ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ଲାଗି ଶିଳ୍ପଗୋଷ୍ଠୀ ଆଗେଇ ଆସନ୍ତୁ

ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ୬ଷ୍ଠ ବାର୍ଷିକ ଅଧିବେଶନ ଓ ଆଲୋଚନାଚକ୍ର

ଚନ୍ଦ୍ରଶେଖରପୁର : ବଦଳୁଥିବା ସମୟ ଅନୁଯାୟୀ ଯୁବଗୋଷ୍ଠୀ ଦକ୍ଷ ହେବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ ପାଲଟିଛି। ଲୁଗାବୁଣାରୁ ମାଟିପାତ୍ର ନିର୍ମାଣ ପର୍ଯ୍ୟନ୍ତ, ସବୁଠି ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି। ମାତ୍ର ସ୍ୱାବଲମ୍ବୀ ହେବା ନିମିତ୍ତ ଉପଯୁକ୍ତ ଦକ୍ଷତା ବିକାଶ ତାଲିମ ମିଳୁ ନଥିବାରୁ ନିଯୁକ୍ତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମତଦେଇଛନ୍ତି। ଆଜି ସିଓ୍ଵାଇଏସଡି ପରିସରରେ ଆୟୋଜିତ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଷଷ୍ଠ ବାର୍ଷିକ ଅଧିବେଶନ ତଥା ‘କର୍ପୋରେଟ୍‌ ସେକ୍ଟର ଦ୍ୱାରା ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି ସୃଷ୍ଟି’ ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ କାନୁନଗୋ ଦକ୍ଷତା ବିକାଶ ତାଲିମ ନିମନ୍ତେ ଉଭୟ ଘରୋଇ ଓ ସରକାରୀ ଶିଳ୍ପସଂସ୍ଥାଗୁଡ଼ିକ ଆଗେଇ ଆସିବାକୁ ସେ ଆହ୍ଵାନ ଦେଇଥିଲେ।

ସଂଗଠନର ସଭାପତି ତଥା ଅବସରପ୍ରାପ୍ତ ଜିଲ୍ଲାଜଜ୍‌ ଉମାଚରଣ ମିଶ୍ର ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ନିୟମିତ ଭାବରେ ତୀକ୍ଷ୍‌ଣ ନଜର ରଖୁଥିବା ପ୍ରକାଶ କରିଥିଲେ। କୌଣସି ଦୁର୍ନୀତି ସମ୍ପର୍କରେ ସୂଚନା ପାଇଲେ ଅନୁଷ୍ଠାନ ପକ୍ଷରୁ ଭିଜିଲାନ୍‌ସ ବିଭାଗର ମୁଖ୍ୟ ତଥା ସଂପୃକ୍ତ ବିଭାଗର ମୁଖ୍ୟଙ୍କୁ ତୁରନ୍ତ ଅବଗତ କରାଯାଉଛି। ବିଭିନ୍ନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଏହି ଅବସରରେ ସଂଗଠନର ସ୍ମରଣିକା ‘ସଂଘର୍ଷ’ ଉନ୍ମୋଚିତ ହୋଇଥିଲା।

ରାଜ୍ୟ ସାଧାରଣ ସମ୍ପାଦକ ଜଗବନ୍ଧୁ ଷଡ଼ଙ୍ଗୀ ବିବରଣୀ ପାଠ କରିଥିବାବେଳେ ଉପାଧ୍ୟକ୍ଷ ବ୍ରଜମୋହନ ମହାନ୍ତି, ଇଂ ଅଶୋକ ରଥ, ବ୍ରଜକିଶୋର ମିଶ୍ର, ସୁଧିର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲା ତଥା ବ୍ଲକ୍‌ସ୍ତରରୁ ଆସିଥିବା ମଞ୍ଚର କାର୍ଯ୍ୟକର୍ତାମାନେ ମଧ୍ୟ ଯୋଗଦେଇଥିଲେ। ଦୁର୍ନୀତି ନିବାରଣ କ୍ଷେତ୍ରରେ ତୃଣମୂଳସ୍ତରରେ ଦୃଢ଼ କାର୍ଯର୍୍ୟକରୁଥିବ ବିଭିନ୍ନ କାର୍ଯ୍ୟକର୍ତାଙ୍କୁ ଅତିଥିମାନେ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର