ସଂସ୍କୃତି ଚର୍ଚ୍ଚା: ଓଡ଼ିଶାର ସଂସ୍କୃତି ପ୍ର୍ରାଚୀନ

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ପ୍ରାଚୀନ ବୋଲି ରାଜ୍ୟ ଅଭିଲେଖାଗାର ପରିସରରେ ଆଜି ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବିଜୟ ମୋହନ ମିଶ୍ର କହିଛନ୍ତି। ‘ଓଡ଼ିଶା ଭାଷା ଓ ସଂସ୍କୃତିର ମୌଳିକତା’ ପ୍ରସଙ୍ଗ ଉପରେ ବକ୍ତବ୍ୟ ପ୍ରଦାନ କରି ଶ୍ରୀ ମିଶ୍ର କହିଲେ, ଓଡ଼ିଆ ଭାଷା ଓ ସାହିତ୍ୟ ଯେଉଁଭଳି ଉନ୍ନତି କରିଛି ଓଡ଼ିଶାର ସଂସ୍କୃତି ବି ସେଭଳି ଆଗକୁ ବଢ଼ୁଛି। ଓଡ଼ିଶାର ମାଟି, ପାଣି, ପବନ ହିଁ ଅନନ୍ୟ। ଏଠାକାର ଶିଳ୍ପୀମାନେ ପ୍ରଥମେ ଚିତ୍ର କରନ୍ତି। ତା’ ପରେ ବହି ପଢ଼ନ୍ତି। ଆଉ କଳାକାର ବହି ବଦଳରେ ଭାବଧାରାରେ ପ୍ରଭାବିତ ହୋଇଥାନ୍ତି। କାମରେ ସେମାନଙ୍କର ଆନନ୍ଦ ବୋଲି ଶ୍ରୀ ମିଶ୍ର କହିଥିଲେ।

ସଂସ୍କୃତି ବିଭାଗ କମିସନର ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିସହ ଡ. ମିଶ୍ରଙ୍କୁ ସ୍ୱାଧୀନତା ସଂଗ୍ରାମୀ ମନମୋହନ ମିଶ୍ରଙ୍କ ପୁତ୍ର ଭାବେ ପରିଚିତ କରାଇଥିଲେ। ଅଭିଲେଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଡ. ମିଶ୍ରଙ୍କୁ ଉପଢ଼ୌକନ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କବି ମନମୋହନ ମିଶ୍ରଙ୍କ ଦ୍ୱାରା ରଚିତ କବିତାକୁ ସଙ୍ଗୀତା ପଣ୍ଡା ଆବୃତ୍ତି କରିଥିଲେ। ଡ. ମିଶ୍ରଙ୍କ ଉପରେ ଏକ କ୍ଷୁଦ୍ର୍ର ବୃତ୍ତଚିତ୍ର୍ର ପ୍ରଦର୍ଶିତ ହୋଇଥିଲା। ଶେଷରେ ଡ. ମିଶ୍ର ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ଗବେଷକ, ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର