ନିଜେ କିଣିଥିବା ଜମିର ମାଲିକାନା ପାଇପାରିଲେ ନାହିଁ, ସ୍ଥିତିବାନ କରିବାକୁ କୁନ୍ଥକୁନ୍ଥ କାହିଁକି?

ଉତ୍ତରାଧିକାରୀଙ୍କ ନାମକୁ ପରିବର୍ତନ ହୋଇପାରୁନି ଜମି ମାଲିକାନା

ଭୁବନେଶ୍ବର: ସରକାରଙ୍କ ସର୍ତ୍ତ ମୁତାବକ, ହାଉସିଂ ସ୍କିମ୍‌ରେ ଜମି କିଣିଲେ। ସମୟସୀମା ମଧ୍ୟରେ ନିର୍ଧାରିତ ଅର୍ଥ ବି ପଇଠ କଲେ। ରାଜଧାନୀରେ ଘର କରିବାର ସ୍ବପ୍ନ ନେଇ ଅଶି ଦଶକ ଆରମ୍ଭରୁ ଆଚାର୍ଯ୍ୟ ବିହାରର ବାସିନ୍ଦା ବୋଲାଇଲେ। ଅଥଚ ୫୦ବର୍ଷ ପରେ ମଧ୍ୟ ନିଜେ କିଣିଥିବା ଜମିର ମାଲିକାନା ପାଇପାରିଲେ ନାହିଁ। ଆଚାର୍ଯ୍ୟବିହାରର ମୂଳ ବାସିନ୍ଦାମାନେ ଜମିର ମାଲିକାନା ପାଇଁ ବିଧାୟକ, ମୁଖ୍ୟ ସଚିବ ସମସ୍ତଙ୍କ ନିକଟରେ ନେହୁରା ହୋଇଛନ୍ତି। ହେଲେ ସମସ୍ତେ ଯେମିତି ସେମାନଙ୍କ ପାଇଁ ମୂକ ପାଲଟି ଯାଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲିଜ୍‌ ହୋଲ୍‌ଡରେ ଥିବା ଏହି ବାସିନ୍ଦାମାନେ ନା ନିଜ ଜାଗାକୁ ନିଜ ଉତ୍ତରାଧିକାରୀଙ୍କ ନାମକୁ ପରିବର୍ତନ କରିପାରୁଛନ୍ତି ନା ଜମିର ମାଲିକାନା ଜାହିର କରି ଅସୁବିଧା ପଡ଼ିଲେ ଏହାକୁ ବ୍ୟାଙ୍କରେ ବନ୍ଧକ ରଖି ପାରୁଛନ୍ତି। ବିକିବା ତ କସ୍ମିନ କାଳେ ସମ୍ଭବ ହେଉନାହିଁ। ଲିଜ୍‌ ହୋ‌ଲ୍‌ଡରୁ ଫ୍ରି-ହୋଲ୍‌ଡ୍‌ ହୋଇପାରି ନ ଥିବାରୁ ଜମିକୁ ସରକାର କୌଣସି ସମୟରେ ନେଇଯିବାର ସଂଶୟ ମଧ୍ୟ ରହିଛି। ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବିଭାଗ ସାଧାରଣ ପ୍ରଶାସନ ବିଭାଗ (ଜିଏ)ଠାରୁ ଜାଗା ଆଣି ଏଠାରେ ୧୯୭୧ ମସିହାରେ ହାଉସିଂ ସ୍କିମ୍‌ର ଶୁଭାରମ୍ଭ କରିଥିଲା। ୧୬୫ଜଣଙ୍କୁ ସେମାନଙ୍କ ଆୟ ଭିତ୍ତିରେ ଏହି ସ୍କିମ୍‌ ଅଧୀନରେ ଜାଗା ଓ ଘର ଯୋଗାଇ ଦିଆଯାଇଥିଲା। ଏମ୍-୪, ଏଲ-୩, ଏମ-୫, ଏମ-୬ ଢାଞ୍ଚାରେ ଘର ପ୍ରସ୍ତୁତ କରି ସେତେବେଳେ ଦିଆଯାଇଥିଲା। ଲୋକେ ଇନଷ୍ଟଲମେଣ୍ଟ ସୂତ୍ରରେ ଏହାକୁ କିଣିଥିଲେ। ୩ଟି ପର୍ଯ୍ୟାୟରେ ଏହା ସେମାନଙ୍କ ହାତକୁ ହସ୍ତାନ୍ତର ହୋଇଥିଲା। ପ୍ରଥମେ ଏଗ୍ରିମେଣ୍ଟ ଟୁ ସେଲ୍‌ ଅର୍ଥାତ ବିକ୍ରି ପାଇଁ ଚୁକ୍ତି ହୋଇଥିଲା। ପରେ ସେଲ୍‌ ଡିଡ୍‌ ଅର୍ଥାତ ସମସ୍ତ ପଇସା ପଇଠ କଲା ପରେ ଲିଜ୍‌ ହୋଲ୍‌ଡ କାଗଜପତ୍ର ଧରାଇ ଦିଆଯାଇଥିଲା। ମାତ୍ର ଏହାକୁ ଆଉ ଫ୍ରି-ହୋଲ୍‌ଡ ତଥା ସ୍ଥିତିବାନ କରାଗଲା ନାହିଁ।

