ଭୁବନେଶ୍ୱର: ଓଡ଼ିଶାର ସହଚର ପାଲଟିଛି ପ୍ରାକୃତିକ ବିପର୍ଯ୍ୟୟ। ଗତ ୨୫ ବର୍ଷରେ ଓଡ଼ିଶା ବହୁ ବାତ୍ୟାର ସମ୍ମୁଖୀନ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ବନ୍ଦ୍ କରିପାରିବା ନାହିଁ, ହେଲେ କ୍ଷୟକ୍ଷତିକୁ କମ୍ କରିବା ସହ ଧନଜୀବନକୁ ସୁରକ୍ଷିତ ରଖାଯାଇପାରିବ। ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ସକ୍ଷମ। ଆଜି ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରୁ ବହୁତ ଶିକ୍ଷା ମିଳିଛି। ନୂଆ କାମ କରିବା ପାଇଁ ନୂଆ ଚିନ୍ତାଧାରା ମିଳିଛି। ଆଗକୁ ପ୍ରତି ଗାଁରେ ଗୋଟିଏ ଲେଖାଏଁ ରେସପନ୍ସ ଟିମ୍ ଗଠନ କରାଯିବ। ରାଜ୍ୟରେ ଥିବା ୮୪୪ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀର ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ଏହାକୁ ସ୍କୁଲ ତଥା ଆଶ୍ରୟସ୍ଥଳୀରେ ପରିଣତ କରାଯିବ। ରାଜ୍ୟରେ ଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବ।
ମୁକାବିଲା ପାଇଁ ନୂଆ ପଦକ୍ଷେପ
ପ୍ରତି ଗାଁରେ ଗଠନ ହେବ ରେସ୍ପନ୍ସ ଟିମ୍
୮୪୪ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀର ଢାଞ୍ଚା ପରିବର୍ତ୍ତନ ହେବ
ନିର୍ମାଣ ହେବ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର
ସମୁଦ୍ରତଟବର୍ତ୍ତୀ ୪୮୦ କିମି ଅଞ୍ଚଳରେ ସୃଷ୍ଟି ହେବ ହେନ୍ତାଳବନ
ଓଡ୍ରାଫ୍ ଟିମ୍ ସଂଖ୍ୟା ୨୦ରୁ ୩୦କୁ ବୃଦ୍ଧିହେବ
ରାଜ୍ୟର ସମୁଦ୍ରତଟବର୍ତ୍ତୀ ୪୮୦ କିଲୋମିଟର ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ହେନ୍ତାଳବନ ସୃଷ୍ଟି କରାଯିବ। ୨୦ଟି ଓଡ୍ରାଫ ଟିମ୍କୁ ବୃଦ୍ଧି କରାଯାଇ ୩୦ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଏସ୍ଡମାର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ୧୯୯୯ ମହାବାତ୍ୟାର ଆଜି ୨୫ ବର୍ଷ ପୂରିଲା। ୧୯୯୯ ବାତ୍ୟାର କ୍ରୁରତା ଦେଖିଲା ପରେ ଆମ ଆଖି ଫିଟିଲା। ପୂର୍ବରୁ ସରକାର ନିଜର ପ୍ରଶାସନିକ ଦକ୍ଷତା, ଅନୁଭୂତି ଓ ଅନୁଭବ ବଳରେ ବିପର୍ଯ୍ୟୟକୁ ମୁକାବିଲା କରୁଥିଲେ। ଆଜି କେବଳ ସରକାର ନୁହେଁ, ପରିସ୍ଥିତିର ମୁକାବିଲା କରିବା ପାଇଁ ଜନସାଧାରଣ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନ ଆଗେଇ ଆସୁଛନ୍ତି। ଅନ୍ୟତମ ଅତିଥି ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଲେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱ ପାଇଁ ଦୃଷ୍ଟାନ୍ତ ସାଜିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ‘ଦାନା’ର ସଫଳ ମୁକାବିଲାରେ ଉଲ୍ଲେଖନୀୟ ଭୂମିକା ନେଇଥିବା ବିଭିନ୍ନ ବର୍ଗର ୧୪୨ ଜଣଙ୍କୁ ମାନପତ୍ର ଓ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆୟୋଜିତ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କିତ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ। ଏଥିସହ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ଓଡ଼ିଶାର ୧୦ଟି ସହରରେ ହିଟ୍ୱେଭ୍ ମ୍ୟାନେଜମେଣ୍ଟ ପାଇଁ ‘କାଉନସିଲ୍ ଅଫ୍ ଏନର୍ଜି ଏନ୍ଭିରୋନ୍ମେଣ୍ଟ ଆଣ୍ଡ ୱାଟର’ ସହିତ ରାଜିନାମା ହୋଇଥିଲା। ସେମିତି ଅନ୍ଲାଇନ୍ ବିପର୍ଯ୍ୟୟ ପରିଚାଳନା ସଚେତନତା ପାଇଁ ଜାତିସଂଘର ‘ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ’ ସହିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଓ ଓଏସ୍ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର ଧନ୍ୟବାଦ ଦେଇଥିଲେ।