ଚନ୍ଦ୍ରଶେଖରପୁର: ସମସ୍ୟାର ସମାଧାନ ଓ ହକ୍ ପାଇଁ କର୍ମଚାରୀମାନେ ଏକାଠି ହୁଅ। ଓଡ଼ିଶା ଆୟକର କର୍ମଚାରୀ ସଂଘର ୨୫ତମ ଦ୍ବିବାର୍ଷିକ ମହାଧିବେଶନରେ ଏପରି ମତ ପ୍ରକାଶ ପାଇଛି। ଆଜିଠାରୁ ହୋଟେଲ ସ୍ୟାଣ୍ଡି ଟାୱାରଠାରେ ଆରମ୍ଭ ହୋଇଥିବା ମହାଅଧିବେଶନକୁ ଓଡ଼ିଶା ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାର ଗେଜେଟେଡ୍ ଅଧିକାରୀ ମହାସଂଘର ସର୍ବଭାରତୀୟ ଉପସଭାପତି ଭାସ୍କର ଭଟ୍ଟାଚାର୍ଯ୍ୟ କହିଲେ, ୨୦୧୪ ମସିହା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତନ ଆସିଛି। କାର୍ଯ୍ୟାଳୟଗୁଡ଼ିକର କମ୍ପ୍ୟୁଟରୀକରଣ ବଢ଼ି ଚାଲିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କ ମଙ୍ଗଳ ପାଇଁ ହେଉଥିବା ଯୋଜନାଗୁଡ଼ିକ ସ୍ବାଗତଯୋଗ୍ୟ। ତେବେ ସେଗୁଡ଼ିକ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଲୋକ ଉପକୃତ ହୋଇପାରିବେ, ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆୟକର ବିଭାଗ ଅନ୍ୟ ବିଭାଗଠାରୁ ଅଲଗା ହୋଇଥିବାରୁ କର୍ମଚାରୀମାନେ ଏକାଠି ହୋଇ ସମସ୍ତ ସମସ୍ୟାର ସମାଧାନ କରିବାକୁ ସେ ଆହ୍ବାନ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ପ୍ରଭାରି-୧ର ପ୍ରଧାନ ଆୟକର ଆୟୁକ୍ତ ଧୀରେନ୍ଦ୍ର କୁମାର ମିଶ୍ର, ଆୟକର କର୍ମଚାରୀ ମହାସଂଘର ଅଖିଳ ଭାରତୀୟ ସଭାପତି ଯଶୋବନ୍ତ ପୁରୋହିତ, ଓଡ଼ିଶା ଆୟକର ଗେଜେଟେଡ୍ ଅଧିକାରୀ ସଂଘର ସଭାପତି ମନମୋହନ ରାୟ ପ୍ରମୁଖ ଯୋଗଦେଇ କର୍ମଚାରୀଙ୍କ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ। ପ୍ରଥମ ଦିବସରେ ଅନୁଷ୍ଠିତ ପ୍ରତିନିଧିମାନଙ୍କ ଅଧିବେଶନରେ କର୍ମଚାରୀଙ୍କ ଅଭାବ, ଅଭିଯୋଗ ଆଦି ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ଆସନ୍ତା ଦୁଇ ବର୍ଷ ପାଇଁ ଓଡ଼ିଶା ଆୟକର କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଆୟକର କର୍ମଚାରୀ ସଂଘ ସାଧାରଣ ସଚିବ ଚିତ୍ତ ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ଶନିବାର ଏହି ମହାଅଧିବେଶନ ଉଦ୍ଯାପିତ ହେବ।