ଅଗ୍ନିଶମ ବିଭାଗର ଚଢ଼ଉ

ଭୁବନେଶ୍ବର : ଜିରୋ ନାଇଟ୍ ପାଳନ ପୂର୍ବରୁ ଆଜି ଅଗ୍ନିଶମ ସେବା ପକ୍ଷରୁ ବିଭିନ୍ନ ହୋଟେଲ୍‌ରେ ଚଢ଼ଉ ହୋଇଥିଲା। ବିଭାଗ ପକ୍ଷରୁ ୫ଟି ଟିମ୍‌ ଏହି ଚଢ଼ଉ କରିଥିଲେ। ୨୫ ହୋଟେଲ ମଧ୍ୟରୁ ୨୦ ହୋଟେଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଚଢ଼ଉ ବେଳେ ଜଣାପଡ଼ିଥିଲା। ଯାଞ୍ଚ ପରେ ତୁରନ୍ତ ଅଗ୍ନି ନିର୍ବାପକ ତଥା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହଜାର ହଜାର ଲୋକଙ୍କର ଜୀବନ ବାଜିରେ ଲାଗିଥିବାରୁ ଦୁଇ ଦଫାରେ ଏହି ଯାଞ୍ଚ ହୋଇଛି। ସନ୍ଧ୍ୟାରେ ମଧ୍ୟ ସମ୍ପୃକ୍ତ ୫ଟି ଟିମ୍ ସେହି ସବୁ ହୋ‌ଟେଲ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୂବର୍ରୁ ଏକ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହା ପରେ ସମସ୍ତେ ଭୁଲି ଯାଇଥିଲେ।

ରମେଶ ମାଝିଙ୍କ ଅଧୀନରେ ହୋଟେଲ ସୂର୍ଯ୍ୟାଂଶ, ନ୍ୟୁ ମାରିୟନରେ ଯାଞ୍ଚ ହୋଇଥିବା ବେଳେ ସହକାରୀ ଅଗ୍ନିଶମ ଅଧିକାରୀ ପି.କେ ଧଳଙ୍କ ନେତୃତ୍ୱରେ ହୋଟେଲ କଳିଙ୍ଗ ଅଶୋକ, ପୁଷ୍ପକ ଆଦି ଯାଞ୍ଚ ହୋଇଛି। ଅଗ୍ନିଶମ ଅଧିକାରୀ ଏସ.କେ ବେହେରା ହୋଟେଲ ଶୀତଲ, ହୋଟେଲ ଏମ୍ପାୟାରର୍ସ, ମିଲନ୍ଦ ପ୍ୟାଲେସ, ଇଡେନ ରକ, ଗ୍ରିନ ଫିଲ୍ଡ, ଏକ୍ସେଲେନ୍ସ ପ୍ରମୁଖ ହୋଟେଲ ଯାଞ୍ଚ ହୋଇଛି। ରାତିରେ ଅର୍ଥାତ୍‌ ଦ୍ବିତୀୟ ଦଫାରେ ପାଖାପାଖି ୨୫ ହୋଟେଲ ଯାଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର