ଖଣ୍ଡଗିରି: ବେଆଇନ୍ ଭାବେ ଚାଲୁଥିବା କୋଇଲା ଖଣି ଦୁର୍ଘଟଣାରେ ଗତ ୧୩ ତାରିଖରୁ ନିଖୋଜ ହୋଇଥିବା ୧୫ ଜଣ ଶ୍ରମିକଙ୍କ ସନ୍ଧାନ ପାଇଁ ଶୁକ୍ରବାର ଓଡ଼ିଶାର ଅଗ୍ନିଶମ ବାହିନୀ ମେଘାଳୟ ଯାଉଛି। ଏକ ୨୦ ଜଣିଆ ଟିମ୍ ଉନ୍ନତ ଯନ୍ତ୍ରପାତି ଓ ୧୫ଟି ଉଚ୍ଚ ଚାପର ପମ୍ପ(ହାଇ ପ୍ରେସର ପମ୍ପ) ସହ ଉଦ୍ଧାର କାର୍ଯ୍ୟ ପାଇଁ ମେଘାଳୟ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ସକାଳ ୮ଟାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହି ଟିମ୍ ମେଘାଳୟ ଯିବ। ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଯାଉଥିବା ଏହି ଟିମ୍ରେ ସମସ୍ତ ବଛାବଛା ଦକ୍ଷ କର୍ମଚାରୀମାନଙ୍କୁ ସାମିଲ୍ କରାଯାଇଛି ବୋଲି ଫାୟାର୍ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ମେଘାଳୟ ପୂର୍ବ ଜୟନ୍ତିଆ ପର୍ବତ ନିକଟ ସାଇପୁଙ୍ଗ୍ ଅଞ୍ଚଳର ସାନ୍ ରେ ଏହି ବେଆଇନ୍ କୋଇଲା ଖଣି ଚାଲୁଥିଲା। ୨୦୧୪ ମସିହାରୁ ନେସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍ ଦ୍ବାରା ବେଆଇନ ଘୋଷଣା ହୋଇଥିବା ସତ୍ବେ ଏହି ଖଣିକୁ ମାଲିକ ଚୋରାରେ ଚାଲୁ ରଖିଥିଲେ। ଗତ ୧୩ ତାରିଖରେ ହଠାତ୍ ଖଣି ଭୁଶୁଡ଼ି ପଡ଼ିବାରୁ ସଂଲଗ୍ନ ଲାଇଟେଇନ୍ ନଦୀର ଜଳ ଖଣି ଭିତରକୁ ପଶି ଯାଇଥିଲା। ଫଳରେ ଖଣି ଭିତରେ କାମ କରୁଥିବା ସମସ୍ତ ୧୫ ଜଣ ଶ୍ରମିକ ଭିତରେ ରହି ଯାଇଥିଲେ। ଖଣିର ଗଭୀରତା ପ୍ରାୟ ୩୫୦ ଫୁଟ୍ ଓ ଭିତରେ ପ୍ରାୟ ୭୦ ଫୁଟ୍ ପାଣି ରହିଛି ବୋଲି ଆକଳନ କରରାଯାଇଛି। ଖବର ପାଇ ରାଜ୍ୟ ଅଗ୍ନିଶମ ବାହିନୀ, ଏନ୍ଡିଆର୍ଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ନିୟୋଜିତ ହୋଇଥିଲା। କିନ୍ତୁ ଖଣି ଭିତରୁ ପାଣି ବାହାର କରିବାକୁ ଲାଗିଥିବା ମାତ୍ର ୨ଟି ପମ୍ପ ଅଚଳ ହୋଇପଡ଼ିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଗତ ଦୁଇ ଦିନ ହେଲା ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ତେଣୁ ମେଘାଳୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଟିମ୍ ଏହି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଛି। ଏ ଭିତରେ ୨ ସପ୍ତାହ ବିତି ସାରିଥିବାରୁ ଖଣି ଭିତରେ ଫସି ରହିଥିବା ଶ୍ରମିକ ଜୀବିତ ଥିବା ଅସମ୍ଭବ ମନେ ହେଉଛି। କିନ୍ତୁ ପାଣି ଉପରକୁ ମାତ୍ର ୩ଟି ହେଲମେଟ୍ ଆସିଥିବାବେଳେ କୌଣସି ମୃତ ଦେହ ଆସି ନଥିବାରୁ ସେମାନେ ଭିତରେ ବଞ୍ଚିଥିବା ଅନୁମାନ କରାଯାଉଛି।
ମେଘାଳୟ ଖଣି ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ ବାହିନୀ
/sambad/media/post_attachments/wp-content/uploads/2018/12/flag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)