ପେଟିଏମ୍‌ ନକଲି ଏଜେଣ୍ଟ ଲୁଟିଲେଣି ୨୦ ଲକ୍ଷ : କୋଲକାତାରୁ ଫୋନ୍; ଦିଲ୍ଲୀ, ମୁମ୍ବାଇର ଆକାଉଣ୍ଟକୁ ଟ୍ରାନ୍‌ସଫର୍

ଓଡ଼ିଶାକୁ ସତର୍କ କଲା କ୍ରାଇମବ୍ରାଞ୍ଚ

କଟକ: ଓଡ଼ିଶାରେ ବରିଷ୍ଠ ନାଗରିକଙ୍କୁ ସାଇବର ଅପରାଧୀଙ୍କ ବିପଦ ବଢ଼ିଯାଇଛି। ପେଟିଏମ୍‌ କଷ୍ଟମର କେୟାର ଏଜେଣ୍ଟ ପରିଚୟରେ ସାଇବର୍ ଅପରାଧୀ ରାଜ୍ୟରୁ ଚଳିତବର୍ଷ ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିନେଲେଣି। ଆଧୁନିକ ଜ୍ଞାନକୌଶଳ ସହିତ ଅପରିଚିତ ଥିବାରୁ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଉଛି। ଜଣେ ବରିଷ୍ଠ ନାଗରିକଙ୍କ ୧୦ ଲକ୍ଷ ଟଙ୍କା ଲୁଟ୍ ମାମଲା ଦୁଇଦିନ ତଳେ ରୁଜୁ ପରେ କ୍ରାଇମବ୍ରାଞ୍ଚ ଆଜି ଓଡ଼ିଶାବାସୀଙ୍କୁ ସତର୍କ କରି‌େଦଇଛି। କେଓ୍ୱାଇସି ଅପଡେଟ୍ ନାଁରେ ମୋବାଇଲରେ କୁଇକ୍ ସପୋର୍ଟ, ଟିମ୍ ଭିଉଅର ଏବଂ ଏନି ଡେସ୍କ ଭଳି ଆପ୍ଲିକେସନ୍ ଡାଉନଲୋଡ କରିବାକୁ ପରାମର୍ଶ ଦେଉଥିବା ନକଲି ଏଜେଣ୍ଟଙ୍କ ପ୍ରତି ସତର୍କ ରହିବାକୁ କୁହାଯାଇଛି। କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ହୋଇଥିବା ବେଳେ ସମସ୍ତ ଫୋନ୍ କଲ୍ ପଶ୍ଚିମବଙ୍ଗରୁ ଆସୁଥିବା ସୂଚନା ମିଳିଛି। ପେଟିଏମ୍‌ ଏଜେଣ୍ଟ ପରିଚୟ ଦେଉଥିବା ଅପରାଧୀ କୋଲକାତାରୁ ନିୟନ୍ତ୍ରଣ କରୁଥିବା ବେଳେ ମୁମ୍ବାଇ, ଦିଲ୍ଲୀର ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର କରୁଛନ୍ତି। ଟଙ୍କା ଲୁଟିବା ପରେ ଉକ୍ତ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର୍ କରାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

