ଓଡ଼ିଶା ଲଳିତ କଳା ଏକାଡେମିର ୬୨ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମିର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଳିଙ୍ଗ ଆର୍ଟ ଗ୍ୟାଲେରିଠାରେ ୧୧ଜଣ ଶିଳ୍ପୀଙ୍କୁ ନେଇ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ଉପରେ ଆଧାରିତ ଏକ ଚିତ୍ରକଳା ଶିବିରର ଉଦ୍‌ଘାଟିତ ହୋଇଥିଲା। ବରିଷ୍ଠ ଚିତ୍ରଶିଳ୍ପୀ ତଥା ଲଳିତ କଳା ଏକାଡେମିର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ଏହାକୁ ଉଦ୍‌ଘାଟନ କରି ବିଗତ ୬୨ବର୍ଷ ମଧ୍ୟରେ ଲଳିତ କଳା ଏକାଡେମିର କଳା ଓ ଚିତ୍ରଶିଳ୍ପୀଙ୍କର ଉନ୍ନତି ପାଇଁ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ।

କଳିଙ୍ଗ ଆର୍ଟ ଗ୍ୟାଲେରି ଓ ବୁଦ୍ଧ ଆର୍ଟ ଗ୍ୟାଲେରିରେ ଚିତ୍ରକଳା ଶିବିର

ଅପରାହ୍‌ଣରେ ବୁଦ୍ଧ ଆର୍ଟ ଗ୍ୟାଲେରି, ନୀଳାଦ୍ରିବିହାରଠାରେ ଓଡ଼ିଶାର ୨୦ଜଣ ବରିଷ୍ଠ ଚିତ୍ରଶିଳ୍ପୀ ଓ ମହିଳା ଶିଳ୍ପୀଙ୍କୁ ନେଇ ତିନିଦିନିଆ ଏକ ଚିତ୍ରଶିଳ୍ପୀ ଶିବିରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉଦ୍‌ଘାଟନ କରିଥିଲେ। ଶ୍ରୀ ଦାସ କହିଥିଲେ, କଳାର ଉତ୍କର୍ଷତା ଓ ଆଦୃତି ପାଇଁ ଭୁବନେଶ୍ୱରରେ କଳିଙ୍ଗ ଆର୍ଟ ଗ୍ୟାଲେରି ଓ ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ, ଛତ୍ରପୁରଠାରେ ୫ଟି ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରି ଏକାଡେମି ପ୍ରତିଷ୍ଠା କରାଯାଇଛି। ଏହା ଶିଳ୍ପୀମାନଙ୍କର ଜିଲ୍ଲାସ୍ତରରେ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇପାରିଛି। ଏକାଡେମିର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏଥିରେ ଯୋଗଦେଇ ଓଡ଼ିଶାରେ କଳା ଓ କଳା ପ୍ରେମୀଙ୍କ ପାଇଁ ଏକାଡେମିର ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ।

ଏକାଡେମିର ସଚିବ ପଞ୍ଚାନନ ସାମଲ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶିବିରରେ ଯୋଗ ଦେଇଥିବା ୨୦ ଶିଳ୍ପୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହାସହ ଏକାଡେମିର ୫ଜଣ ଅବସରପ୍ରାପ୍ତ କର୍ମଚାରୀ ହରେକୃଷ୍ଣ ରାଉତ, ପ୍ରଫୁଲ୍ଲ ପଟ୍ଟନାୟକ, ମହେଶ୍ୱର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଦାସ ଓ ବାସୁଦେବ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ମନସ୍ବିନୀ ସାହୁ, ଉପସଭାପତି ଶ୍ରୀନିବାସ ପଢ଼ିଆରୀ, ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର