ମାନବାଧିକାର ଆୟୋଗ ପାଇଁ ବେଫିକର : ଫାଇଲ୍‌ ଯାଇଛି, ବିଚାର ହୋଇପାରୁନି

ଭୁବନେଶ୍ବର : ଛଅ ବର୍ଷ ହେଲା ଅଧ୍ୟକ୍ଷ ପଦ ଖାଲି। ୨ ବର୍ଷ ହେଲା ପ୍ରଶାସନିକ ସଦସ୍ୟ ପଦ ଖାଲି। ୨ ମାସ ହେଲା ବିଚାର ବିଭାଗୀୟ ସଦସ୍ୟ ପଦବି ବି ଖାଲି। ରାଜ୍ୟ ମାନବାଧିକାର ଆୟୋଗ ଏବେ ସମ୍ପୂର୍ଣ୍ଣ ଅଚଳ। ଅଥଚ କାହାର ବି ନିଦ ଭାଙ୍ଗୁନି। ସରକାର ତ ବେଫିକର ବସି ରହିଛନ୍ତି, ବିରୋଧୀ ବି ଏନେଇ ସାମାନ୍ୟତମ ପ୍ରତିକ୍ରିୟା ଦେଖାଉ ନାହାନ୍ତି। ଏହାକୁ ଗୁରୁତ୍ବ ଦେବା ପରି‌ବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆଇନ ବିଭାଗ ନିଜ ନିଜ କାମ ସାରି ଦେଇଥିବା ଉତ୍ତର ଦେଇ ବେଫିକର ବସି ଯାଇଛନ୍ତି। ମାନବାଧିକାର ଆଇନଜୀବୀ ବିଶ୍ବପ୍ରିୟ କାନୁନ୍‌ଗୋଙ୍କ କହିବା ମୁତାବକ, ମାନବାଧିକାର ଆୟୋଗର ଅଧ୍ୟକ୍ଷ ମନୋନୟନ ପାଇଁ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ମୁତାବକ ଏକ ମନୋନୟନ କମିଟି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ବାଚସ୍ପତି ସଦସ୍ୟ ଅଛନ୍ତି। ତେଣୁ ଆୟୋଗ ମାସମାସ ଧରି ଅଚଳ ରହିବା ପରେ ଏନେଇ ଶ୍ରୀ କାନୁନ୍‌ଗୋ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ମୁତାବକ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ଉତ୍ତର ମାଗିଥିଲେ। ଏନେଇ କାର୍ଯ୍ୟାଳୟରୁ ସୂଚନା ଆସିଲା ଯେ ଏହା ଆଇନ ବିଭାଗ ସଂକ୍ରାନ୍ତୀୟ। କିନ୍ତୁ ଯେବେ ଆଇନ ବିଭାଗକୁ ଏ ସଂକ୍ରାନ୍ତରେ ଉତ୍ତର ମଗାଗଲା, ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ‌ନିମନ୍ତେ ଫାଇଲ୍‌ ଯାଇଛି ଏବଂ ସରକାରଙ୍କ ବିଚାରାଧୀନ ରହିଛି ବୋଲି ଉତ୍ତର ମିଳିଲା। ଏହି ଉତ୍ତର ଏବେ ଏମିତି ଦୋଛକିରେ ଛିଡ଼ା କରେଇ ଦେଇଛି ଯେ ଏହାର ସମାଧାନ କେବେ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣେ ପ୍ରତିଦିନ ଆସୁଥିବା ମାମଲା ସଂଖ୍ୟା ୧୫ ହଜାର ଟପି ଗଲାଣି। ସେପଟେ କିନ୍ତୁ ପରସ୍ପର ନିଜର କାମ ସାରି ଦେଇଥିବା କହି ନିଶ୍ଚିତରେ ବସିଛନ୍ତି।

ଦିନେ ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ଆୟୋଗ ଗଢ଼ା ଯାଇଥିଲା, ସେହି ଲକ୍ଷ୍ୟ ଏବେ ଭୁଶୁଡ଼ିଗଲାଣି। ନିଜ ଅଧିକାର ପାଇବା ପାଇଁ ଯେଉଁମାନେ ମାମଲା ନେଇ ଆୟୋଗରେ ପହଞ୍ଚୁଛନ୍ତି, ସେମାନେ ମୁରବିଶୂନ୍ୟ ଆୟୋଗ ଦେଖି ଆଶା ଛାଡ଼ି ଦେଉଛନ୍ତି। ଯେଉଁମାନଙ୍କ ମାମଲା ବିଚାର ନ ହୋଇ ଦୀର୍ଘଦିନ ହେଲା ପଡ଼ି ରହିଛି, ତାହାର ଭବିଷ୍ୟତ କ’ଣ ହେବ ତାହା ବି କହି ହେଉନାହିଁ। ଏଭଳି ଘଡ଼ିସନ୍ଧି ମୁହୂର୍ତରେ ସରକାରଙ୍କ ଦୁଇ କାର୍ଯ୍ୟାଳୟ ପରସ୍ପର ମୁଣ୍ଡରୁ ଦୋଷ ହଟେଇ ନିଶ୍ଚିତରେ ବସି ରହିବା ମାନବାଧିକାର ପ୍ରତି ସରକାରଙ୍କ କେତେ ଦରଦ, ତାହା ପ୍ରମାଣିତ କରୁଛି। ଏହାକୁ ନେଇ ଆନ୍ଦୋଳନ ହୋଇଛି, ଧାରଣା ଦିଆଯାଇଛି। ରାଜ୍ୟପାଳଙ୍କ ପକ୍ଷରୁ ପତ୍ର ଯାଇଛି। ହେଲେ ସରକାରଙ୍କ ଉପରେ ଏହାର ପ୍ରଭାବ ପଡ଼ି ପାରିନାହିଁ। ଯଦି ଏହା ବିଚାରାଧୀନ ରହିଛି, ତେବେ ଅଧ୍ୟକ୍ଷ ପଦ ପାଇଁ ଦୀର୍ଘ ୬ ବର୍ଷ ହେଲା କେମିତିକା ବିଚାର ଚାଲିଛି ତାହା ବି ଏକ ପ୍ରଶ୍ନବାଚୀ।

ସମ୍ବନ୍ଧିତ ଖବର