ଓଡ଼ିଶାର ଇତିହାସ ପ୍ରାଚୀ କୂଳରେ ଲୁଚି ରହିଛି

ଭୁବନେଶ୍ବର: ଭାରତ ବର୍ଷର ୯୦ ଭାଗ ସାଂସ୍କୃତିକ ଇତିହାସ ମାଟି ତଳେ ରହିଥିବା ବେଳେ ଓଡ଼ିଶାର ସହସ୍ର ବର୍ଷର ଇତିହାସ ପ୍ରାଚୀ ନଦୀ କୂଳରେ ଲୁଚି ରହିଛି। ପ୍ରାଚୀ ପୁରାଣ ବର୍ଣ୍ଣିତ ଓ ଐତିହ୍ୟସମ୍ପନ୍ନ ନଦୀ ହୋଇଥିବା ବେଳେ ଏବେ ବି ସେଠାରେ ଦ୍ବାଦଶ ମାଧବ, ଦ୍ବାଦଶ ଶମ୍ଭୁ, ଦ୍ବାଦଶ ଶକ୍ତିପୀଠ ରହିଛି। ଏହାବ୍ୟତୀତ ପୁରାଣ ବର୍ଣ୍ଣିତ ବିଶ୍ବାମିତ୍ର, ଭୃଗୁ, ଅଙ୍ଗିରାଙ୍କ ଭଳି ମୁନି ଋଷିଙ୍କ ଆଶ୍ରମ ମଧ୍ୟ ଏବେ ସେଠାରେ ରହିଛି। କେବଳ ସେତିକି ନୁହେଁ, ପ୍ରାଚୀ ନଦୀ ମଧ୍ୟ ଦେଇ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ପଥର ଆସିଥିଲା ବୋଲି କହିଛନ୍ତି ପ୍ରଜ୍ଞାନ ମିସନ୍‌ର ଅଧ୍ୟକ୍ଷ ପ୍ରଜ୍ଞାନାନନ୍ଦ ମହାରାଜ।

ପୁରୀସ୍ଥିତ ଆଶ୍ରମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନ‌ୀରେ ସେ ‘ପ୍ରାଚୀ ପରିକ୍ରମା’ ବାବଦରେ ସୂଚନା ଦେଇ କହିଛନ୍ତି, ପ୍ରାଚୀ ନଦୀର ଆଉ ଏକ ବିଶେଷତ୍ବ ହେଉଛି, ଏଠାରେ ଆପାତତଃ ଦଶମରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ହରିହର ଉପାସନା ହୋଇଥିଲା। ଏପରିକି ପ୍ରାଚୀ ନଦୀ ସହ ଜଗନ୍ନାଥ ସଂସ୍କୃତିର ସମ୍ପର୍କ ଯୋଡ଼ି ହୋଇରହିଛି। ଶାସ୍ତ୍ରୀୟ ବିଧି ମତେ ଯେପରି ନର୍ମଦା ପରିକ୍ରମା କରାଯାଏ, ସେହିପରି ଓଡ଼ିଶାରେ ପ୍ରାଚୀ ନଦୀ ପରିକ୍ରମା ପରମ୍ପରା ପ୍ରାଚୀନ। ତେଣୁ ସାଧୁ ସନ୍ଥଙ୍କ ପରିକ୍ରମା ଯୋଗୁଁ ପ୍ରାଚୀ ନଦୀକୂଳ ବୃକ୍ଷଲତାରେ ଭରପୂର ଥିଲା। ‌ତେଣୁ ପ୍ରାଚୀ ନଦୀର କୌଣସି ପ୍ରାକୃତିକ ଉତ୍ସ ନଥାଇ ମଧ୍ୟ ନିକଟବର୍ତୀ ଅଞ୍ଚଳରେ ସଘନ ‌ଜଙ୍ଗଲ ଯୋଗୁଁ ପାଣି ଝରୁଥିଲା। ହେଲେ ଏବେ ନଦୀ ଅବବାହିକାକୁ ଜନବସତି ମାଡ଼ି ଆସିବା ଫଳରେ ଗଛଲତା କଟା ହୋଇଯିବାରୁ ନଦୀରେ ଆଉ ପୂର୍ବଭଳି ପାଣି ଆସୁନାହିଁ। ଏମିତିକି ଭୌ‌ଗୋଳିକ ଭିତ୍ତିରେ ପ୍ରାଚୀ ନଦୀ ମହାନଦୀର ଶାଖା ହୋଇଥିବା ବେଳେ ଚନ୍ଦ୍ରଭାଗା ଥିଲା ପ୍ରାଚୀର ଶାଖା ନଦୀ। ମାତ୍ର ଇଂରେଜ ରାଜତ୍ବ ସମୟରେ ମହାନଦୀକୁ ପ୍ରାଚୀ ସହ ସଂଯୋଗ ବିଚ୍ଛିନ୍ନ କରି ଦିଆଗଲା। ଫଳରେ ନଦୀ ଧୀରେଧୀରେ ସଙ୍କୁଚିତ ହେଇଗଲା। ଏବେ ବି ତ୍ରିବେଣୀ ନଯାଇ ଲୋକେ ପ୍ରାଚୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅସ୍ଥି ବିସର୍ଜନ କରୁଛନ୍ତି। ତେଣୁ ଓଡ଼ିଶାର ସାଂସ୍କୃତିକ ଇତିହାସ ସହ ଜଡ଼ିତ ଏହି ନଦୀର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ସ୍ବାମୀ ଶାନ୍ତାନନ୍ଦ ସରସ୍ବତୀଙ୍କ ଦ୍ବାରା ପ୍ରାଚୀ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆମେ କିଛି ସନ୍ଥ ମିଶି ପୁଣି ଏହାକୁ ୯ବର୍ଷ ହେଲା ଆଗେଇ ନେଇଛୁ ବୋଲି ପ୍ରଜ୍ଞାନାନନ୍ଦଜୀ ମହାରାଜ କହିଛନ୍ତି।

ଇତିମଧ୍ୟରେ ସେଠାରେ ପ୍ରାଚୀ ପରିକ୍ରମା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ରାମେଶ୍ବର ଘାଟ, ମାଧବ ମନ୍ଦିର, ଅଡ଼ଶପୁରର ଅନ୍ଧ‌କପିଳେଶ୍ବର ଓ ନିଆଳିର ଶୋଭନେଶ୍ବର ମନ୍ଦିର ନିକଟରେ ଘାଟ ନିର୍ମାଣ କରାଯାଇଥିବା ବେଳେ ଦେଉଳି ମଠ ତଥା କାକଟପୁର ମନ୍ଦିର ନିକଟ ନଦୀକୂଳରେ ବନୀକରଣ କରାଯାଇଛି। ଏତଦ୍‌ବ୍ୟତୀତ କିଛି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ଟ୍ରଷ୍ଟ ପକ୍ଷରୁ ଏହି ଅବସରରେ ୭ଦିନିଆ ପ୍ରାଚୀ ଜାଗରଣ ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ପ୍ରାଚୀ ଅବବାହିକାରେ ରହୁଥିବା ଲୋକଙ୍କୁ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ବାସ୍ତବରେ ନଦୀ ଅବବାହିକାରେ ରହୁଥିବା ଲୋକେ ହିଁ ନଦୀର ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ।‌ ତେଣୁ ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଯୋଡ଼ିବା ସହ ସନ୍ଧ୍ୟାରେ ସତସଙ୍ଗରେ ପ୍ରାଚୀ ମାହାତ୍ମ୍ୟ ଶୁଣାଉଛୁ। ଏଥିସହ ନଦୀ ଅବବାହିକାରେ ରହୁଥିବା କୁନିକୁନି ପିଲାମାନଙ୍କୁ ପ୍ରାଚୀ ନଦୀ ବାବଦରେ ଜ୍ଞାନ ହାସଲ କରିବା ସହ ସେମାନଙ୍କର ପ୍ରାଚୀ ଜ୍ଞାନର ପ୍ରତିଯୋଗିତା କରାଯାଉଛି। ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବା ବେଳେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପ୍ରାଚୀ ଆରତି କରାଯାଉଛି ବୋଲି ପ୍ରଜ୍ଞାନାନନ୍ଦଜୀ କହିଛନ୍ତି।

ସମ୍ବନ୍ଧିତ ଖବର