୧୯୭୨-୭୩ ମସିହା ଆଡ଼କୁ ଏଠାରେ ଲୋକେ ରହିବା ଆରମ୍ଭ କରିଥିଲେ। ତେଣୁ ସେତେବେଳେ ରାଜଧାନୀ ଓ ଏହାର ଆଖପାଖରେ ଚାକିରି କରିଥିବା ଲୋକେ ରାଜଧାନୀରେ ନିଜର ସ୍ଥାୟୀ ଠିକଣା ତିଆରି କରିଥିଲେ। ଇତିମଧ୍ୟରେ ୫୦ବର୍ଷ ବିତି ସାରିଥିବା ବେଳେ ସେଇ ପୁରୁଣା ବାସିନ୍ଦାଙ୍କ ମଧ୍ୟରୁ ୪୦ରୁ ଅଧିକ ଲିଜ୍‌ ହୋଲ୍‌ଡର ତଥା ଜମି ଗ୍ରାହକଙ୍କର ମୃତ୍ୟୁ ହୋଇଗଲାଣି। ତେଣୁ ଅଧିକାଂଶ ପ୍ଲଟ୍‌ ‌ଏବେ ସେଇ ମୃତ ଲୋକଙ୍କ ନାମରେ ରହିଯାଇଛି। ତାହା ତାଙ୍କର ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତର କରି ନ ପାରିବାର ଦୁଃଖ ନେଇ ସେମାନେ ଇହଧାମ ତ୍ୟାଗ କରିଛନ୍ତି। ଏଣେ ଜମିର ମାଲିକାନା ନିଜ ନାମକୁ ଆସି ନ ଥିବାରୁ ଏନେଇ ସେମାନଙ୍କର ଉତ୍ତରାଧିକାରୀମାନେ ବି ଚିନ୍ତାରେ ପଡ଼ିଗଲେଣି। କେମିତି, କେଉଁ ଆଧାରରେ ଜମିଗୁଡ଼ିକ ସେମାନଙ୍କ ନାମକୁ ପରିବର୍ତନ ହେବ ନା ତାଙ୍କ ଅମଳ ବି ବିତିଯିବ ସେନେଇ ବାସିନ୍ଦାମାନେ ଚିନ୍ତାରେ ପଡ଼ିଗଲେଣି। ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଭାଗବତ ପ୍ରସାଦ ଦାସଙ୍କ କହିବା ମୁତାବକ, ଏହି ସମସ୍ୟା ନେଇ ପରିଷଦ ପକ୍ଷରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭେଟିଛୁ। ସେ ମଧ୍ୟ ଏ ସମ୍ପର୍କରେ ମୁଖ୍ୟ ସଚିବଙ୍କୁ ଜଣାଇଛନ୍ତି। ଏ ବାବଦରେ ପଦକ୍ଷେପ ନେବା ପାଇଁ ବାସିନ୍ଦାମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ୨୦୧୫ରୁ ଏ ପର୍ଯ୍ୟନ୍ତ ଆଚାର୍ଯ୍ୟ ବିହାର ବାସିନ୍ଦାମାନେ ନିଜର ହକ୍‌ ମାଗୁଥିଲେ ହେଁ ତାହା ତାଙ୍କୁ ଯୋଗାଇ ଦିଆଯାଇନାହିଁ। ଆଚାର୍ଯ୍ୟବିହାର ବାସିନ୍ଦାଙ୍କ ଉପରେ ଦୁଃଖ ଯେମିତି ଗୋଟେ ପରେ ଗୋଟେ ମାଡ଼ି ବସିଛି। ମାଲିକ ହୋଇ ମଧ୍ୟ ନିଜ ଘରର ମାଲିକ ବୋଲାଇ ପାରୁ ନଥିବା ଦୁଃଖ ବେଶି ବାଧୁଛି ବୋଲି ସେମାନେ କହିଛନ୍ତି। ତେଣୁ ଏଠାରେ ଜମି ଓ ଘର କିଣି ଯେମିତି ଭୁଲ କରିଦେଇଛନ୍ତି ବୋଲି ଅନେକ କହିବା ଆରମ୍ଭ କଲେଣି। ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବାସିନ୍ଦାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର