ଏଟିଏମ୍ ଲୁଟେରାଙ୍କ ଟାର୍ଗେଟ୍‌ରେ ଓଡ଼ିଶା

୫ ମାସରେ ଲୁଟିଲେଣି ୬୦ଲକ୍ଷ, ଟଙ୍କାଟେ ବି ଫେରିନି, ୩ କାଉଣ୍ଟର୍‌ରୁ ମେସିନ୍ ଗାଏବ୍

ଭୁବନେଶ୍ବର: ଥରେ କି ଦୁଇଥର ନୁହେଁ, ଗତ ୫ ମାସ ମଧ୍ୟରେ କିଛି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ରାଜ୍ୟରେ ୧୫ରୁ ଅଧିକ ଏଟିଏମ୍‌ ଲୁଟ୍‌ ଉଦ୍ୟମ କରି ଆତଙ୍କ ସୃଷ୍ଟି କରିଛନ୍ତି। ଭୁବନେଶ୍ବରଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏଟିଏମ୍‌ ତାଡ଼ି ୬୦ ଲକ୍ଷରୁ ଊର୍ଧ୍ବ ଟଙ୍କା ଲୁଟି ସାରିଲେଣି। କିନ୍ତୁ ପୁଲିସ୍‌ କାଁ ଭାଁ କିଛି ଲୁଟେରାଙ୍କୁ ଗିରଫ କରିଥିଲେ ହେଁ ଟଙ୍କାଟେ ବି ଫେରସ୍ତ ଆଣିପାରିନାହିଁ।

ପୂର୍ବରୁ ଲୁଟେରାମାନେ ଏଟିଏମ୍ ତାଡ଼ି ଲୁଟୁଥିଲେ। କିନ୍ତୁ ଏବେ କାଉଣ୍ଟର୍‌ରୁ ଏକାବେ‌ଳକେ ପୂରା ମେସିନ୍‌କୁ ଗାଏବ୍‌ କରିଦେଉଛନ୍ତି। ତାକୁ ଅନ୍ୟତ୍ର ଭଙ୍ଗାଭଙ୍ଗି କରି ସବୁତକ ଟଙ୍କା ଲୁଟି ନେଉଛନ୍ତି। ରାଜ୍ୟରେ ଏଭଳି ଲୁଟ୍‌ ବଢ଼ି ଚାଲିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଲୁଟେରା ଗ୍ୟାଙ୍ଗ୍‌ଗୁଡ଼ିକ ଅଧିକାଂଶ ଲୁଟ୍ ମାମଲାରେ ବିଫଳ ହେଉଥିଲେ ବି ପୁଲିସ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯେଉଁଥିପାଇଁ ଲୁଟ୍‌ରେ ବିରାମ ଲାଗୁନାହିଁ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନୂଆଶୈଳୀରେ ଏଟିଏମ୍‌ରୁ ଟଙ୍କା ଲୁଟ୍ ପୂର୍ବରୁ କର୍ଣ୍ଣାଟକ, ରାଜସ୍ଥାନ, ଦିଲ୍ଲୀ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ହେଉଥିଲା। ସେଠାକାର ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଠାବ କରିବା ସହ ବାରମ୍ବାର ଗିରଫ କରିବାରୁ ସେମାନେ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ପ୍ରତି ମାସରେ ଓଡ଼ିଶାକୁ ଆସି ଟାର୍ଗେଟ୍ କରି ବିଭିନ୍ନ ଏଟିଏମ୍‌ରୁ ଟଙ୍କା ଲୁଟି ଚମ୍ପଟ୍ ମାରୁଛନ୍ତି। ଓଡ଼ିଶାରେ ୩ଟି ଘଟଣା ସାମ୍ନାକୁ ଆସିଥିବା ବେଳେ ଲୁଟ୍ ଉଦ୍ୟମ ଘଟଣାରେ ସ୍ଥାନୀୟ ଡକାୟତଙ୍କ ହାତ ରହିଛି।

ଗତ ୫ମାସ ମଧ୍ୟରେ କେନ୍ଦ୍ରାପଡ଼ାର ସଦର ଥାନା, ମଞ୍ଚେଶ୍ବର, ବାଲିପାଟଣା, ମାଲକାନଗିରିର କାଲିମେଳା, ଗଂଜାମ ଆସ୍କା, ଖୋର୍ଦ୍ଧା ଟାଉନ୍, ଯାଜପୁରର କୁଆଖିଆ ଓ ଧର୍ମଶାଳା, ଭଦ୍ରକ ଧାମନଗର ପ୍ରମୁଖ ଅଞ୍ଚଳରୁ ଏଟିଏମ୍ କାଉଣ୍ଟର୍‌ରୁ ଟଙ୍କା ଲୁଟ୍ ଉଦ୍ୟମ ହୋଇଥିବା ବେଳେ ଆଉ କିଛି ଜାଗାରେ ସକ୍ଷମ ମଧ୍ୟ ହୋଇଛନ୍ତି। ସେହିଭଳି ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକରେ ଥିବା ୟୁନିଅନ୍ ବ୍ୟାଙ୍କ୍‌ର ଏଟିଏମ୍ କାଉଣ୍ଟର୍‌ରୁ ପ୍ରାୟ ୭ଲକ୍ଷ ୫୭ହଜାର ୬ଶହ ଟଙ୍କା ଲୁଟ୍ ହୋଇଥିଲା। ସିକ୍ରେଟ୍‌ ପାସକୋର୍ଡ ସହାୟତାରେ ଏଟିଏମ୍ ନ ଭାଙ୍ଗି ଅଭିନବ ଉପାୟରେ ଏହି ଟଙ୍କା ଲୁଟ୍ ହୋଇଥିଲା। ଏହି ଘଟଣାରେ ଏବେ ବି ପୁଲିସ ହାତ ଖାଲି।

ଧଉଳିରୁ ଧର୍ମଶାଳା: ୩ ମାମଲାରେ ୪୬ଲକ୍ଷ ଚଳୁ, ଟାର୍ଗେଟ୍‌ରେ ଏସ୍‌ବିଆଇ ଏଟିଏମ୍ କାଉଣ୍ଟର୍‌

OrissaPOST

ରାଜ୍ୟର ଆପରାଧିକ ଇତିହାସରେ କେବେ ବି ଏଟିଏମ୍ କାଉଣ୍ଟର୍‌ରୁ ମେସିନ୍ ଗାଏବ୍ କରି ଟଙ୍କା ଲୁଟିନେବା ଭଳି ଘଟଣା ଘଟିନଥିଲା। କେବଳ ୨୦୧୯ରେ ସମ୍ବଲପୁରର ଏକ ଏଟିଏମ୍ କାଉଣ୍ଟର୍‌ରୁ ମେସିନ୍ ଚୋରି ହୋଇଥିଲେ ବି ଟଙ୍କା ଚୋରିରେ ବିଫଳ ହୋଇଥିଲେ ଲୁଟେରା। କିନ୍ତୁ ଚଳିତ ବର୍ଷ ମାତ୍ର ୫ ମାସ ମଧ୍ୟରେ ଭୁବନେଶ୍ବର ଓ ୨ଟି ଜିଲ୍ଲାରୁ ଏଭଳି କାଉଣ୍ଟର୍‌ରୁ ମେସିନ୍ ଚୋରି ପରେ ଟଙ୍କା ଲୁଟ୍ ହୋଇଛି। ଆଉ ଏହି ୩ ମାମଲାରେ ପ୍ରାୟ ୪୬ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ମେସିନ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୌଣସି ବି ମାମଲାରେ ପୁଲିସ୍‌ ଟଙ୍କାଟିଏ ବି ଲୁଟେରାଙ୍କଠାରୁ ଫେରସ୍ତ ଆଣିପାରିନାହିଁ।

୪ ଏପ୍ରିଲ୍: ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିରେ ଏକ ଲୁଟେରା ଗ୍ୟାଙ୍ଗ୍‌ ଏସ୍‌ବିଆଇ କାଉଣ୍ଟର୍‌ରୁ ମେସିନ୍ ଗାଏବ କରି ପ୍ରାୟ ୨୦ଲକ୍ଷ ୩୩ହଜାର ୭ଶହ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ କମିସନରେଟ୍ ପୁଲିସ ୨ଜଣଙ୍କୁ ଗିରଫ କରିଥିଲେ ବି ଟଙ୍କାଟିଏ ବି ଜବତ କରିପାରିନାହିଁ। ସବୁ ଟଙ୍କା ବାଂଲାଦେଶରେ ରହୁଥିବା ଗ୍ୟାଙ୍ଗ୍‌ର ମୁଖିଆ ପାଖକୁ ଚାଲି ଯାଇଛି ବୋଲି କହି କାମ ସାରିଦେଇଛି।
୧୨ ଅଗଷ୍ଟ: ସମ୍ବଲପୁର-ଝାରସୁଗୁଡ଼ା ରାଜ୍ୟ ରାଜପଥ କଡ଼ ମାଝୀପଲିରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ତାଡ଼ି ନେଇ ଚମ୍ପଟ୍ ମାରିଥିଲେ ଦୁର୍ବୃତ୍ତ। ଏଟିଏମ୍‌ରେ ଥିବା ୨୦ ଲକ୍ଷ ୬୭ହଜାର ୫ଶହ ଟଙ୍କା ଲୁଟ୍ କରିଥିଲେ। ଘଟଣାକୁ ପ୍ରାୟ ୧୮ଦିନ ବିତିଯାଇଥିଲେ ପୁଲିସ୍ ଲୁଟେରାଙ୍କ ଟେର୍ ପାଇନାହିଁ।
୨୪ ଅଗଷ୍ଟ: ଯାଜପୁର ଜିଲ୍ଲା ଧର୍ମଶାଳାରେ ଥିବା ନେଉଳପୁର ଏସ୍‌ବିଆଇ କାଉଣ୍ଟର୍‌ରୁ ମେସିନ୍ ଲୁଟ୍ ହୋଇଥିଲା। ମେସିନ୍ ଚୋରି କରିବା ପରେ ଅଭିଯୁକ୍ତମାନେ ସେଥିରେ ଥିବା ପ୍ରାୟ ୫ଲକ୍ଷ ୬୭ହଜାର ୫ଶହ ଲୁଟିନେଇ ଫେରାର୍ ହୋଇଯାଇଥିଲେ। ଏନେଇ କାଉଣ୍ଟର୍ ଦାୟିତ୍ବରେ ଥିବା ସିଏମ୍‌ଏସ୍ ଇନ୍‌ଫୋ ସିଷ୍ଟମ୍ ଲିମିଟେଡ୍‌ର ପ୍ରୋଜେକ୍ଟ ମ୍ୟାନେଜର୍ ମାଷ୍ଟର୍ ପ୍ରୀତମ୍‌ କୁମାର ଅଭିଯୋଗ କରିଥିଲେ। ଘଟଣାକୁ ପ୍ରାୟ ସପ୍ତାହେ ବିତିଥିଲେ ବି ଲୁଟେରା ଧରା ପଡ଼ିନାହାନ୍ତି କି ଟଙ୍କା ଫେରିନାହିଁ।

ସମ୍ବନ୍ଧିତ ଖବର