ଠିକ୍‌ ସେବା ମାଧ୍ୟମରେ ସମାଜର ଋଣ ଶୁଝିହୁଏ

ଭୁବନେଶ୍ବର : ଜନସାଧାରଣଙ୍କ ଟିକସରୁ ସରକାରୀ କର୍ମଚାରୀ ଓ ବିଭିନ୍ନ ଭତ୍ତାଭୋଗୀ ଲୋକ ପ୍ରତିନିଧିମାନେ ପାଉଥିବା ଦରମା ଏକ ଋଣ। ସମାଜକୁ ଉପଯୁକ୍ତ ସେବା ପ୍ରଦାନ କଲେ ହିଁ ଏହି ଋଣ ଶୁଝି ହୋଇଥାଏ। ମାତ୍ର ଏହି ସୁଯୋଗ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ‘୫-ଟି’କୁ ନେଇ ଏବେ ଭୟ ସୃଷ୍ଟି ହୋଇଛି। ଯିଏ ସମାଜ ନିକଟରୁ ଋଣମୁକ୍ତ ହେବାକୁ ନିଷ୍ଠାର ସହ କାମ କରନ୍ତି, ସେମାନେ ‘୫-ଟି’କୁ ନେଇ ଆତଙ୍କିତ ହେଉନାହାନ୍ତି। ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘ(ଓଡ଼େଶା)ର ନେତୃତ୍ବ ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହା କହିଛନ୍ତି। ଇଂ ପ୍ରଦୀପ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ସଂଘର ପୂର୍ବତନ ସଭାପତି ଇଂ ନିର୍ମଳଚନ୍ଦ୍ର ସ୍ବାଇଁଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ଏହି ଉତ୍ସବରେ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଇଂ ନିର୍ମଳଚନ୍ଦ୍ର ସ୍ବାଇଁଙ୍କ ସଂଘ ପ୍ରତି ଅବଦାନର ପ୍ରଶଂସା କରିଥିଲେ। ଏହି ଅବସର‌ରେ ସଂଘର ମାସିକ ପତ୍ରିକା ‘ଟେକ୍ନୋସ୍କ୍ରାଇବ’ ଓ ପୂର୍ବତନ ସଭାପତି ଇଂ ରମେଶଚନ୍ଦ୍ର ମହାନ୍ତିଙ୍କ ‘ହୃଦୟ ସଂଗୀତ’ ପୁସ୍ତକର ୩ୟ ଭାଗ ଉନ୍ମୋଚିତ ହୋଇଥିଲା। ସଂଘର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମକୁ ଇଂ ନରେନ୍ଦ୍ର କୁମାର ନାୟକ, ଯଶୋବନ୍ତ ନାୟକ, ହୃଷୀକେଶ ସାହୁ, ସଚିତ୍ର ମୋହନ ରାଉଳ, ଶ୍ରୀଧର ବାରିକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର