ଭୁବନେଶ୍ବର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲି ଓ ଆଇଟିଆଇ ଫେଷ୍ଟ୍କୁ ଆଜି କଳିଙ୍ଗ ଷ୍ଟାଡିୟମ୍ରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଘଡ଼େଇ କହିଲେ, ବର୍ତ୍ତମାନ ସମୟରେ ଓଡ଼ିଶା ସମଗ୍ର ପୃଥିବୀରେ ସ୍ପୋର୍ଟସ୍ ହବ୍ ଭାବେ ସୁପରିଚିତ। ରାଜ୍ୟ ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଉଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ବ୍ୟାପକ ଭାବେ ଦକ୍ଷତା ବିକାଶ କରିବା। ଏହାସହ ଓଡ଼ିଶା ମାଟିର ଖଣିଜ ସମ୍ପଦକୁ ନେଇ ରାଜ୍ୟର ଅର୍ଥନୈତିକ ଓ କର୍ମନିଯୁକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟର ସମସ୍ତ ପଲିଟେକ୍ନିକ୍ (ଆଇଟିଆଇ) ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ଘଡ଼େଇ ଆହ୍ୱାନ ଦେଇଥିଲେ।
ବିଭଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଲେ, ପୂର୍ବରୁ ଦେଶରେ କ୍ରୀଡ଼ା ନାମ ଉଠିଲେ କେବେ ପଞ୍ଜାବ, ହରିୟାନା ରାଜ୍ୟକଥା କୁହାଯାଉଥିଲା। ହେଲେ ଏବେ ଓଡ଼ିଶାର ନାମ ଆସୁଛି। ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତୁ। ଛାତ୍ରଛାତ୍ରୀଙ୍କର ସ୍ପୋର୍ଟସ୍ରେ ଆଗ୍ରହ ରହିଲେ ସ୍ବତଃପ୍ରବୃତ୍ତ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଆଗ୍ରହ ସୃଷ୍ଟି ହେବ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ରେଘୁ ଜି.ଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ମଣ୍ଡଳସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଡିପ୍ଲୋମା ଇଂଜିନିୟରିଂ ଏବଂ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଚାରିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ।