ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ‘ଇଣ୍ଡିଆ ଟୁଡେ’ ପକ୍ଷରୁ ପୁରସ୍କୃତ କରାଯାଇଛି। ‘ଉତ୍ସବ ପର୍ଯ୍ୟାୟ’ରେ ପୁରୀରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ପାଇଁ ପ୍ରଥମ ରନର୍ସ ଅପ୍ ପୁରସ୍କାର ମିଳିଛି। ଆଜି ଅପରାହ୍‌ଣରେ ଇଣ୍ଡିଆ ଟୁଡେ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ପୁରସ୍କାର ଗ୍ରହଣ କରିଥିଲେ। କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେ ଜେ ଆଲ୍‌ଫୋନ୍ସ ପୁରସ୍କାର ପ୍ରଦାନ କରିଥିଲେ। ଇଣ୍ଡିଆ ଟୁଡେ ସମ୍ପାଦକ ରାଜ ଚେଙ୍ଗପା, ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ରୀତା ବହୁଗୁଣାଙ୍କ ସମେତ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଦିଲ୍ଲୀସ୍ଥିତ ଯୁଗ୍ମ ଆବାସିକ କମିସନର୍ ରୀନା ମହାପାତ୍ର ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁବ୍ରତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

Advertisment

ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପର୍ଯ୍ୟଟନର ବିକାଶ ସମ୍ପର୍କିତ କିଛି ପ୍ରସଙ୍ଗ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା ଉପସ୍ଥାପନ କରିଥିଲେ। ବିଶେଷକରି ଓଡ଼ିଶାର ବୌଦ୍ଧ ସର୍କିଟ୍ ପର୍ଯ୍ୟଟନସ୍ଥଳଗୁଡ଼ିକ ଉପରେ ଯଥାର୍ଥ ବିଚାର କରିବା ନିମନ୍ତେ ସେ ଦାବି କରିଥିଲେ। ଏହାସହ ଓଡ଼ିଶାକୁ ବିଭିନ୍ନ ଦେଶରୁ ଆନ୍ତର୍ଜାତିକ ବିମାନ ସେବା ଉପରେ କେନ୍ଦ୍ର ବିଚାର କରିବାକୁ ‌େସ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ବହୁ ଆଗରୁ ଉପସ୍ଥାପିତ କରିଥିବା ଆବେଦନ ତଥା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ମଞ୍ଜୁର କରିବା ପାଇଁ ମନ୍ତ୍ରୀ ଦାବି ଜଣାଇଥିଲେ।