ଭୁବନେଶ୍ୱର: ରାଜ୍ୟରେ ଭୋଟର୍‌ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଓଡ଼ିଶା ଇଲେକ୍ସନ ଓ୍ଵାଚ୍‌ ପକ୍ଷରୁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନର ନାଁ ରହିଛି ‘ମୋ ଭୋଟ : ମୋ ଦେଶ, ମୋ ଭୋଟ ବିକ୍ରି ପାଇଁ ନୁହେଁ’। ରାଜ୍ୟର ସମସ୍ତ ଜିଲ୍ଲା, ସହର ଓ ଗାଁରେ ଏହି ଅଭିଯାନ ଚାଲିବ। ମୁକ୍ତ ଓ ଅବାଧ ନିର୍ବାଚନ ସମେତ ଭୋଟରଙ୍କ ମତଦାନ ହାର ବୃଦ୍ଧି କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ଇଲେକ୍ସନ୍‌ ଓ୍ଵାଚର ରାଜ୍ୟ ସଂଯୋଜକ ରଂଜନ ମହାନ୍ତି ଏହା କହିଛନ୍ତି।

Advertisment

ଆଜି ସଂସ୍ଥା ପକ୍ଷରୁ ରେଡକ୍ରସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ଏଥିପାଇଁ ଲୋକନୃତ୍ୟ, ପଥପ୍ରାନ୍ତ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୋଷ୍ଟର, କର୍ମଶାଳା ଓ ସଚେତନତା ସଭା ଅନୁଷ୍ଠିତ ହେବ। ଆସନ୍ତା ନିର୍ବାଚନରେ ଅପରାଧ ପୃଷ୍ଠଭୂମି ଥିବା ଲୋକଙ୍କୁ ଟିକେଟ୍‌ ନ ଦେବା ପାଇଁ ସମସ୍ତ ରାଜନୈତିକ ଦଳମାନେ ନିବୃତ୍ତ ରହିବା ଉଚିତ୍‌। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ଦିଗରେ ମଧ୍ୟ ଉଦ୍ୟମ ଆରମ୍ଭ ହେବ। ଏଥିପାଇଁ ଟୋଲ ଫ୍ରି ନମ୍ବର, ହ୍ଵାଟସ୍‌ଆପ ଗ୍ରୁପ୍‌ ଓ ଏସ୍‌ଏମ୍‌ଏସ୍‌ର ବ୍ୟବସ୍ଥା ମଧ୍ୟ କରାଯିବ। ଟୋଲ ଫ୍ରି ନମ୍ବରରେ ଲୋକମାନେ ନିର୍ବାଚନ ସମୟରେ ହିଂସା ସମୟରେ ସୂଚନା ଦେବେ। ସେହିପରି ଭିଡିଓ ଉତ୍ତୋଳନ କରି ହ୍ଵାଟ୍‌ସଆପ୍‌ରେ ମଧ୍ୟ ପଠାଇ ପାରିବେ। ଏ ସବୁକୁ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଲେ, ଜାତୀୟସ୍ତରରେ ଅପରାଧ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ୨୧ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୨୭ପ୍ରତିଶତ ରହିଛି। ରାଜ୍ୟର ୧୬୮ଜଣ ସାଂସଦ/ବିଧାୟକ ନିର୍ବାଚନ ସମୟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତହିଁରୁ ୪୧ଜଣ ସାଂସଦ/ବିଧାୟକଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ତେଣୁ ରାଜନୀତିକୁ ଅପରାଧକରଣରୁ ମୁକ୍ତ କରିବାକୁ ହେଲେ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ଦଳୀୟ ଟିକେଟ୍‌ ମିଳିବା ଉଚିତ୍‌ ନୁହେଁ ବୋଲି ଶ୍ରୀ ସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୂରଦର୍ଶନର ପୂର୍ବତନ ନିର୍ଦେଶକ ବୈକୁଣ୍ଠ ନାଥ ପାଣିଗ୍ରାହୀ, ବରିଷ୍ଠ ଚିକିତ୍ସକ ଡା. ସେବା ମହାପାତ୍ର ଓ ସମାଜସେବୀ କ୍ଷମାକର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।