ଓଡ଼ିଶା ହେମାଟୋଲୋଜିର ୧୧ତମ ସମ୍ମିଳନୀ ଉଦ୍‌ଘାଟିତ

ହେମାଟୋଲୋଜି ବିଭାଗକୁ ଗୁରୁତ୍ବ ଦେବାର ସମୟ ଆସିଛି

ଭୁବନେଶ୍ବର: ‌ଅନ୍ତର୍ଜାତୀୟ ହେମାଟୋଲୋଜି ସିଏମ୍‌ଇ ଓ ଓଡ଼ିଶା ହେମାଟୋଲୋଜିର ୧୧ତମ ଦୁଇ ଦିନିଆ ସମ୍ମିଳନୀ ଆଜି ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ଶ୍ରୀ ଲାଲ କହିଲେ, ଜଣେ ରୋଗୀର ଜୀବନ ବଞ୍ଚାଇବା ପାଇଁ ଡାକ୍ତର ସବୁପ୍ରକାର ଉଦ୍ୟମ କରିଥାଏ। ଏ ସମୟରେ ଡାକ୍ତର ରୋଗୀଟିକୁ ନିଜର ବୋଲି ଭାବିଥାଏ। କହିବାକୁ ଗଲେ, ଡାକ୍ତର ହେଉଛନ୍ତି ଆତ୍ମଘୋଷିତ ସୈନିକ। ଏମ୍‌ସ ଭୁବନେଶ୍ବର ନିର୍ଦେଶକ ପ୍ରଫେସର ଗୀତାଞ୍ଜଳି. ବି କହିଲେ, ରକ୍ତହୀନତାର ଶିକାର ହେଉଥିବା ଶିଶୁମାନଙ୍କ ଉପରେ ଗୁରୁତ୍ବ ଦେବାକୁ ହେବ। ରକ୍ତହୀନତାର ଶିକାର ହେଉଥିବା ବ୍ୟକ୍ତବିଶେଷଙ୍କ ପାଇଁ ଔଷଧ କମ୍ପାନିମାନେ ଆଗେଇ ଆସିବା ଦରକାର। ଏଭଳି ଔଷଧ ଶସ୍ତା ହେବା ସହ କୌଣସିପ୍ରକାର ପାର୍ଶ୍ବ ପ୍ରତିକ୍ରିୟାବିହୀନ ହେବା ଦରକାର ବୋଲି ସେ କହିଥିଲେ। ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଅମିତ ବାନାର୍ଜୀ କହିଲେ, ଗତ କିଛି ଦଶନ୍ଧି ଧରି ଚିକିତ୍ସା ବିଜ୍ଞାନରେ ବିବିଧତା ଆସିଛି। ଆଜିର ସମୟରେ ଜଣେ ଡାକ୍ତରୀ ଛାତ୍ର ପାଇଁ ପିଜି ସର୍ବାଧିକ ଯୋଗ୍ୟତା ହୋଇ ରହିନାହିଁ। ପିଜି ପରେ କୌଣସି ଏକ ବିଷୟରେ ବିଶେଷଜ୍ଞ ହେବାକୁ ପଡ଼ୁଛି। ଆଜିର ପରିସ୍ଥିତିରେ ଲାବୋରେଟାରି ଓ କ୍ଲିନିକାଲ ହେମାଟୋଲୋଜି ଏକାଠି ହୋଇ କାମ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ବାନାର୍ଜୀ କହିଥିଲେ। ଏସ୍‌ସିବି ମେଡିକାଲ କଲେଜ କ୍ଲିନିକାଲ ହେମାଟୋଲୋଜି ବିଭାଗର ପ୍ରଫେସର ଡା. ରବୀନ୍ଦ୍ର କୁମାର ଜେନା କହିଲେ, ଦେଶରେ ଆଜି ‌ବି ହେମାଟୋଲୋଜି ବିଭାଗକୁ ଯେତିକି ଗୁରୁତ୍ବ ମିଳିବା କଥା ମିଳିନାହିଁ। ଅନେକ ରାଜ୍ୟରେ ହେମାଟୋଲୋଜିକୁ ଗୁରୁତ୍ବ ଦିଆଯାଇଥିବା ବେଳେ ବହୁତ ରାଜ୍ୟରେ ଏଭଳି କୌଣସି ବିଭାଗ ନାହିଁ। ଯେଉଁ ରାଜ୍ୟରେ ହେମାଟୋଲୋଜି ବିଭାଗ ରହିଛି, ତାହା କିଛି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଉପଲବ୍ଧ ହେଉଛି। ତେଣୁ ଅନ୍ୟ ବିଭାଗଗୁଡ଼ିକ ଭଳି ହେମାଟୋଲୋଜିକୁ ମଧ୍ୟ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ପ୍ରଫେସର୍‌ ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‌‌‌ଓଡ଼ିଶା ହେମାଟୋଲୋଜି ସୋସାଇଟିର ସଭାପତି ଡା. ନିରଜଂନ ତ୍ରିପାଠୀ ଓ ସାଂଗଠନିକ ସଂପାଦକ ଡା. ପ୍ରିୟଙ୍କା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀରେ ରାଜ୍ୟ, ଦେଶ ତଥା ଦେଶ ବାହାରର ବହୁ ଡାକ୍ତର ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର