ଭୁବନେଶ୍ୱର : କଳା, ସାହିତ୍ୟ, ସଂଗୀତ ଓ ନୃତ୍ୟର ଅନନ୍ୟ ପର୍ବ ‘ଓଡ଼ିଶା କଳା ଓ ସାହିତ୍ୟ ଉତ୍ସବ’ ଆଜି ସ୍ଥାନୀୟ ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଛି। ରାଜ୍ୟପାଳ ଡ. ଏସ୍‌ସି ଜମିର୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩ ଦିନିଅ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

Advertisment

ଡ. ଜମିର୍‌ ଉଦ୍‌ଘାଟନୀ ଅଭିଭାଷଣରେ କହିଲେ, ସମଗ୍ର ବିଶ୍ୱକୁ ଲେଖକ ଓ କଳାକାରର ସୃଜନୀ ଦୃଷ୍ଟି ମାଧ୍ୟମରେ ଆମେ ଦେଖିବାକୁ ସକ୍ଷମ ହୋଇଥାଉ। କଳାର ବିଭିନ୍ନ ରୂପ ଥିବା ବେଳେ ତାହା ଆମକୁ ପରିପୂର୍ଣ୍ଣତାର ଉପଲବ୍ଧି କରିବାରେ ସହାୟକ ହୁଏ। ସ୍ରଷ୍ଟାଙ୍କ ବିନା ଏକ ସମାଜ ଆଗକୁ ବଢ଼ିପାରେ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ଲେଖକ ଡ. ହେଲମୁଥ୍‌ ନିଡର୍ଲେ ମୁଖ୍ୟ ଅଭିଭାଷଣ ରଖି କହିଲେ, ଅସମ୍ପୂର୍ଣ୍ଣତା ବି ଏକ ସୁଗୁଣ। ଏହା ଅନ୍ତରକୁ ତାତ୍ତ୍ୱିକ ରୂପେ ଲୁବ୍ଧ କରେ। ଅସମାପ୍ତ କାମ ହିଁ ଅଙ୍ଗୀକାରବଦ୍ଧ ହୋଇ ନୂତନ କିଛି ସର୍ଜନା କରିବାକୁ ପ୍ରେରିତ କରେ। ଅଥଳ ସମ୍ଭାବନାକୁ ପ୍ରଶ୍ନ କରିବା ଦ୍ୱାରା ନୂଆ ଦୃଷ୍ଟିକୋଣ ଖୋଲେ। ସେ ଏକଥା ବି କହିଲେ, ଯେବେ ଭାବନାରେ ଅମାନବିକତା ପଶିଯାଏ, ସେତେବେଳେ ମାନବର ଅସ୍ତିତ୍ୱ, ସଂସ୍କୃତି ଓ ପ୍ରକୃତି ପ୍ରତି ବିପଦ ଦେଖାଯାଏ।

ଏହି ଉତ୍ସବରେ ହିନ୍ଦୀ କବି ବିଷ୍ଣୁ ଖାରେଙ୍କୁ ପ୍ରଥମ ‘ଜୟଦେବ ଜାତୀୟ କବିତା ସମ୍ମାନ ୨୦୧୭’ ପ୍ରଦାନ କରାଯାଇଥିଲା। ଏଥିସହିତ ମିତ୍ରଭାନୁ ଗୌନ୍ତିଆ, ବାସନ୍ତୀ ମାଝୀ, ଅର୍ଣ୍ଣେଲା ସୁବୋଙ୍ଗ ଏବଂ ମୋଆ ସୁବୋଙ୍ଗଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରେ ଅଶ୍ୱିନୀ କୁମାରଙ୍କ ପୁସ୍ତକ ‘ବନାରସ ଓ ଅନ୍ୟଜଣେ’, ସରିତା ଜେନାମଣିଙ୍କ ‘ଦି ନେକ୍ସ୍‍ଟ େଓ୍ଵଭ୍‌ ଆଣ୍ଡ୍‌ ସମକାଳୀନ ଅଷ୍ଟ୍ରିଆ କବିତା’, ବିଏନ୍‌ ପଟ୍ଟନାୟକଙ୍କ ‘ଲାଙ୍ଗୁଏଜ୍‌ ମ୍ୟାଟର୍ସ’, ଡ.ସତ୍ୟନାରାୟଣ ମହାନ୍ତିଙ୍କ ‘ଆଇନା ମିଛ କହେନା’, ଅନନ୍ୟା ଏସ୍‌ ଗୁହାଙ୍କ ‘ହିଲ୍‌ସ ଅଫ୍‌ ସ୍ଲୋ ଟାଇମ୍‌’, ଅମିତ ଚୌଧୁରୀ ଓ ସୀତାନାଥ ମିଶ୍ରଙ୍କ ‘ଏବେ ଏଇନେ’, ସ୍ନେହପ୍ରଭା ଦାସଙ୍କ ‘ଡସ୍କ୍‌ ଡାଏରି’ ଏବଂ ଶଶୀକାନ୍ତ ମିଶ୍ର ଓ ମଳୟ ମିଶ୍ରଙ୍କ ଅଡିଓ ବହି ‘ଦଶଟି ଗପ’ ଉନ୍ମୋଚିତ ହୋଇଥିଲା। ଉତ୍ସବ ନିର୍ଦେଶକ ମନୁ ଦାଶଙ୍କ ସମେତ ସରବଜିତ୍‌ ଗାର୍ଚା ଏବଂ ସନେଟ୍‌ ମଣ୍ଡଲ୍‌ ଉପସ୍ଥିତ ଥିଲେ।

ପରେ କବିତା ପାଠ ସହ ବିଭିନ୍ନ ଅଧିବେଶନରେ ଆଲୋଚନାଚକ୍ର କରାଯାଇଥିଲା। ମଞ୍ଜୁ କପୁର, ଓ୍ଵାଇଡି ଥୋଙ୍ଗ୍‌ଚି, ଅନନ୍ୟା ଏସ୍‌ ଗୁହା, ସାଧୁ ମେହେର, ନିତେଶ ପାଣ୍ଡେ, ଶ୍ରୀକାନ୍ତ ଗୌତମ, ସୁଶାନ୍ତ ମିଶ୍ର, ଅକ୍ଷୟ କୁମାର ରଥ, କ୍ଷୀରୋଦ ରୟ, ସୁପ୍ରଭା ରୟ, ଅସିତ ମହାନ୍ତି, ଏନ୍‌ ମୁନିସ୍‌ ସିଂହ, ଡ.ସଚ୍ଚିଦାନନ୍ଦ ମହାନ୍ତି, ନମ୍ରତା ଚଢ଼ା, ରୋଚେଲେ ପୋଟକାର, ହିରଣ୍ମୟୀ ମିଶ୍ର, ବିଷ୍ଣୁ ଖାରେ, ପ୍ରଭାତ ରଂଜନ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାକୁ ପରିଚାଳନା କରିଥିଲେ ନିତେନ ଚନ୍ଦ୍ରା, ସୌମ୍ୟା ଭିଲେକାର ମହାନ୍ତି, ଅଶ୍ୱିନୀ କୁମାର, ମାନସ ରଂଜନ ମହାପାତ୍ର ଏବଂ ସରବ୍‌ଜିତ୍‌ ଗାର୍ଚା। ଦୁଇ କବିତା ପାଠୋତ୍ସବକୁ ସଂଚାଳନା କରିଥିଲେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଏବଂ ସୁବୋଧ ସର୍କାର୍‌।