ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ

ଶିମିଳିପାଳର ଚିହ୍ନିତ ଗାଁରେ କାର୍ଯ୍ୟକାରୀ ହେବ ସବୁଜ କୃଷି ପ୍ରକଳ୍ପ, ୩ ଦିନିଆ କର୍ମଶାଳାରେ ଜୈବ ବିବିଧତା ନେଇ ଆଲୋଚନା

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନରେ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି। ସବୁଜ କୃଷି ପ୍ରକଳ୍ପର ୩ ଦିନିଆ ରାଜ୍ୟସ୍ତରୀୟ ପ୍ରାରମ୍ଭ କର୍ମଶାଳାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହା କହିଛନ୍ତି କୃଷିମନ୍ତ୍ରୀ ଡ.ଅରୁଣ ସାହୁ। ସବୁଜ କୃଷି ପ୍ରକଳ୍ପ ପାଇଁ ଦେଶର ୫ ମନୋନୀତ ରାଜ୍ୟ ମଧ୍ୟରେ ଓଡ଼ିଶା ଥିବାରୁ ଖୁସି ବ୍ୟକ୍ତ କରି ଶ୍ରୀ ସାହୁ କହିଥିଲେ ଯେ ଜୈବ ବିବିଧତା ସହିତ ପ୍ରାକୃତିକ ସମ୍ପଦରେ ଭରପୂର ରହିଛି ଓଡ଼ିଶା। ଏହି ପ୍ରକଳ୍ପ ଜରିଆରେ କୃଷି କ୍ଷେତ୍ରରେ ସ୍ଥାୟୀତ୍ବ, ଉତ୍ପାଦନ ବୃଦ୍ଧି ସହିତ ପରିବେଶର ହିତ ସାଧନ ହୋଇ ପାରିବ। ଯେଉଁଥିରେ ବିଲୁପ୍ତପ୍ରାୟ ପ୍ରଜାତି, ଅସୁରକ୍ଷିତ ଉଦ୍ଭିଦ, ଜୀବ ସଂରକ୍ଷଣକୁ ନେଇ ସଚେତନତା ସହିତ ଶିମିଳିପାଳର ସାମଗ୍ରିକ ଉନ୍ନତିରେ ସହାୟକ ହେବ। ଶିମିଳିପାଳର ଚିହ୍ନିତ ଗାଁରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ତେଣୁ ସବୁଜ କୃଷି ପ୍ରକଳ୍ପର ସର୍ବାଧିକ ଲାଭ ଉଠାଇବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

କୃଷି ସଚିବ ସୁରେଶ ବଶିଷ୍ଠ କହିଥିଲେ; ସ୍ଥାନୀୟ ଅଧିବାସୀ, ପରିବେଶ ସୁରକ୍ଷା ଆବଶ୍ୟକତା ମଧ୍ୟରେ ଥିବା ଦ୍ବନ୍ଦ୍ବକୁ ସଚେତନତା ମାଧ୍ୟମରେ ଦୂର କରିବାକୁ ପଡ଼ିବ। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ପ୍ରତିନିଧି ଟୋମିଓ ଶିଚିରି, କୋଣ୍ଡା ଚାଭାରେଡ୍ଡୀ, କୃଷି ବିଭାଗର ବରିଷ୍ଠ ଅଧିକାରୀ ପ୍ରକଳ୍ପର ବିଭିନ୍ନ ଦିଗ, ଉପାଦାନ ଏବଂ କାର୍ଯ୍ୟକାରିତା ବିଷୟରେ ତଥ୍ୟ ଦେଇଥିଲେ। ଏଥିରେ ମୃତ୍ତିକା ସଂରକ୍ଷଣ ନିର୍ଦେଶକ ହେମନ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବାବେଳେ ଇମେଜର ମୁଖ୍ୟ ନିର୍ଦେଶକ ମଧୁସୂଦନ ମିଶ୍ର ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖ‌ଯୋଗ୍ୟ ଯେ ୨୦୧୮ ମସିହା ସେପ୍ଟେମ୍ବର ମସିହାରେ ଫାଓ ଖାଦ୍ୟ ସହାୟତାରେ ସବୁଜ କୃଷି ପ୍ରକଳ୍ପର ଆରମ୍ଭ ହୋଇଥିଲା। ମଧ୍ୟପ୍ରଦେଶର ଚମ୍ବଲ, ମିଜୋରାମର ଦମ୍ପା, ଓଡ଼ିଶାର ଶିମିଳିପାଳ, ରାଜସ୍ଥାନର ଡେଜଟ ନେସନାଲ ପାର୍କ, ଉତ୍ତରାଖଣ୍ଡର କର୍ପେଟ ରାଜାଜିରେ ଏହା କାର୍ଯ୍ୟକାରୀ କରାଯାଇଛି। ଏହା ଅନ୍ତର୍ଗତରେ ଜୈବ ବିବିଧତା, ଜଳବାୟୁକୁ ସୁରକ୍ଷିତ ରଖାଯାଇ ଏଭଳି ଚାଷ କରାଯିବ ଯେଉଁଥିରେ ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯିବ। ଏଥିପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏଥିସହିତ ଜମିର ଉପଯୁକ୍ତ ପରିଚାଳନା ସହିତ ବ୍ୟାପକ ବୃକ୍ଷରୋପଣକୁ ଗୁରୁତ୍ବ ଦିଆଯିବ। କୃଷି ବିଭାଗର ସୂଚନା ଅନୁସାରେ, ଶିମିଳିପାଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର କାରଣ ହେଲା ଏହାର ଜୈବ ବିବିଧତା। ୟୁନୋସ୍କୋ ପକ୍ଷରୁ ଜୈବ ବିବିଧତା ଥିବା ୧୪ଟି ହଟ୍‌ସ୍ପଟ୍‌ ମଧ୍ୟରୁ ଅନ୍ୟତମ ହେଲା ଶିମିଳିପାଳ। ଏଠାରେ ୩୧୨ ପ୍ରଜାତିର ସରୀସୃପ ସହିତ ଅନେକ ବିରଳ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି। ୫୫୬୯ ବର୍ଗକିଲୋମିଟରର ଏଭଳି ଜଙ୍ଗଲ ଯେଉଁଠି ୮୭୫ ବର୍ଗକିଲୋମିଟରରେ ବାଘ ପାଇଁ ସଂରକ୍ଷିତ ହୋଇ ରହିଛି। ବରଫ ପଡ଼ିବା ସହିତ ଏଠାରେ ବିଭିନ୍ନ ପ୍ରକାର ଜଳବାୟୁର ଅନୁଭୂତ ହୁଏ। ଶିମିଳିପାଳ ସ୍ଥିତ ୧୨୧୮ ଗାଁର ୭ ଲକ୍ଷ ଲୋକ ଅଛନ୍ତି। ଏହି ବ୍ୟକ୍ତିମାନେ ଜୀବିକା ପାଇଁ ଶିମିଳିପାଳ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ଏଠାରେ ବ୍ୟାପକ ରସାୟନିକ ସାର, ହାଇବ୍ରିଡ ବିହନ ବ୍ୟବହାର ସହିତ ବିଭିନ୍ନ କାରଣ ଯୋଗୁଁ ଜୈବ ବିବିଧତା ପ୍ରଭାବିତ ହେଉଛି। ଏତେ ଗୁରୁତ୍ବପୂର୍ଣ୍ଣ ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ହ୍ରାସ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ୨୦୨୬ ମସିହା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଉଛି।

ସମ୍ବନ୍ଧିତ ଖବର