ଓଡ଼ିଶା କୃଷି-୨୦୧୯ର ଦ୍ବିତୀୟ ଦିବସ: କୃଷକଙ୍କୁ ମିଳୁ ଜଳବାୟୁ ଓ ଭୌ‌ଗୋଳିକ ସ୍ଥିତିର ଜ୍ଞାନ

ଖଣ୍ତଗିରି: ପାରମ୍ପରିକ କୃଷିର ଯୁଗ ସରିଛି। ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ କୃଷି ପଦ୍ଧତି ଆପଣାଇବା ଜରୁରୀ ହୋଇପଡ଼ିଛି। ବହୁ କ୍ଷେତ୍ରରେ ଓଡ଼ିଶାର କୃଷକମାନେ ଅତ୍ୟାଧୁନିକ କୃଷି ପ୍ରଣାଳୀ ଶିକ୍ଷା କଲେଣି। ଫଳରେ ଓଡ଼ିଶା କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇ ପାରିଛି। ତଥାପି ଆମ କୃଷକଙ୍କୁ ଆହୁରି ଅଧିକ ନୂତନ ଜ୍ଞାନ କୌଶଳ ଯୋଗାଇ ଦେବାର ଆବଶ୍ୟକତା ରହିଛି। ବିଶେଷକରି ସେମାନଙ୍କୁ ଜଳବାୟୁ ଓ ଭୌ‌‌ଗୋଳିକ ସ୍ଥିତି ବାବଦରେ ଯଥେଷ୍ଟ ଜ୍ଞାନ ଯୋଗାଇବା ଜରୁରୀ। ଆଜି ଓଡ଼ିଶା କୃଷି–୨୦୧୯ର ଦ୍ବିତୀୟ ଦିବସରେ ସଫଳ ଚାଷୀମାନଙ୍କୁ ପୁରସ୍କୃତ କରିବା ଅବସରରେ ମୁଖ୍ୟ ଅତିଥି ପଞ୍ଚାୟତରାଜ ମନ୍ତ୍ରୀ ରମେଶ ମାଝୀ ଏହା କହିଛନ୍ତି। ଉତ୍ସବରେ ଅଧ୍ୟକ୍ଷତା କରି ଅର୍ଥ ଓ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା ‘କାଳିଆ’ ଯୋଜନା ଉପରେ କହିବା ସହ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅବିରତ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। ବିଧାୟକ ଅରୁଣ କୁମାର ସାହୁ ଓ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଚାଲିଥିବା ବିଭିନ୍ନ ପଦକ୍ଷେପ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଫଳ କୃଷକମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ବାବଦରେ ପ୍ରଦାନ କରାଯାଇଥିଲା। ଓୟୁଏଟିର ଡିନ୍ ପ୍ରଫେସର ପ୍ରଭାତ କୁମାର ବିଶ୍ବାଳ ସ୍ବାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର