ଭୁବନେଶ୍ୱର: ଓଡ଼ିଆ ସିନେମା ଚାଲୁନି। ମୌଳିକ ଓଡ଼ିଆ ସିନେମା ମଧ୍ୟ ତିଆରି ହେଉନି। ଓଡ଼ିଆ ଫିଲ୍ମ ପଲିସି କାର୍ଯ୍ୟକାରୀ ହେଉନି କି ସିନେମା ନିର୍ମାଣ ପାଇଁ ଆବଶ୍ୟକ ସରକାରୀ ସହଯୋଗ ନାହିଁ। ଏଭଳି ହତାଶା ଭିତରେ ଗତି କରୁଥିବା ଓଡ଼ିଶା ସିନେ ଜଗତରେ ଏବେ ନୂଆ ଆଶା ସଂଚାର ହୋଇଛି। ନୂଆ ସରକାର ଆସିବା ପରେ ଶିଳ୍ପମନ୍ତ୍ରୀଙ୍କ ସକରାତ୍ମକ ଆଭିମୁଖ୍ୟ ଓଲିଉଡ୍‌ ସହ ଜଡ଼ିତ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍‌ ପ୍ରମୁଖ ବ୍ୟକ୍ତିବିଶେଷକୁ ଆଶ୍ବସ୍ଥ କରିଛି। ଓଲିଉଡ୍‌ରେ କ'ଣ ସମସ୍ୟା ରହିଛି ଏବଂ ସମସ୍ୟାର ସମାଧାନ କିପରି କରାଯିବ ସେ ନେଇ କଳିଙ୍ଗ ଷ୍ଟୁଡିଓ ପରିସରରେ ଓଡ଼ିଶା ଚଳଚ୍ଚିତ୍ର ମହାସଂଘ ଏବଂ ବିଭାଗୀୟ ମନ୍ତ୍ରୀ, ସଚିବ ତଥା କର୍ମକର୍ତ୍ତାଙ୍କ ମିଳିତ ବୈଠକ ସରିଛି। ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ କଳିଙ୍ଗ ଷ୍ଟୁଡ଼ିଓ ବୁଲି ଦେଖିବା ସହ ଓଡ଼ିଆ ଚଳଚ୍ଚିତ୍ରର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ତର୍ଜମା କରି ଖୁବ୍ ଶୀଘ୍ର ଓଡ଼ିଆ ଚଳଚ୍ଚିତ୍ର ଉନ୍ନତି ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥିସହ ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା, ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂହ, ଇଡ୍‌କୋର ଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

Advertisment

ମହାସଂଘ ପକ୍ଷରୁ ବିଭିନ୍ନ ରାଜ୍ୟର ଚଳଚ୍ଚିତ୍ର ନୀତି, ରାଜ୍ୟରେ ଅଧିକ ସିନେମା ହଲ୍ ନିର୍ମାଣ, କଳାକାର ଏବଂ କୁଶଳୀ ଓ ଅଣକୁଶଳୀ କାରିଗର ମାନଙ୍କ ଦକ୍ଷତାର ବିକାଶ, ସ୍ୱାସ୍ଥ୍ୟବୀମା, ପ୍ରତି ବ୍ଳକ୍‌ରେ ମଲ୍‌ଟିପ୍ଲେକ୍ସ ନିର୍ମାଣ, ଫିଲ୍ମ ଆର୍କାଇଭ୍‌, ମ୍ୟୁଜିୟମ୍‌, ଏକାଡେମୀ ନିର୍ମାଣ, ସୁଦୃଢ଼ ବିତରଣ ବ୍ୟବସ୍ଥା, ଓଡ଼ିଆ ଚଳଚ୍ଚିତ୍ରକୁ ସବ୍‌ସିଡି ତଥା କଳିଙ୍ଗ ଷ୍ଟୁଡିଓର ପୁନଃନିର୍ମାଣର ବୈଷୟିକ ଦିଗ ଉପରେ ଆଲୋଚନା ସମୀକ୍ଷା ସରିଛି। ସିନେ ପଲିସି ଅସିଥିଲେ ବି ପୂର୍ବ ସରକାରରେ ଏହାକୁ ଉପଯୋଗ କରାଯାଇନଥିଲା। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ପକ୍ଷରୁ ମଧ୍ୟ ସେଭଳି ସହଯୋଗ ମିଳୁନଥିଲା। ଏବେ ବିଜେପି ସରକାର ଆସିବା ପରେ ଏସବୁ ଦାବି କେତେଦୂର ଫଳ ହେଉଛି ତା' ଉପରେ ପୂରା ଓଲିଡଡ୍‌ର ନଜର ରହିଛି। ଆଜି ମହାସଂଘ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ସହ ହୋଇଥିବା ଆଲୋଚନ ସଫଳ ହୋଇଥିବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ବୈଠକରେ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସଭାପତି ସବ୍ୟସାଚୀ ମହାପାତ୍ର, ନିର୍ଦ୍ଦେଶକ ସୁଧାଂଶୁ ସାହୁ, ତାପସ ସରଘରିଆ, ଅଭିନେତା ହରିହର ମହାପାତ୍ର, ଶ୍ରୀତମ ଦାସ, ପ୍ରଯୋଜକ ସଂଜୟ ନାୟକ, ସଂଳାପକାର ଡ. ରଜନୀ ରଂଜନ, ପ୍ରଯୋଜକ ଅତିତ୍‌ ମିଶ୍ର, ସିନେ ସାଂବାଦିକ ସୁର୍ଯ୍ୟ ଦେଓଙ୍କ ସମେତ ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଟେକ୍ନିସିଆନ ଯୋଗଦେଇଥିଲେ।