ଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ

ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ

ଭୁବନେଶ୍ବର: ଛେଳି ପାଳନ ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କ ଜୀବିକାର୍ଜନର ଏକ ପ୍ରମୁଖ ମାଧ୍ୟମ। ଛେଳିଙ୍କ କୃତ୍ରିମ ପ୍ରଜନନ ଉଚ୍ଚ ଗୁଣବତ୍ତାସଂପନ୍ନ ଛେଳି ଉତ୍ପାଦନରେ ସହାୟକ ହେବ। ଏହା ଦ୍ୱାରା ପ୍ରାଣୀସଂପଦର ବିକାଶ, ଛେଳିଚାଷୀଙ୍କ ଆୟ ବୃଦ୍ଧି ସହିତ ମାଂସ ଉତ୍ପାଦନ ବୃଦ୍ଧି ପାଇବ ବୋଲି କୃଷି ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। କୃଷି ଭବନଠାରେ ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ କହିଛନ୍ତି ଯେ ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପରେ ସାରା ରାଜ୍ୟରେ କାର୍ଯ୍ୟକାରୀ କରୁଛି।

ସେ ଆହୁରି କହିଛନ୍ତି ଯେ ଏହି ପ୍ରକ୍ରିୟା କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ, ଅନୁସୂଚିତ ଜାତି ଓ ଜନଜାତିଙ୍କ ଆୟ ବୃଦ୍ଧିରେ ସହାୟକ ହେବ। କମ୍‌ ସଂଖ୍ୟକ ଛେଳି ପାଳନ କରୁଥିବା ଚାଷୀଙ୍କ ପକ୍ଷେ ପ୍ରଜନନ ନିମନ୍ତେ ବୋଦା ପାଳିବା ସମ୍ଭବ ନୁହେଁ। ଛେଳିଙ୍କ ଜେନେଟିକ୍‌ ଉନ୍ନତି ଏବଂ ଉଚ୍ଚମାନର ଛେଳି ଉତ୍ପାଦନ ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଜ୍ୟରେ ଉପଲବ୍ଧ ବ୍ଲାକ୍‌ ବେଙ୍ଗଲ୍‌ ଏବଂ ଗଞ୍ଜାମ ପ୍ରଜାତିର ଛେଳିର ଶୁକ୍ରାଣୁ ବ୍ୟବହାର କରି ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ କରାଯିବ। ହିତାଧିକାରୀ ଚୟନ ଓ ଏହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସ୍ତରରେ ଏକ ପାରଦର୍ଶୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ କମିସନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ କୃତ୍ରିମ ପ୍ରଜନନ ପରେ ଛେଳିମାନଙ୍କ ଚିହ୍ନଟ ପାଇଁ କାନ ନୋଳି ପିନ୍ଧାଯିବ। ଉଭୟ ଛେଳି ଓ ହିତାଧିକାରୀଙ୍କ ସବିଶେଷ ତଥ୍ୟ ସହିତ କୃତ୍ରିମ ପ୍ରଜନନ ମାଧ୍ୟମରେ ଜନ୍ମ ହୋଇଥିବା ଛେଳିମାନଙ୍କ ତଥ୍ୟ ଲିପିବଦ୍ଧ କରାଯିବ। ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ପ୍ରାଣୀ ସଂପଦ ବିକାଶର ବିଭିନ୍ନ ଯୋଜନା ସଂପର୍କିତ ଏକ ବହି ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ସମେତ ରାଜ୍ୟର ଛଅଟି ଜିଲ୍ଲାରୁ ଆସିଥିବା ଛେଳି ଚାଷୀ ଏବଂ ସମସ୍ତ ଜିଲ୍ଲାର କ୍ଷେତ୍ର ଅଧିକାରୀ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର