ଓଡ଼ିଶା ପତ୍ରକାର ସଂଘର ପ୍ରତିଷ୍ଠା ଦିବସ: ଗଣମାଧ୍ୟମ ସୁରକ୍ଷିତ ସମାଜ ଗଢ଼େ

ଭୁବନେଶ୍ୱର: ସୁରକ୍ଷିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାଧାରଣ ଜନତାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ମଧ୍ୟ ଗଣମାଧ୍ୟମର ବଡ଼ ଭୂମିକା ରହିଛି। ସବୁସ୍ତରରେ ଦୁର୍ନୀତି ଉପରେ ରୋକ୍‌ ଲଗାଉଥିବା ସଂସ୍ଥା ହେଉଛି ଗଣମାଧ୍ୟମ। ତେଣୁ ଯେଉଁ ସମାଜରେ ଗଣମାଧ୍ୟମ ଯେତେ ସବଳ, ସେହି ସମାଜ ସେତେ ସୁରକ୍ଷିତ ଓ ସୁଦୃଢ଼। ଆଜି ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶ ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନେ ଏଭଳି ମତ ରଖିଛନ୍ତି। ୟୁନିଟ୍‌-୯ ସ୍ଥିତ ଲୋହିଆ ଏକାଡେମୀ ଠାରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଗଣମାଧ୍ୟମର ଭୂମିକା ଆଲୋକପାତ କରିବା ସହ ଯୁବ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ।
ସଂଘର ପ୍ରତିଷ୍ଠାତା‌ ତଥା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଉଦ୍‌ଘାଟକ ଭାବେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବେ ବିଧାୟକ ଡ. ଅରବିନ୍ଦ ଢାଲି ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ସୂଚନା କମିସନର ଦିଲ୍ଲୀପ ବିଶୋୟୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ, କେଦାର ମିଶ୍ର ପ୍ରମୁଖ ଯୋଗ ଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସିଦ୍ଧାର୍ଥ କାନୁନ୍‌ଗୋ, ଅର୍ଚ୍ଚନା ଶତପଥୀ, ସମାଜସେବୀ ଅମରେନ୍ଦ୍ର ନାଥ ଓ ଫଟୋ ସାମ୍ବାଦିକ ଭାବେ ଧୃବଚରଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ର ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉପସଭାପତି ହରପ୍ରସାଦ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଅଶ୍ୱିନୀ ପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବରିଷ୍ଠ ଉପସଭାପତି ସୁରେଶ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର