ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ବର ଯୋଡ଼ିବା ଉଦ୍ଦେଶ୍ୟରେ ଆସିଥିଲେ ଗାନ୍ଧୀ : ବାଚସ୍ପତି

ଗାନ୍ଧୀଙ୍କୁ ପ୍ରଭାବିତ କରିଥିଲା ଓଡ଼ିଶା : ସୌମ୍ୟରଞ୍ଜନ

ଭୁବନେଶ୍ବର : ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ପଛରେ ଦୁଇଟି ବଡ଼ ଉଦ୍ଦେଶ୍ୟ ଥିଲା। ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ବରକୁ ଯୋଡ଼ିବା ଓ ଦେଶକୁ ସ୍ବାଧୀନ କରିବା ପାଇଁ ସଂଗ୍ରାମ କରୁଥିବା କଂଗ୍ରେସରେ ଓଡ଼ିଶାକୁ ସାମିଲ କରିବା। ଆଜି ‘ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍‌ ସେଣ୍ଟର’ ପକ୍ଷରୁ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତି ଅବସରରେ ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବକୁ ଉଦ୍‌ଘାଟନ କରି ଏହା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ଗାନ୍ଧୀଜୀ ସାରା ବିଶ୍ବକୁ ପ୍ରଭାବିତ କରିପାରିଥିଲେ। କିନ୍ତୁ ଓଡ଼ିଶା ମଧ୍ୟ ତାଙ୍କୁ କିଛି କମ୍ ପ୍ରଭାବିତ କରି ନାହିଁ। ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବ୍ୟକ୍ତିତ୍ବ ଓ କାର୍ଯ୍ୟଧାରା ତାଙ୍କୁ ଭୀଷଣ ପ୍ରଭାବିତ କରିଥିଲା। ସେମିତି ଓଡ଼ିଶାର ଦାରିଦ୍ରୢ ମହାତ୍ମାଙ୍କ ଦେଶକୁ ଦେଖିବାର ଦୃଷ୍ଟିକୋଣ ବଦଳାଇ ଦେଇଥିଲା। ଓଡ଼ିଶା ମାଟିର ଯେଉଁ ଦାରିଦ୍ର୍ୟ ଗାନ୍ଧୀଜୀଙ୍କୁ ବିଚଳିତ କରିଥିଲା, ଆଜି ତାହା ବିରୋଧରେ ଚାଲିଥିବା ଲଢ଼େଇରେ ଆମେ ଜିତିଛୁ ଓ ଏହି ଲଢ଼େଇ ଆଗକୁ ଏମିତି ଜାରି ରହିବ। ଗାନ୍ଧୀଜୀଙ୍କ ଚଷମା ଓ ଅରଟକୁ ସନ୍ତକ ଭାବେ ବ୍ୟବହାର କରାଯାଉଛି ସିନା ସେସବୁର ପଛରେ ଥିବା ଦୃଷ୍ଟିକୋଣକୁ ବୁଝି କାମ କରାଯାଉ ନାହିଁ। ବାସ୍ତବ ରାମରାଜ୍ୟ ଗଠନ ପାଇଁ ଗାନ୍ଧୀଙ୍କ ଉଚ୍ଚାରଣ ଓ ଆଚରଣକୁ ଅନୁସରଣ କରିବା ବିଧେୟ ବୋଲି ସେ କହିଥିଲେ।

ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି ମହାତ୍ମାଙ୍କୁ ଶାନ୍ତିର ଦୂତ ବୋଲି କହିଥିଲେ। ମହାତ୍ମାଙ୍କୁ ଜାତୀୟ ଷ୍ଟାମ୍ପ ନ କରି ତାଙ୍କୁ ଭଲ ପାଇବା ସହ ତାଙ୍କର ତ୍ୟାଗ ଓ ଗୁଣକୁ ଯୁବପିଢ଼ି ଅନୁସରଣ କରିପାରିଲେ ଗାନ୍ଧୀଙ୍କ ସ୍ବପ୍ନର ଭାରତ ଗଠନ ସମ୍ଭବ ବୋଲି ସେ କହିଥିଲେ।

ବିଶିଷ୍ଟ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରଜତ କର ଗାନ୍ଧୀଜୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତଠାରୁ ଆରମ୍ଭ କରି ତାଙ୍କ ହତ୍ୟା ପର୍ଯ୍ୟନ୍ତ ଜୀବନୀକୁ ବର୍ଣ୍ଣନା କରିଥିଲେ। ଗାନ୍ଧୀଜୀଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର ଯୁବପିଢ଼ି ନିକଟରେ ଗାନ୍ଧୀଙ୍କୁ ଜୀବନ୍ତ କରି ରଖିଥିବାରୁ ଚଳଚ୍ଚିତ୍ର ଜଗତ ପାଖରେ ଆମେ ଋଣୀ ରହିବା ବୋଲି ସେ କହିଥିଲେ।

ଏହି ଅବସରରେ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ମହାତ୍ମା ଗାନ୍ଧୀ ସ୍ମାରକୀ ଜାତୀୟ ସଂହତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ, ମହାନ୍ ସ୍ବାଧୀନତା ସଂଗ୍ରାମୀ ଚାଖି ଖୁଣ୍ଟିଆଙ୍କ ନାତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଶ୍ବେତପଦ୍ମା ଦାସ, ନୀଳଞ୍ଜନା ମୁଖାର୍ଜୀ, ବିଧାନ ଚନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ନନ୍ଦ ଓ ସୁରେନ୍ଦ୍ରନାଥ ପଣ୍ଡା। ସେହିଭଳି ପ୍ରକାଶ ନାୟକ, ଲଲାଟେନ୍ଦୁ ମିଶ୍ର, କମଲ କୁମାର ଦାସ ଓ ଦୁଷ୍ମନ୍ତ କୁମାର ସାହୁଙ୍କୁ ‘ଗାନ୍ଧୀ ସ୍ମାରକୀ ଶାନ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍‌ ସେଣ୍ଟରର ଅଧ୍ୟକ୍ଷ ପରେଶ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ସଭା ପରିଚାଳନା କରିଥିବା ବେଳେ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ। ପରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତର ବିବରଣୀକୁ ନେଇ ଏକ ସ୍ମରଣିକା ପ୍ରକାଶ କରାଯିବ। ବିଭିନ୍ନ ସ୍କୁଲ, କଲେଜରେ ମହାତ୍ମାଙ୍କ ଜୀବନୀ ଓ ଚିତ୍ର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ଉଦୟ କୁମାର ଶାନ୍ତି, ଆଦ୍ୟପ୍ରା‌ଣ ସୁବୁଦ୍ଧି, କିଶୋର ଚନ୍ଦ୍ର ପ୍ରଧାନ, ହୃଷୀକେଶ ମିଶ୍ର ଓ ପରେଶ ନାୟକ ପ୍ରମୁଖ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର