ଜନସ୍ବାର୍ଥ ମାମଲା ଉପରେ ହାଇକୋର୍ଟଙ୍କ ଜବାବ ତଲବ : ସମସ୍ତଙ୍କୁ ପିଡିଏସ୍‌ ଚାଉଳ, ମାଗଣା ସିଲିଣ୍ଡର ଦିିଆଯାଉ

କଟକ : କରୋନା ଭୂତାଣୁ ଯୋଗୁଁ ଦେଖାଦେଇଥିବା ବିପର୍ଯ୍ୟୟ ସମୟରେ ସମସ୍ତେ ସମାନ। ସମସ୍ତଙ୍କୁ ସରକାର ପିଡିଏସ୍ ଚାଉଳ, ଖାଦ୍ୟଦ୍ରବ୍ୟ, ମାଗଣା ଗ୍ୟାସ୍ ସିଲିଣ୍ଡର ଦିଅନ୍ତୁ। ଏଥିସହିତ ଲକ୍‌ଡାଉନ ସମୟରେ ରୋଜଗାର କରି ନପାରି ସମସ୍ତେ ଘରେ ଭିତରେ ରହିବାକୁ ବାଧ୍ୟ ହୋଇଥିବାବେଳେ ଏହି ଅବଧି ବେଳର ବିଦ୍ୟୁତ ବିଲ ଛାଡ କରାଯାଉ। ଲକ୍‌ଡାଉନ ଅବଧି ସମୟରେ ବିଦ୍ୟାର୍ଥୀଙ୍କ ଟ୍ୟୁସନ୍ ଫି’ ମଧ୍ୟ ଛାଡ଼ କରାଯାଉ। ଏଭଳି ପ୍ରାର୍ଥନା କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ନେଇ ଦେଖା ଦେଇଥିବା ପରିସ୍ଥିତିରେ ସାରାଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକ ପ୍ରକାର ଠପ୍ ହୋଇ ଯାଇଥିବାବେଳେ ଅଧିକାଂଶ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ରାସନ କାର୍ଡ ଥିବା ପରିବାରକୁ ମାଗଣାରେ ଚାଉଳ, ଡାଲି ସହିତ ଆର୍ଥିକ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥିସହିତ ଉଜ୍ଜ୍ବଳା ଗ୍ୟାସ ଉପଭୋକ୍ତାଙ୍କୁ ମଧ୍ୟ ମାଗଣାରେ ଗ୍ୟାସ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ଏଭଳି ଲକ୍‌ଡାଉନ ସମୟରେ ଆର୍ଥିକ ସମସ୍ୟାରେ ଥିବା ଏଭଳି ବହୁ ପରିବାର ଅଛନ୍ତି ଯେଉଁମାନଙ୍କର ରାସନ୍ କାର୍ଡ ଓ ଉଜ୍ଜ୍ବଳା ଗ୍ୟାସ ସଂଯୋଗ ନାହିଁ। ଏଭଳି ସ୍ଥିତି ସଂପର୍କରେ ସମସ୍ତେ ଅବଗତ। ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଲକ୍‌ଡାଉନ ସମୟରେ ସମସ୍ୟାରେ ଥିବା ସମସ୍ତ ବ୍ୟକ୍ତି ସମାନ। ତେଣୁ ସରକାରୀ କର୍ମଚାରୀ, ଅର୍ଦ୍ଧସରକାରୀ ଓ ବଡ କମ୍ପାନିରେ ଥିବା ବ୍ୟକ୍ତିଙ୍କୁ ବାଦ ଦେଇ ସମସ୍ତଙ୍କୁ ମାଗଣାରେ ରାସନ ସାମଗ୍ରୀ ଓ ରନ୍ଧନ ଗ୍ୟାସ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ମାର୍ଚ୍ଚ ୨୩ରୁ ମେ ୩ ତାରିଖ ବା ଲକ୍‌ଡାଉନ ଉଠିବା ପର୍ଯ୍ୟନ୍ତ ସମସ୍ତ ଘରୋଇ ବିଦ୍ୟୁତ ‌ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ଛାଡ଼ କରାଯାଉ ଏବଂ ଲକ୍‌ଡାଉନ ଅବଧି ସମୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ଛାତ୍ରଛାତ୍ରୀଙ୍କ ନିକଟରୁ ଆଦାୟ କରାଯାଉଥିବା ଟ୍ୟୁସନ୍ ଫି ଓ ପରିବହାନ ଖର୍ଚ୍ଚ ଛାଡ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି।

ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସ୍ପେଶାଲ ରିଲିଫ କମିସନର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଶକ୍ତି ବିଭାଗ, ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ସଚିବ, ଓଇଆରସି ଓ ବିଭିନ୍ନ ବିଦ୍ୟୁତ ବିତରଣ କରୁଥିବା ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଂଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର