ନନ୍ଦନକାନନ ବୁଲିଲେ ରାଜ୍ୟପାଳ : ଜୀବଜନ୍ତୁ ଦେଖିଲେ, କୁନି ପର୍ଯ୍ୟଟକଙ୍କୁ କୋଳରେ ଧରି ଫଟୋ ଉଠାଇଲେ

ବାରଙ୍ଗ : ରାଜ୍ୟପାଳ ପ୍ରଫେସର୍‌ ଗଣେଶୀଲାଲ ଆଜି ସପରିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଅପରାହ୍‌ଣ ୨ଟା ୪୫ରେ ରାଜ୍ୟପାଳଙ୍କ ଗାଡ଼ି ନନ୍ଦନକାନନରେ ପହଞ୍ଚିବା ପରେ ନନ୍ଦନକାନନ ମୁଖଶାଳା ପାଖରୁ ତାଙ୍କୁ କର୍ତୃପକ୍ଷ ଓ କର୍ମଚାରୀ ଗେଷ୍ଟ ହାଇସ୍‌ (ପାନ୍ଥନିବାସ)କୁ ପାଛୋଟି ନେଇଥିଲେ। ସେଠାରେ କିଛି ସମୟ ଅତିବାହିତ କରିବା ପରେ ରାଜ୍ୟପାଳ ସପରିବାରେ ନନ୍ଦନକାନନ ପରିସର ବୁଲି ଦେଖିଥିଲେ। ନନ୍ଦନକାନନର ୩ଟି ବ୍ୟାଟେରି ଚାଳିତ ଗାଡ଼ି ସାହାଯ୍ୟରେ କର୍ତୃପକ୍ଷ କର୍ମଚାରୀ ବୁଲାଇଥିଲେ। ପ୍ରଥମେ ପାଦଚଲା ମୁକ୍ତ ପକ୍ଷୀବିହାର ପରିଦର୍ଶନ କରିବା ପରେ ଭାଲୁ, କଲରାପତରିଆ ବାଘ ଓ ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ। ସେଠାରେ ମା’ ଠାରୁ ଅଲଗା କରି ଲାଳନ ପାଳନ କରାଯାଉଥିବା ବାଘୁଣୀ ଅଙ୍କିତା ଓ ସୈଫ୍‌ ମିଳନରୁ ଜନ୍ମିତ ୬ ମାସର ମାଈ ଶାବକକୁ ଦେଖିଥିଲେ। ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଡ. ଶରତ ସାହୁଙ୍କଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ। ପରେ ବାଘ ଓ ସିଂହଙ୍କୁ ବୁଲି ଦେଖିଥିଲେ। ବିରଳ କଳା ପଟା ଚିହ୍ନ ଥିବା ବାଘ ଭିକି ଓ ତାର ଦୁଇ ଭଉଣୀ ଧଳା ବାଘୁଣୀ ଚିନୁ, ମୌସୁମୀଙ୍କୁ ଦେଖି ଖୁସି ହୋଇଥିଲେ।

ପରେ ରାତ୍ରିଚର ଜୀବଘର ବୁଲିଦେଖି ସାରି ଜିରାଫ ଦେଖି ସିଧା ନନ୍ଦନକାନନ ପରିସରର କାଞ୍ଜିଆ ହ୍ରଦ ଡଙ୍ଗା ଘାଟକୁ ଯାଇଥିଲେ। ସେଠାରେ ରାଜ୍ୟପାଳ ଏକ ଚୌକିରେ ବସି ୨୦ ମିନିଟ୍‌ କାଳ ହ୍ରଦର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ବୋଟିଂର ମଜ୍ଜା ନେଇଥିଲେ। ବୋଟ ଘାଟରେ ରାଜ୍ୟପାଳ ବୁଲି ଆସିଥିବା ଦୁଇଜଣ କୁନି ପର୍ଯ୍ୟଟକଙ୍କୁ କୋଳରେ ଧରି ଫଟୋ ଉଠାଇବାର ସୁଯୋଗ ଦେଇଥିଲେ। ଯାହା ଉପସ୍ଥିତ ପର୍ଯ୍ୟଟକ ଓ ନନ୍ଦନକାନନ କର୍ତୃପକ୍ଷ, କର୍ମଚାରୀଙ୍କୁ ବେଶ୍‌ ଆନନ୍ଦିତ କରିଥିଲା। ନନ୍ଦନକାନନ ପରିସରରେ ୨ଘଣ୍ଟା ୧୫ମିନିଟ୍‌ ବିତାଇବା ପରେ ରାଜ୍ୟପାଳ ଅପରାହ୍ଣ ୫ଟା ବେଳେ ତାଙ୍କ ଗାଡ଼ିରେ ରାଜଭବନ ପ୍ରତ୍ୟାବର୍ତ୍ତନ କରିଥିଲେ। ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ରେଞ୍ଜ ଅଫିସର ଅଶୋକ କୁମାର ଦାସ, ସମୀର କୁମାର ସାହୁଙ୍କ ସମେତ କର୍ମଚାରୀମାନେ ବୁଲାଇ ଦେଖାଇବା ସହ ସମସ୍ତ ବିଷୟରେ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର