭୂମି ମାତୃଭୂମି’, ‘ସ୍ବର୍ଗାଦପୀ ଗରୟସି’, ‘ବହି ଯାଏରେ ଗଙ୍ଗା ଉଡ଼େ ତ୍ରିରଙ୍ଗା’‘ସତ୍ୟମେବ ଜୟତେ’, ‘ଦିଲ୍‌ ଦିୟା ହେ…’ ଭଳି ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଚଳିତ ବର୍ଷ ‘ଅନ୍ତର୍ଜାତୀୟ ଭୁ‌ବନେଶ୍ବର ସଂଗୀତ ଉତ୍ସବ’
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ନେଇ ଆୟୋଜିତ ହେବ ଅନ୍ତର୍ଜାତୀୟ ଭୁବନେଶ୍ବର ସଂଗୀତ ଉତ୍ସବ। ଏଥିରେ ବଲିଉଡ୍‌ର ବହୁ ନାମୀ କଳାକାର ସଂଗୀତ ପରିବେଷଣ କରିବେ। ଆଧୁନିକ ଓ ରକ୍‌ ସଂଗୀତ ମଧ୍ୟ ପରିବେଷଣ କରାଯିବ। ସଂଗୀତ ପ୍ରେମୀ ଶ୍ରୋତାମାନେ ରାଜଧାନୀରେ ଏହିଭଳି ଏକ ବୃହତ୍‌ ସଂଗୀତ କାର୍ଯ୍ୟକ୍ରମର ମଜା ନେବା ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହା ସହାୟକ ହୋଇପାରିବ। ୫ଦିନ ଧରି ଏଇଭଳି ଅନ୍ତର୍ଜାତୀୟ ମାନର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ର ଅଧ୍ୟକ୍ଷ ତଥା ଶିଳ୍ପପତି ଜେ.କେ ମହାନ୍ତି ଆଜି ଉତ୍ସବରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର