‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ର ‘ନୃତ୍ୟମ୍ବଦା’

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ର ଦୁଇଦିନିଆ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟମ୍ବଦା’ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଗୁରୁ ନବକିଶୋର ମିଶ୍ର, ବେହେଲା ବାଦକ ସୁରମଣି ରମେଶ ଚନ୍ଦ୍ର ଦାସ, ମର୍ଦ୍ଦଳ ବାଦକ ଗୁରୁ ବିଜୟ କୁମାର ବାରିକ ଓ ସିଦ୍ଧାର୍ଥ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ର ମୁଖ୍ୟ ପଦ୍ମଶ୍ରୀ ଅରୁଣା ମହାନ୍ତି ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପ୍ରଥମେ ଗୁରୁ ଅରୁଣା ମହାନ୍ତି ଓ ରୋଜାଲିନ୍‌ ମହାପାତ୍ରଙ୍କ ନୃତ୍ୟ ନିର୍ଦ୍ଦେଶନାରେ ନାଗାବଳି ପଲ୍ଲବୀ ପରିବେଷଣ ହୋଇଥିଲା। ପରେ ନୃତ୍ୟାଭିନୟରେ ‘ନାରୀ’ ପରିବେଷିତ ହୋଇଥିଲା। ସେହିପରି ପଲ୍ଲୀ ନୃତ୍ୟରେ ଚିନ୍ମୟ ବେହେରା ଓ ବିକ୍ରମ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ‘ଛୋଟ ମୋର ଗାଁଟି’ ପରିବେଷିତ ହୋଇଥିଲା। ଶ୍ରୀଦା ଭୋଳ ଓ ବିନାୟକ ସାମଲଙ୍କ ସଂଯୋଜନାରେ ବଟୁ ନୃତ୍ୟ ପରିବେଷିତ ହୋଇଥିଲା। ପୁଣି ପଲ୍ଲୀ ନୃତ୍ୟରେ ଆମ ଗାଁ ମାଟି, ପରେ ଓମ୍‌ ନମଃ ଶିବାୟ, କୁମାର ପୂର୍ଣ୍ଣିମା ନୃତ୍ୟ କରିଥିଲେ ଶିଳ୍ପୀମାନେ। ଶଙ୍କରାଭରଣ ପଲ୍ଲବୀ, ଅରବୀ ପଲ୍ଲବୀ, ବିଘ୍ନେଶ୍ୱର ବନ୍ଦନା, ଆଦିବାସୀ ନୃତ୍ୟ ‘ଢେମସା’, ଦଶାବତାର, ଗୋଟିପୁଅ ନୃତ୍ୟ ଓ ଶେଷରେ ‘ଶାନ୍ତି ବାଣୀ’ ପରିବେଷଣ କରାଯାଇଥିଲା। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର