ଲୋକାର୍ପିତ ହେଲା ‘ଓଡ଼ିଶା ଇତିହାସ’

ଭୁବନେଶ୍ୱର : ବିଶିଷ୍ଟ ସାମ୍ବାଦିକ, ସ୍ତମ୍ଭକାର ତଥା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ସାହିତ୍ୟିକ ବସନ୍ତ ଦାସଙ୍କ ରଚିତ ପୁସ୍ତକ ‘ଓଡ଼ିଶା ଇତିହାସ’ ଲୋକାର୍ପିିତ ହୋଇଛି। ମିଡିଆ ଏକାଡେମି ପକ୍ଷରୁ ଆଜି ରାଜ୍ୟ ଅଭିଲେଖାଗାରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୁବପିଢ଼ି ଅତୀତର ରାଜନୀତିକୁ ଜାଣିବା ସହ ସମୀକ୍ଷା କରିବା ଦରକାର ବୋଲି କହିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାରେ କଂଗ୍ରେସ ଦଳ ବହୁ ବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ବିକାଶ ହୋଇନି କହିବା ଠିକ୍‌ ନୁହେଁ। ଗୋଟିଏ ପ୍ରଦେଶରେ ସ୍ଥିର ସରକାର ନ ରହିଲେ ବିକାଶ ସମ୍ଭବପର ହୋଇ ନ ଥାଏ। ସେହି ଦୃଷ୍ଟିରେ ଦେଖିଲେ ୧୯୬୧, ୧୯୮୦,୧୯୮୫ ଏବଂ ୧୯୯୫ରେ ହିଁ କଂଗ୍ରେସ ସ୍ଥିର ସରକାର ଗଠନ କରିଥିଲା। ଯେଉଁ ସମୟରେ ହିଁ ରାଜ୍ୟର ବିକାଶ ହୋଇଛି। ରାଉରକେଲା, ପାରାଦୀପ, ହୀରାକୁଦ, କୃଷି ବିଶ୍ୱବିଦ୍ୟାଳୟ, ନାଲକୋ, ରେଙ୍ଗାଲି ପ୍ରକଳ୍ପ କଂଗ୍ରେସ ସମୟରେ ହୋଇଛି। ଗତ ୧୭ ବର୍ଷ ହେଲା ଅଣ କଂଗ୍ରେସ ସରକାର ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ ବି ପ୍ରକଳ୍ପ ଚୂଡ଼ାନ୍ତ ହୋଇନାହିଁ। ସବୁ ଅଧାପନ୍ତରିଆ ରହିଛି। ରାଜ୍ୟ ସରକାରରେ ଏବେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଂଶଧର ରହିଛନ୍ତି। ଯେଉଁମାନେ କି ବିଭିନ୍ନ ସମୟରେ କହୁଛନ୍ତି ବିଜେଡି ସରକାର ଆସିବା ପୂର୍ବରୁ ରାଜ୍ୟର ବିକାଶ ହୋଇ ନ ଥିଲା। ଏଭଳି କହ ସେମାନେ ତାଙ୍କ ବାପା, ମା’ଙ୍କୁ ସମାଲୋଚନା କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। ପୁସ୍ତକ ସମ୍ପର୍କରେ ସେ କହିଲେ ଏଥିରେ ଅନେକ ତଥ୍ୟ ରହିଛି। ଓଡ଼ିଶା ରାଜନୀତିର ଅନେକ ଅନାଲୋଚିତ ବିଷୟ ଉଲ୍ଲେଖ କରାଯାଇଛି। ବିଧାନସଭା ଆଲୋଚନାର କିଛି ତଥ୍ୟ ରଖାଯାଇଥିଲେ ଭଲ ହୋଇଥାନ୍ତା। ଗତ କିଛି ବର୍ଷ ହେଲା ବିନା ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ବିଧାନସଭାରେ ପାରିତ ହେଉଛି। ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଆଇନକୁ ଠିକ୍‌ ଭାବେ ଅନୁଧ୍ୟାନ କରା ନ ଯାଇ ଲାଗୁ ହେଉଛି। ଏଗୁଡ଼ିକୁ ପୁସ୍ତକରେ ଉଲ୍ଲେଖ କରାଯାଇଥିଲେ ଭଲ ହୋଇଥାନ୍ତା।

‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଏହା ଏକ ଉପାଦେୟ ପୁସ୍ତକ। ୪୩୨ ପୃଷ୍ଠାରେ ଓଡ଼ିଶା ଇତିହାସକୁ ଉଲ୍ଲେଖ କରିବା ସମ୍ଭବପର ନୁହେଁ। ଏହା ଏକ ରାଜନୈତିକ ପୁସ୍ତକ ନୁହେଁ। ବରଂ ଓଡ଼ିଶାର ସମକାଳୀନ ଇତିହାସ ଏଥିରେ ଉଲ୍ଲେଖ ହୋଇଛି। ସମକାଳୀନ ଇତିହାସର କୌଣସି ଜାତି, ଧର୍ମ, ବର୍ଣ୍ଣ ନାହିଁ। ତେଣୁ ଲେଖକମାନେ ସମକାଳୀନ ଇତିହାସ ଅଧିକ ଲେଖିବା ଦରକାର। ସେ ଆହୁରି କହିଲେ, ଆଜି ପର୍ଯ୍ୟନ୍ତ ଇତିହାସକୁ ଠିକ୍‌ ଭାବେ ସଂରକ୍ଷିତ ତଥା ପଞ୍ଜୀକୃତ କରାଯାଇପାରି ନାହିଁ। ଯାହାକି ଭବିଷ୍ୟତ ପିଢ଼ିକୁ ସହାୟକ ହେବ। ପୂର୍ବପିଢ଼ି ବି ସେଭଳି ସମକାଳୀନ ପୁସ୍ତକ ଲେଖି ନାହାନ୍ତି ଯେଉଁଥିରୁ ବର୍ତମାନର ପିଢ଼ି ତଥ୍ୟ ଜାଣିପାରିବେ। ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ସେମାନଙ୍କ ଜୀବନୀକୁ ଠିକ୍‌ ଭାବେ ସଂରକ୍ଷିତ ରଖିନାହାନ୍ତି। ଏପରି ହେଉଛି ଯେ ଜୀବନୀ, ଆତ୍ମଜୀବନୀଗୁଡ଼ିକର ଦୁଇଟି ସଂସ୍କରଣ ପଢ଼ିବା ପରେ ପାଠକ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଏ କ୍ଷେତ୍ରରେ ‘ଓଡ଼ିଶା ରାଜନୀତି’ ବେଶ୍‌ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ପୁସ୍ତକର ସମୀକ୍ଷା କରି ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ କହିଲେ, ୪୩୨ ପୃଷ୍ଠା ପୁସ୍ତକରେ ରାଜନୀତି ନାହିଁ। ବରଂ ଓଡ଼ିଶା ରାଜନୀତିର ଇତିହାସ ରହିଛି। ରାଜନୀତିର ମୂଳ ଖୋଜିବାକୁ ଉଦ୍ୟମ କରିଛନ୍ତି ଲେଖକ। ବସନ୍ତ ବାବୁ ରାଜନୈତିକ ଚିତ୍ର, ଚରିତ୍ର ଉପରେ ମତ ଦେଇ ନାହାନ୍ତି କି ପକ୍ଷଭୁକ୍ତ ହୋଇନାହାନ୍ତି। କେବଳ ଘଟଣାକୁ ଉପସ୍ଥାପନ କରି ଅନେକ କିଛି ତଥ୍ୟ ଲେଖିଛନ୍ତି। ୧୯୩୭ ମସିହାର ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ବର୍ତମାନ ସମୟରେ ମନ୍ତ୍ରୀ ଦାମୋଦର ରାଉତଙ୍କ ଶ୍ରୀଖଣ୍ଡି ଉପାଖ୍ୟାନକୁ ଏଥିରେ ଉଲ୍ଲେଖ କରାଯାଇଛି। ଏହା ଏକ ତଥ୍ୟ ଭିତ୍ତିକ ପୁସ୍ତକ ହୋଇଥିବାରୁ ଗବେଷଣାରତ ଛାତ୍ରଛାତ୍ରୀ, ଗବେଷକଙ୍କ ଲାଗି ଉପଯୋଗୀ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ମିଡିଆ ଏକାଡେମି ଉପସଭାପତି ପ୍ରଦୋଷ ପଟ୍ଟନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ଯୁଗ୍ମ ସମ୍ପାଦକ ବୈଷ୍ଣବ ଚରଣ ମହାନ୍ତି ଧନ୍ୟବାଦ ଦେଇଥିଲେ। ସାହିତ୍ୟିକ ଶ୍ରୀ ଦାସ ପୁସ୍ତକ ସମ୍ପର୍କରେ ନିଜ ମତପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର