ଭୁବନେଶ୍ୱର: ରଙ୍ଗ ଦୁନିଆର ରଙ୍ଗିନ ତାରକାଙ୍କର ଜମିଥିଲା ଖଚାଖଚ ଭିଡ଼। ଆଖିରେ ଗୁଳି ମାରି ମଞ୍ଚ ପ୍ରବେଶ କରିଥିଲେ ବଲିଉଡ୍‌ର ମସ୍ତମସ୍ତ ଗର୍ଲ୍‌ ରବିନା ଟଣ୍ଡନ୍‌। ଓଡ଼ିଆ ଫିଲ୍ମ ତାରକାଙ୍କୁ ସମ୍ମାନ ସମେତ ଜମିଯାଇଥିଲା ନାଚ ଗୀତର ଆସର। ରବିନାଙ୍କ ପ୍ରେମ ଭରା ଅଭିବ୍ୟକ୍ତି ସାଙ୍ଗକୁ କମେଡି ସୁପରଷ୍ଟାର୍‌ ସୁନିଲ୍‌ ପଲ୍‌ଙ୍କ କୌତୁକିଆ କଥାରେ ହସିହସି ଲୋଟି ପଡ଼ିଥିଲେ ଦର୍ଶକ। ଅବସର ଥିଲା ‘ହ୍ଵାଇଟ୍‌ କାନ୍‌ଭାସ୍‌’ ପକ୍ଷରୁ ଆୟୋଜିତ ‘୮ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡ୍‌ସ’ । ପ୍ରଦର୍ଶନୀ ପଡ଼ିଆରେ ବିଶାଳ ମୁକ୍ତାକାଶ ମଣ୍ଡପରେ ସମ୍ମାନ ପ୍ରଦାନ ପର୍ବ ସହ ଖୁବ୍‌ ଜମିଥିଲା ନାଚ ଗୀତର ଆସର। ଫ୍ଲାସ୍‌ ଲାଇଟ୍‌ରେ ରବିନାଙ୍କୁ ମଞ୍ଚକୁ ସ୍ୱାଗତ ବେଳେ ରବିନାଙ୍କ ମୁହଁରୁ ବାହାରି ଆସିଥିଲା ହାଓ ପ୍ରେଟି...। ଏହି ବିରଳ ମୁହୂର୍ତକୁ ସେ ନିଜ ମୋବାଇଲ୍‌ରେ ସେଲ୍‌ଫି ନେଇ ଏହାକୁ ଇଣ୍ଟରନେଟ୍‌ରେ ସେୟାର କରିବେ ବୋଲି କହିଥିଲେ। ସେ କହିଥିଲେ, ଓଡ଼ିଶା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇ ସାରିଛି। ଓଡ଼ିଶା ସୌନ୍ଦର୍ଯ୍ୟରେ ଭରପୂର। କେହି ଯଦି କେହି ଆମ ଦେଶର ଐତିହ୍ୟର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରିବାକୁ ଚାହେଁ ତେବେ ସେ ନିଶ୍ଚେ ଓଡ଼ିଶା ଆସିବା ଉଚିତ୍‌। ମନ୍ଦିରର କାମ ଶୈଳୀ ଆଶ୍ଚର୍ଯ୍ୟଜନକ। ମୁଁ ବାରମ୍ବାର ଓଡ଼ିଶା ଆସିବି ବୋଲି ସେ କହିଥିଲେ। ସେ ଏକଥା ବି କହିଲେ, ଓଲିଉଡ୍‌ ନୁହେଁ ବରଂ ଆପଣ ଗର୍ବରେ ଆମ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ବୋଲି କୁହନ୍ତୁ ବୋଲି ସେ କହିଥିଲେ।publive-image

Advertisment

ବିଜୟ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ  publive-image
ହିରୋ ନଂ ୧ ଶ୍ରେଷ୍ଠ ଚଳଚ୍ଚିତ୍ର
ଶ୍ରେଷ୍ଠ ନିର୍ଦେଶକ ତାପସ ସରଘରିଆ
ଶ୍ରେଷ୍ଠ ଅଭିନେତା ବାବୁସାନ୍‌
ଅଭିନେତ୍ରୀ ଏଲିନା

ଏହିି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ ବିଜୟ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ୨୫ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶା ପୁଲିସ୍‌ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା, ଆୟକର କମିସନର ଶରତ କୁମାର ଦାସ, ‘ରୁଚି’ର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁ ଏବଂ ବିଶିଷ୍ଟ ଶିଳ୍ପପତି ତଥା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀ ମହାନ୍ତି ସମ୍ମାନ ଗ୍ରହଣ କରି ପ୍ରତିକ୍ରିୟାରେ କହିଲେ, ଦର୍ଶକ ହିଁ ମତେ ତିଆରି କରିଛନ୍ତି। ୪୦ ବର୍ଷ ଧରି ଦର୍ଶକଙ୍କ ପାଇଁ ରହିଛି, ରହୁଛି ଓ ରହିଥିବି ମଧ୍ୟ। ଅନ୍ୟତମ ବିଶିଷ୍ଟ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ‘ଶ୍ରେଷ୍ଠ ବହୁମୁଖୀ ପ୍ରତିଭାବାନ ଅଭିନେତା’ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ତରଙ୍ଗ ସିନେ ପ୍ରଡକ୍ସନ୍‌ ପ୍ରଯୋଜିତ ‘ହିରୋ ନଂ ୧’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିବା ବେଳେ ‘ହିରୋ ନଂ ୧’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାବୁଶାନ୍‌ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା, ‘ଅଭୟ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଏଲିନା ସାମନ୍ତରାୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ‘ତୁ ମୋ ଲଭ୍‌ଷ୍ଟୋରି’ ପାଇଁ ତାପସ ସରଘରିଆଙ୍କୁ ଶ୍ରେଷ୍ଠ ନିର୍ଦେଶକ, ଅଭୟ ଚଳଚ୍ଚିତ୍ର ପାଇଁ ମନୋଜ ମିଶ୍ରଙ୍କୁ ଶ୍ରେଷ୍ଠ ଖଳ ଅଭିନେତା, ‘କାବୁଲା ବାରବୁଲା’ ପାଇଁ ପପୁ ପମ୍‌ପମ୍‌ ତଥା ତତ୍ତ୍ୱ ପ୍ରକାଶ ଶତପଥୀଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ଟ୍ରଫି ପ୍ରଦାନ କରାଯାଇଥିଲା। ଏହିପରି ମୋଟ୍‌ ୨୮ଟି ବିଭାଗରେ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମିସ୍‌ ଏସିଆ ପେସିଫିକ୍‌ ସ୍ରିଷ୍ଟି ରାଣାଙ୍କୁ ଗୋଲ୍‌ଡେନ୍‌ ବିଉଟି ସମ୍ମାନ ପ୍ରଦାନ କରାଯାଇଥିଲା। ମମତା ଫ୍ୟାସନ୍‌ ପକ୍ଷରୁ ଫ୍ୟାସନ୍‌ ସୋ ଆୟୋଜିତ ହୋଇଥିଲା। ସିଜ୍‌ଲର୍ସ ଗ୍ରୁପ୍‌ର ବିଦୁଙ୍କ ନୃତ୍ୟ ସଂଯୋଜନାରେ ଦୀପେଶ ଓ ଅଭିପ୍ସ ଓ ସାଥୀଙ୍କ ନୃତ୍ୟ ସମେତ ଲୁବୁନ୍‌ ଟୁବୁନ୍‌ ସଂଯୋଜିତ ଅଙ୍କିତା ଓ ସାଥୀଙ୍କ ଧୁମଧଡ଼ାକା ନୃତ୍ୟ ବେଶ୍‌ ଆକର୍ଷଣୀୟ ଅନୁଭବ ଦେଇଥିଲା। ହ୍ଵାଇଟ୍‌ ହାଉସ୍‌ର ମୁଖ୍ୟ ତଥା ଏହି ଆଓ୍ଵାର୍ଡ୍‌ସର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅମିତ୍‌ ଓ ମାନସୀ। ପ୍ରଦୀପ, ଉତ୍କଳ, ଜିତେନ୍ଦ୍ର, ଅମରସିଂହ, ପ୍ରତାପ, ସନ୍ତୋଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶେଷ ନିଶ୍ୱାସ ଥିବା ଯାଏ ମନୋରଂଜନ ବାଣ୍ଟୁଥିବି

publive-image
ବାବୁସାନ୍‌ ହିରେ ନଂ ୧ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଟ୍ରଫି ଲାଭ କରି କହିଲେ, ମୋ’ର ଏ ପୁରସ୍କାର ସାରା ଓଡ଼ିଶାର ଦର୍ଶକଙ୍କର ଆଶୀର୍ବାଦର ଉପହାର। ଶେଷ ନିଃଶ୍ୱାସ ଥିବା ଯାଏଁ ମନୋରଂଜନ ବାଣ୍ଟୁଥିବି ବୋଲି ସେ କହିଥିଲେ।

ଏଲିନାଙ୍କ ପିତାମାତାଙ୍କୁ ମଞ୍ଚକୁ ଡାକିଲେ ରବିନା

publive-image
ଏଲିନା ଅଭୟ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଟ୍ରଫି ଜିତିଥିବା ବେଳେ ସେ ନିଜର ସଫଳତାର ଶ୍ରେୟ ନିଜ ବାପା ମା’ଙ୍କୁ ଦେଇଥିଲେ। ରବିନା ଏହା ବୁଝିବା ପରେ ତାଙ୍କର ବାପା ମା’ଙ୍କୁ ମଞ୍ଚକୁ ଡାକିବାକୁ କହିଥିଲେ। ମଞ୍ଚରେ ଏଲିନା ନିଜ ପିତାମାତାଙ୍କୁ ନେଇ ରବିନାଙ୍କ ସହ ଏକ ସେଲ୍‌ଫି ନେଇଥିଲେ।

ହସେଇ ବେଦମ କଲେ ସୁନିଲ୍‌ ପଲ୍‌

publive-image
ସୁନିଲ୍‌ ମଞ୍ଚ ପ୍ରବେଶ କ୍ଷଣି ହସେଇବା ଆରମ୍ଭ କରିଥିଲେ। ସେ ଏକଥା ବି କହିଥିଲେ ପପୁ ପମ୍‌ପମ୍‌ଙ୍କୁ ପୁରସ୍କାର ମିଳିବାର ଅର୍ଥ ଆମ କମେଡିକୁ ପୁରସ୍କାର। ଏମିତି କି ସେ ନିଜକୁ ପପୁ ପମ୍‌ପମ୍‌ଙ୍କ ଶିଷ୍ୟ ବୋଲି ଉଚ୍ଚାରଣ କରିଥିଲେ। ଏହା ଛଡ଼ା ଅର୍ଚିତା, ସୌରିନ୍‌ ଭଟ୍ଟଙ୍କୁ ନେଇ ମଧ୍ୟ କମେଡ଼ି କରିଥିଲେ। ଖାଲି ସେତିକି ନୁହେଁ ନିରବ ମୋଦିଙ୍କୁ ନେଇ ମଧ୍ୟ କମେଡ଼ିର ତଡ଼କା ଚଖେଇଥିଲେ।