ଭୁବନେଶ୍ବର: ଓଡ଼ିଶା କେବଳ ଶିଳ୍ପ ଓ ଭିତ୍ତିଭୂମି ସ୍ତରରେ ଅଗ୍ରଗତି କରୁନାହିଁ, ବରଂ ଏହାର ସାଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସରକାର ଗଠନ ପରେ ଭକ୍ତଙ୍କ ସୁରୁଖୁରୁରେ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ମହିଳା ସଶକ୍ତୀକରଣ ପାଇଁ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ, ମନ୍ଦିରର ବିକାଶ ପାଇଁ ୫ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଓ ଧାନ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ୍‌ ପିଛା ୮୦୦ ଟଙ୍କା ବୋନସ୍‌ ମଞ୍ଜୁରି ଦେବା ପର୍ଯ୍ୟନ୍ତ, ପ୍ରତିଟି କ୍ଷେତ୍ରରେ କାମ କରି ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛୁ। ପ୍ରାକୃତିକ ସମ୍ପଦକୁ ସାଂସ୍କୃତିକ, ଐତିହ୍ୟ ଓ ଆଧୁନିକ ପ୍ରାଣାଳୀ ସହିତ ଯୋଡ଼ି ଓଡ଼ିଶା ଭାରତର ପ୍ରଗତିରେ ଏକ ନୂତନ ଅଧ୍ୟାୟ ଲେଖୁଛି। ହିନ୍ଦୀ ସାପ୍ତାହିକୀ ‘ପଞ୍ଚଜନ୍ୟ’ ପକ୍ଷରୁ ତାଜ ଭିଭାନ୍ତରେ ଆୟୋଜିତ କନ୍‌କ୍ଲେଭ୍‌ ‘ସୁଶାସନ ସମ୍ବାଦ: ଓଡ଼ିଶା କି ଉଡ଼ାନ୍‌’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହା କହିଛନ୍ତି।

Advertisment

ପଞ୍ଚଜନ୍ୟର ‘ସୁଶାସନ ସମ୍ବାଦ: ଓଡ଼ିଶା କି ଉଡ଼ାନ୍‌’ କନ୍‌କ୍ଲେଭ୍‌

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଆମ ସରକାର ଆରମ୍ଭରୁ ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେଇଛି। ପ୍ରଥମ ବର୍ଷରେ ହିଁ ୨୮ହଜାରରୁ ଅଧିକ ଯୁବକ ସରକାରୀ ଚାକିରି ପାଇଛନ୍ତି। ପରବର୍ତ୍ତୀ ବର୍ଷ ପାଇଁ ୪୦ହଜାର ନିଯୁକ୍ତି ଲକ୍ଷ୍ୟ ରହିଛି। ଏଥିସହିତ ପର୍ଯ୍ୟଟନ ଓ ବୟନଶିଳ୍ପ କ୍ଷେତ୍ରରେ ମଧ୍ୟ ୩୦ହଜାରରୁ ଅଧିକ ବେସରକାରୀ ନିଯୁକ୍ତି ସୃଷ୍ଟି କରାଯାଇଛି। ଆଗାମୀ ସମୟରେ ଏକ ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନୁରୂପ ଭାବେ ଆମେ ସ୍ୱଚ୍ଛ ଶାସନର ମୂଳଦୁଆ ପକାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ସୁଦ୍ଧା ୨ଶହରୁ ଅଧିକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତେଶ ରାଣେ, ଆରଏସ୍‌ଏସ୍‌ର ବରିଷ୍ଠ ପ୍ରଚାରକ ମୁକୁଲ କାନିତକର, ପ୍ରଜ୍ଞା ପ୍ରବାହର ଜାତୀୟ ସଂଯୋଜକ ଜେ. ନନ୍ଦକୁମାର ଓ ଭାରତ ପ୍ରକାଶନର ପରିଚାଳନା ନିର୍ଦ୍ଦେଶକ ଅରୁଣ ଗୋଏଲ ଯୋଗଦେଇଥିଲେ। ଏହି ଅବସରରେ ‘ପଞ୍ଚଜନ୍ୟ’ ପକ୍ଷରୁ ଏଆଇ ମାସ୍କଟ୍‌ ‘ଜୟ’ ଉନ୍ମୋଚିତ ହୋଇଥିଲା। ଜୟ କେବଳ ଇମେଲର ଉତ୍ତର ଦେବ ନାହିଁ ବରଂ ଭାରତର ସାଂସ୍କୃତିକ ବୁଝାମଣା ସହିତ ଜ୍ଞାନ ବାଣ୍ଟିବ। ପଞ୍ଚଜନ୍ୟ ସମ୍ପାଦକ ହିତେଶ ଶଙ୍କରଙ୍କ ସହିତ ଏକ ଲାଇଭ୍ ଆଲୋଚନା ମାଧ୍ୟମରେ ମାସ୍କଟ୍‌ ଯୋଡ଼ି ହୋଇଥିଲା।