ଓଡ଼ିଶା ସରକାରୀ କଲେଜ ଅବସରପ୍ରାପ୍ତ ଶିକ୍ଷକ ସଂଘର ଅଧିବେଶନ

ଆତ୍ମଜୀବନୀ ପଢ଼ିବାର ଅନୁକୂଳ ପରିବେଶ ସୃଷ୍ଟି ହେଉ

ଭୁବନେଶ୍ବର: ଓଡ଼ିଶାର ଇତିହାସକୁ ଯେଭଳି ବୁଝିବା ଓ ବୁଝେଇବା କଥା ତାହା ହୋଇପାରିନାହିଁ। ଆତ୍ମଲିପି ଏହି ଅଭାବକୁ ଅନେକାଂଶରେ ଦୂର କରିବ। ତେଣୁ ଘର ଭିତରେ ଆତ୍ମଜୀବନୀ ପଢ଼ିବାର ଅଭ୍ୟାସ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଉଚିତ୍‌ ବୋଲି କହିଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ଓଡ଼ିଶା ସରକାରୀ କଲେଜ୍‌ ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଲୋହିଆ ଏକାଡେମିରେ ଅନୁଷ୍ଠିତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ବୃତ୍ତି ପ୍ରତି ଅଭିମାନ ଓ ଅନୁରାଗ ରହିବା ଦରକାର। ପଇସା, ବୃତ୍ତି, ପ୍ରତିପତି ଦୃଷ୍ଟିରୁ ଅଧ୍ୟାପନା ଶ୍ରେଷ୍ଠ ବୃତ୍ତି ବୋଲି କହିବା ସହ ଆର ଜନ୍ମରେ ଅଧ୍ୟାପକ ହେବାକୁ ଚାହିଁବି ବୋଲି ସେ କହିଥିଲେ। ଏଥିସହ ଶ୍ରୀ ପଟ୍ଟନାୟକ ତାଙ୍କର ‘ଷାଠିଏ ଛୁଇଁଲା, ନୂଆ ଜୀବନ ଆରମ୍ଭ ହେଲା’ ସ୍ଳୋଗାନ ସହ ପରିପୂର୍ଣ୍ଣ ଜୀବନକୁ ସାର୍ଥକ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ସଂଘର ଉପଦେଷ୍ଟା ମହମ୍ମଦ ଫକିରୁଦ୍ଦିନ୍‌ଙ୍କ ଇଂରାଜୀ ଜୀବନୀ ପୁସ୍ତକ ‘ହିରୋ ଅର୍‌ ଭିଲେନ୍‌’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶ୍ରୀ ଫକିରୁଦ୍ଦିନ୍‌ ଏଥିରେ ଲେଖିଥିବା ନିଜ ଶିକ୍ଷକ ଜୀବନର ଇତ୍ତିବୃତ୍ତି ସମ୍ପର୍କରେ କହିଥିଲେ। ଶିକ୍ଷକତା ସମୟରେ ପ୍ରଶାସନିକ ଅବହେଳା, ରାଜନୈତିକ ବିଭେଦ ଭଳି ବହୁ ତିକ୍ତ ଅନୁଭୂତି ସମ୍ପର୍କରେ ସେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଉପଦେଷ୍ଟା ପ୍ରଫେସର ଅମୂଲ୍ୟ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସଭାପତି କମଳା ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଓଡ଼ିଶାରେ ଶିକ୍ଷା: ଆହ୍ବାନ ଓ ସମ୍ଭାବନା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସଂଘର ସାଧାରଣ ସମ୍ପାଦକ ରବିନାରାୟଣ ପାତ୍ର ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଗିରିଜା ଶଙ୍କର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚ୍ୟ ବିଷୟ ଉପରେ ସତ୍ୟକାମ ମିଶ୍ର, କମଳାପ୍ରସାଦ ମହାପାତ୍ର, ଅଭୟ କୁମାର ସାହୁ, ନିରଦ ଚରଣ ଖୁଣ୍ଟିଆ ଏବଂ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର