ଓଡ଼ିଶାରେ ସର୍ବାଧିକ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ଅତ୍ୟାଚାରିତ

ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ବର: ଓଡ଼ିଶାରେ ସର୍ବାଧିକ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ଅତ୍ୟାଚାରିତ। ଆଇନଗତ ସହାୟତାର ଅଭାବ ଓ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଯୋଗୁଁ ସର୍ବାଧିକ ଗରିବ ଓ ନିରକ୍ଷର ଲୋକ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଅଛନ୍ତି। ଓଡ଼ିଶାରେ ଗତବର୍ଷ ୨୩୨୭ଟି ଦଳିତ ଅତ୍ୟାଚାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୬୭୬ଟି ଆଦିବାସୀ ନିର୍ଯାତନା ମାମଲା ପଞ୍ଜୀକୃତ ହୋଇଛି ଓ ୩୫୦୦ ମାମଲାର ତଦନ୍ତ ଚାଲିଛି। ସେହିପରି ବିଭିନ୍ନ କୋର୍ଟରେ ୧୬୩୫୫ ଅନୁସୂଚିତ ଜାତି ନିର୍ଯାତନା ଓ ୫୮୮୨ ଅନୁସୂଚିତ ଜନଜାତି ନିର୍ଯାତନା ମାମଲା ବିଚାରାଧୀନ ଅଛି। ଜେଲ୍‌ ପରିସଂଖ୍ୟାନ ତଥ୍ୟ-୨୦୨୧ ଅନୁଯାୟୀ, ଓଡ଼ିଶାରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁମାନେ ଅଧିକ ସଂଖ୍ୟାରେ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ପଡ଼ି ରହିଛନ୍ତି। ରାଜ୍ୟରେ ମୋଟ ଅପରାଧୀ ସାବ୍ୟସ୍ତ କଏଦୀଙ୍କ ସଂଖ୍ୟା ୨୬୨୦ ଓ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୧୮୧୬୪ ହୋଇଥିବା ବେଳେ ସେଥିମଧ୍ୟରୁ ଅନୁସୂଚିତ ଜାତିର ୬୩୪୧, ଜନଜାତିର ୫୨୫୨, ଅନ୍ୟାନ୍ୟ ପଛୁଆ ବର୍ଗ ୫୮୧୯ ଓ ସଂଖ୍ୟାଲଘୁରେ ୨୬୪୪ ଜଣ ଅନ୍ତର୍ଭୁକ୍ତ।

ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଲୋହିଆ ଏକାଡେମି ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସମାବେଶରେ ୨୦୨୧ ଜାତୀୟ ଅପରାଧ ନଥିସଂସ୍ଥା(ଏନ୍‌ସିଆର୍‌ବି)ର ଏହି ତଥ୍ୟକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ଓଡ଼ିଶା ଦଳିତ ଅଧିକାର ମଞ୍ଚ, ଅଖିଳ ଭାରତ ଜନମଞ୍ଚ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଲୋହିଆ ଏକାଡେମୀ, ମାନବବାଦୀ ହେତୁବାଦୀ ସଂଗଠନ, ଅଲ୍ ଇଣ୍ଡିଆ ଲୟର ଆସୋସିଏସନ୍ ଫର୍ ଜଷ୍ଟିସ୍, ଇଣ୍ଡିଜେନ୍‌ସ ପିପୁଲ୍ସ ଫୋରମ୍ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ସମାବେଶରେ ଆୟୋଜକ ମଣ୍ଡଳୀ ପକ୍ଷରୁ ସଂଯୋଜକ ମାନସ ଜେନା ଉପସ୍ଥାପନ କରିଥିବାବେଳେ ନରେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

ହ୍ୟୁମାନ ରାଇଟ୍ ଲ’ ନେଟୱାର୍କ ପକ୍ଷରୁ ସରିତା ବଡ଼ପଣ୍ଡା ଏବଂ ଆୟୋଜକ ସଂଗଠନମାନଙ୍କ ପକ୍ଷରୁ ରାଧାକାନ୍ତ ସେଠୀ, ଦେବପ୍ରସାଦ ରାୟ ମହାପାତ୍ର, ପ୍ରମିଳା ବେହେରା, ମଧୁସୂଦନ, ଅମ୍ଳାନ ମିଶ୍ର, ମନୋଜ ପାଣିଗ୍ରାହୀ, ମହମ୍ମଦ ସୁକୁର୍, ପ୍ରଦ୍ୟୁମ୍ନ ନାୟକ, ରବି ଦୀପ, ସୁମିତ୍ରା, ସୁରେଶ, ପ୍ରକାଶ ନାଗ, ବିଦ୍ୟାଧର ସୁନା, ଶ୍ରୀଚରଣ ବେହେରା, ରଞ୍ଜନା ପାଢ଼ୀ, ଲକ୍ଷ୍ମୀପ୍ରିୟା ମହାନ୍ତି, ତନବୀର ଅହମ୍ମଦ, ଲକ୍ଷ୍ମୀଧର ସିଂ, ନାରାୟଣ ରେଡ୍ଡୀ, ସୁରେଶ ପାଣିଗ୍ରାହୀ, ସମୃଦ୍ଧ ଓଡ଼ିଶାର ଯତୀଶ ମହାନ୍ତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ପ୍ରଫେସର ଧନେଶ୍ବର ସାହୁ, କୈଳାଶ ସେଠୀ, ଚାମ୍ବରୁ ସୋରେନ, ସତୀଶ ମିଶ୍ର, ପ୍ରଭାସ ସାମନ୍ତରାୟ, ବଂଶୀଧର ପରିଡ଼ା, ଅମୂଲ୍ୟ ଦାସ, ଅରବିନ୍ଦ ନାୟକ ପ୍ରମୁଖ ଆଲୋଚନରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର