ଭୁବନେଶ୍ୱର : ଆମର ଜମି ଅଛି। ଜମି ଥିବା ଅଧିକାଂଶ ଲୋକ କିନ୍ତୁ ଚାଷ କରୁନାହାନ୍ତି। ପ୍ରକୃତି ଆମକୁ ଜଳ, ବାୟୁ ମାଗଣାରେ ଦେଇଛି, କିନ୍ତୁ ଏସବୁ ଏବେ ଅର୍ଥନୀତି ଦ୍ରବ୍ୟରେ ପରିଣତ ହୋଇଛି। ଅର୍ଥନୈତିକ ବୈଷମ୍ୟ ବଢ଼ି ଚାଲିଛି। ୧ ପ୍ରତିଶତ ଭାରତୀୟଙ୍କ ହାତରେ ୭୩ ପ୍ରତିଶତ ଧନ ଗଚ୍ଛିତ ଅଛି। ସେଥିପାଇଁ ବିଭ୍ରାଟ ସୃଷ୍ଟି ହେଉଛି। ଭୋଗବାଦୀ ଓ ନିଷ୍ପେଷିତ ଅର୍ଥନୀତି ମଧ୍ୟରେ ସାମଞ୍ଜସ୍ୟ ନ ରହିଲେ, ଏହିଭଳି ବିଭ୍ରାଟ ସୃଷ୍ଟି ହୁଏ। ପ୍ରାକ୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋଙ୍କ ରଚିତ ଅର୍ଥନୀତି ସ୍ଥିତି ଆଧାରିତ ଓଡ଼ିଶାର ପ୍ରଥମ ଇତିହାସ ‘ଓଡ଼ିଶା ଅର୍ଥନୀତି ଇତିହାସ’ ପୁସ୍ତକ ପାଠକାର୍ପଣ ଅବସରରେ ଅତିଥିବୃନ୍ଦ ଏଭଳି ମତ ରଖିଛନ୍ତି।
ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ବିଶେଷ ଉତ୍ସବରେ ଶ୍ରୀ କାନୁନ୍ଗୋଙ୍କ ଏହି ପୁସ୍ତକ ସମେତ ‘ଯୋଜନା’ ପୁସ୍ତିକା ଲୋକାର୍ପିତ ହୋଇଛି। ପୂର୍ବତନ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନ୍ଗୋ, ସାହିତ୍ୟିକ ଅଧ୍ୟାପକ ବିଶ୍ୱରଂଜନ, ପ୍ରତ୍ନତତ୍ତ୍ୱ ବିଶାରଦ ପ୍ରଫେସର କିଶୋର ବାସା, ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପିକା ମିତାଲି ଚିନାରା ପ୍ରମୁଖ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହ ଓଡ଼ିଶା ଅର୍ଥନୀତିର ଏହା ପ୍ରଥମ ଓଡ଼ିଆ ପୁସ୍ତକ ହୋଇଥିବା ବେଳେ ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବାରେ ଏହା ପଥ ଦେଖାଇବ ବୋଲି କହିଛନ୍ତି।
ପୁସ୍ତକରେ ଲୁଣ୍ଠନ, ଶୋଷଣ ଓ ବୈଷମ୍ୟର ଇତିହାସ ଥିବା ବେଳେ ଅର୍ଥନୀତିକୁ ପ୍ରଜାର ଦୃଷ୍ଟିକୋଣରୁ ଲେଖାଯାଇଛି। ଓଡ଼ିଶା ଅର୍ଥନୀତିର ଇତିହାସ, ଭୌଗଳିକ ଚିତ୍ର ସହ ସ୍ୱାଧୀନ ଭାରତର ଅର୍ଥନୀତିର କଥା ପୁସ୍ତକରେ ରହିଛି। ପୁସ୍ତକର ସମୀକ୍ଷା କରିଥିଲେ ସାହିତ୍ୟିକ କେଦାର ମିଶ୍ର ଏବଂ ସାମ୍ବାଦିକ ପ୍ରିୟରଂଜନ ସାହୁ। ଶେଷରେ ଲେଖକ ପଞ୍ଚାନନ କାନୁନ୍ଗୋ ଧନ୍ୟବାଦ ଅର୍ପଣ କରିଥିଲେ। ସୁବ୍ରତ ପୃଷ୍ଟି ସଭା ପରିଚାଳନା କରିଥିବା ବେଳେ ପ୍ରକାଶକ ପ୍ରଦୀପ୍ତ ବେହୁରା ଅତିଥିଙ୍କୁ ସ୍ୱାଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/eco.jpg)