ଭୁବନେଶ୍ବର: ରାଜ୍ୟରେ ବନ୍ୟପ୍ରାଣୀ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି। ଭିତରକନିକା ହେଉ ବା ମଙ୍ଗଳାଯୋଡ଼ି, ସାତକୋଶିଆ ହେଉ କି ଶିମିଳିପାଳ; ସବୁଠି ପ୍ରାକୃତିକ ପରିବେଶ ସାଙ୍ଗକୁ ବନ୍ୟପ୍ରାଣୀ ଓ ଜଙ୍ଗଲ ପର୍ଯ୍ୟଟକଙ୍କୁ ଅପେକ୍ଷା କରିଛି। ଏବେ ସରକାର ଏସବୁ ଜାଗାରେ ନେଚର୍ କ୍ୟାମ୍ପ ଜରିଆରେ ରାତ୍ରିଯାପନର ସୁଯୋଗ ସୃଷ୍ଟି କରିଛନ୍ତି। ଅତି କମ୍ ଖର୍ଚ୍ଚରେ ପର୍ଯ୍ୟଟନର ଭରପୂର ମଜା ନେଇ ହେବ। ଚତୁର୍ଥ ଅଧିବେଶନରେ ‘କଲ୍ ଅପ୍ ଦି ୱାଇଲ୍ଡ- ଦ ଇଣ୍ଡିଆ ଏକ୍ସପ୍ରିଏନ୍ସ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇଥିବା ଅତିଥିମାନେ ଏପରି ମତପୋଷଣ କରିଥିଲେ।
କୋଭିଡ୍ ପରେ ଭାରତ ଓ ଓଡ଼ିଶାରେ ବନ୍ୟପ୍ରାଣୀ ପର୍ଯ୍ୟଟନର ସୁଯୋଗ ଉପରେ ଆଲୋଚନା କରିଥିଲେ ବିକ୍ରମ ଗ୍ରେୱାଲ ଓ ଅବିନାଶ ଖେମ୍କା। ଶ୍ରୀ ଗ୍ରେୱାଲ କହିଥିଲେ, ଭାରତରେ ତ ବ୍ୟାପକ ସୁଯୋଗ ରହିଛି, କିନ୍ତୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ପ୍ରାଥମିକତା ଦିଆଯିବା ଜରୁରୀ। ଶିକାରୀମାନଙ୍କୁ କିଭଳି ଜଙ୍ଗଲର ରକ୍ଷକ ଭାବେ ପରିବର୍ତ୍ତନ କରାଯାଇପାରିବ, ସେନେଇ ଯୋଜନା ହେବା ଆବଶ୍ୟକ। ଶ୍ରୀ ଖେମ୍କା ରାଜ୍ୟ ପର୍ଯ୍ୟଟନ ଉପରେ ଚର୍ଚ୍ଚା କରିଥିଲେ। ଭୁବନେଶ୍ବରରୁ ମାତ୍ର ୭୦ କିଲୋମିଟର ଦୂରରେ ରହିଥିବା
ମଙ୍ଗଳାଯୋଡ଼ିରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଖରେ ଏହା ଅପହଞ୍ଚ ହୋଇ ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ଉନ୍ମୋଚନ ଅପକ୍ଷୋରେ ଥିବା ତାଙ୍କ ପୁସ୍ତକ ‘ମ୍ୟାଜିକ୍ ଅଫ୍ ମଙ୍ଗଳାଯୋଡ଼ି’ ସମ୍ବନ୍ଧରେ ସେ ସମ୍ୟକ୍ ସୂଚନା ଦେଇଥିଲେ। ଏହି ଅବସରରେ ଶ୍ରୀ ଗ୍ରେୱାଲଙ୍କ ଲିଖିତ ପୁସ୍ତକ ‘ୱାଇଲ୍ଡ ଲାଇଫ୍ ଇନ୍ ଇଣ୍ଡିଆ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ମାଳବିକା ବାନାର୍ଜୀ ପରିଚାଳନା କରିଥିଲେ।
ମହିଳାଙ୍କ ପସନ୍ଦ ଶାହରୁଖ: ଶ୍ରୟାନା
ପଞ୍ଚମ ଅଧିବେଶନରେ ‘ଡେସ୍ପାରେଟ୍ଲି ସିକିଂ ଶାହରୁଖ୍’ର ଲେଖିକା ଶ୍ରୟାନା ଭଟ୍ଟାଚାର୍ଯ୍ୟଙ୍କୁ ଭେଟିଥିଲେ ପ୍ରତିତୀ ଗନତ୍ରା। ୨୦୦୬ମସିହାରେ ଡେଭଲପ୍ମେଣ୍ଟ ଇକୋନୋମିକ୍ସରେ ମାଷ୍ଟର ଡିଗ୍ରି କରିବା ପରେ ଶ୍ରୟାନା ସୋସିଆଲ ଷ୍ଟଡିଜ୍ରେ ଏକ ପ୍ରୋଜେକ୍ଟ କରୁଥିଲେ। ଏଥିପାଇଁ ତାଙ୍କୁ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟ ବୁଲି ମହିଳାଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାକୁ ପଡ଼ିଥିଲା। ମହିଳାମାନେ କି କାମ କରୁଛନ୍ତି, କେତେ ମଜୁରି ପାଉଛନ୍ତି, ସେମାନଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି କି ନାହିଁ?
ଏଭଳି ସର୍ବେକ୍ଷଣ କରିବା ବେଳେ ସେମାନଙ୍କର ପ୍ରିୟ ହିରୋ କିଏ ବୋଲି ପ୍ରଶ୍ନରେ ୯୯ ପ୍ରତିଶତ ମହିଳା ଶାହରୁଖ୍ ଖାନ୍ ବୋଲି କହିଥିଲେ। ସେଥିରୁ ହିଁ ତାଙ୍କୁ ଏହି ପୁସ୍ତକ ଲେଖିବାକୁ ପ୍ରେରଣା ମିଳିଥିଲା ବୋଲି ସେ କହିଥିଲେ। ଏହି ପୁସ୍ତକରେ ଶତାଧିକ ମହିଳାଙ୍କର ପସନ୍ଦର କଥା ଉଲ୍ଲେଖ ରହିଛି। ଅନେକ ମହିଳା ଅଛନ୍ତି, ଯେଉଁମାନେ ନିଜସ୍ତରରେ ସ୍ବାଧୀନ ହେବାକୁ ଉଦ୍ୟମ କରିଛନ୍ତି ଓ ସଫଳ ବି ହୋଇଛନ୍ତି। ପୁସ୍ତକରେ ଗରିବଙ୍କଠାରୁ ଆରମ୍ଭ କରି ଧନୀକ ବର୍ଗର ମହିଳାଙ୍କ କଥା ରହିଛି।
ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ସ୍ତରରେ ମହିଳାମାନଙ୍କ ମଧ୍ୟରେ ସମାନତା ରହି ନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ରହିଥିବା ସମାନତା ହେଉଛି ପସନ୍ଦର ହିରୋ ଶାହାରୁଖ୍ ଖାନ୍। ସୁଯୋଗ ପାଇଲେ, ସେମାନେ ଶାହରୁଖ୍ଙ୍କ ହିଁ ଫିଲ୍ମ ଦେଖନ୍ତି ଓ ତାଙ୍କୁ ଭେଟିବାକୁ ଚାହାନ୍ତି ବୋଲି ଶ୍ରେୟାନା କହିଥିଲେ।