ସୂଚନା ଅନୁଯାୟୀ, ଲକ୍‌ଡାଉନ ସମୟରେ ଘରେ ରହୁଥିବା ବରିଷ୍ଠ ନାଗରିକଙ୍କ ମୋବାଇଲକୁ ଅଜଣା ନମ୍ବରରୁ କଲ୍ କିମ୍ବା ମ୍ୟାସେଜ୍ ଆସୁଛି। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ପେଟିଏମ୍‌ କଷ୍ଟମର କେୟାର ଏଜେଣ୍ଟ ପରିଚୟ ଦେଇ ପେଟିଏମ୍ ଵାଲେଟ୍‌ କିମ୍ବା ପେଟିଏମ୍ କେଵାଇସି ଅବୈଧ ହୋଇଯାଇଥିବା ହିନ୍ଦୀରେ କହୁଛନ୍ତି। ବରିଷ୍ଠ ନାଗରିକ ହୋଇଥିବାରୁ କେଵାଇସି ଅପଡେଟ୍ କରିବାକୁ ସ୍ବୀକୃତିପ୍ରାପ୍ତ ଦୋକାନକୁ ଯିବା ସମ୍ଭବପର ହେଉ ନଥିବାରୁ ଅନ୍‌ଲାଇନରେ କେଵାଇସି ଅପଡେଟ୍ କରିବା ନେଇ ପରାମର୍ଶ ଦେଉଛନ୍ତି। ଏଜେଣ୍ଟ ପରିଚୟ ଦେଉଥିବା ବ୍ୟକ୍ତି ଅନ୍‌ଲାଇନରେ େକଵାଇସି ଅପଡେଟ୍ କରିବା ପାଇଁ କୁଇକ୍ ସପୋର୍ଟ, ଟିମ୍ ଭିଉଅର ଏବଂ ଏନି ଡେସ୍କ ଭଳି ଆପ୍ଲିକେସନ୍ ଗୁଗୁଲ୍ ପ୍ଲେ ଷ୍ଟୋରରୁ ମୋବାଇଲରେ ଡାଉନଲୋଡ କରିବା ପାଇଁ ପରାମର୍ଶ ଦେଉଛନ୍ତି। ଏହି ଆପ୍ଲିକେସନ୍ ଇନଷ୍ଟଲ ପରେ ପେଟିଏମ୍‌ ଏଜେଣ୍ଟ ପରିଚୟ ଦେଉଥିବା ସାଇବର ଅପରାଧୀ ନିଜ ଫୋନରୁ ବରିଷ୍ଠ ନାଗରିକଙ୍କ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛନ୍ତି। ସାଇବର ଅପରାଧୀ ଗ୍ରାହକଙ୍କୁ ଛୋଟ ପରିମାଣର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ପଠାଇବାକୁ ପରାମର୍ଶ ଦେଉଛନ୍ତି। ଏହି ଟଙ୍କା ଚାଲାଣ ସମୟରେ ଗ୍ରାହକ ବ୍ୟବହାର କରୁଥିବା ପାସୱାର୍ଡ ଏବଂ ୟୁଜର ନେମ୍ ଫୋନରେ ଇନଷ୍ଟଲ ହୋଇଥିବା ଆପ୍ଲିକେସନ୍ ମାଧ୍ୟମରେ କପି କରିନେଉଛନ୍ତି। ଏହାପରେ ସାଇବର ଅପରାଧୀ ସମସ୍ତ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଏବଂ ପେଟିଏମ୍‌ ଵାଲେଟରୁ ଉଠାଇ ନେଉଛନ୍ତି। ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ସମେତ କମିସନରେଟ୍ ପୁଲିସରେ ୬ଟି ସମାନ ଧରଣର ମାମଲା ରୁଜୁ କରାଯାଇଛି।

କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ବରିଷ୍ଠ ନାଗରିକ ବାରମ୍ବାର ସାଇବର ଅପରାଧୀଙ୍କ ଲୁଟର ଶିକାର ହେଉଥିବାରୁ ସେମାନଙ୍କୁ ଅଧିକ ସତର୍କ କରାଯାଇଛି। ପେଟିଏମ୍‌ କିମ୍ବା ଅନ୍ୟ କୌଣସି ଇ-ଵାଲେଟ୍ କମ୍ପାନିର କର୍ମଚାରୀ କୌଣସି ବ୍ୟକ୍ତିଗତ ତଥ୍ୟ ମାଗିଲେ କିମ୍ବା ଫୋନରେ ଆପ୍ଲିକେସନ ଡାଉନଲୋଡ କରିବାକୁ କହିଲେ ଏଭଳି ନକରିବାକୁ ପରାମର୍ଶ ଦିଆଯାଇଛି। କୁଇକ୍ ସପୋର୍ଟ, ଟିମ୍ ଭିଉଅର ଏବଂ ଏନି ଡେସ୍କ ଭଳି ଆପ୍ଲିକେସନ ଡାଉନଲୋଡ ନକରିବାକୁ ପରାମର୍ଶ ଦିଆଯାଇଛି। ଫୋନକୁ ଆସୁଥିବା ସନ୍ଦେହଜନକ ଲିଙ୍କ କ୍ଲିକ ନକରିବା ସହିତ ପେଟିଏମ୍‌ର ସମ୍ପୂର୍ଣ୍ଣ କେଵାଇସି ଅପଡେଟ୍ କେବଳ ସ୍ବୀକୃତିପ୍ରାପ୍ତ ଦୋକାନଗୁଡ଼ିକରେ କରନ୍ତୁ। ଯଦି ପେଟିଏମ୍‌ ଆପ୍ଲିକେସନରେ ଅନଲାଇନ ବୁକ୍ କରନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତି ଆପଣଙ୍କ ଘରକୁ ଆସି କେଵାଇସି ଅପଡେଟ୍ କରିବାକୁ ଶ୍ରୀ ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର