ଉତ୍କଳ ମାଟି ତା’ ନାମକୁ ଚରିତାର୍ଥ କରିଛି

ଓଡ଼ିଶା ଲଳିତ କଳା ଏକାଡେମିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଉତ୍କଳ ମାଟି ତା’ର ନାମକୁ ଚରିତାର୍ଥ କରିଛି। ଉତ୍କଳୀୟ ସଂସ୍କୃତି ଓ କଳା ହିଁ ଓଡ଼ିଶାର ପରିଚିତିକୁ ବ୍ୟାପ୍ତ କରିଛି। ସାଂସ୍କୃତିକ ଭାବ ବିନିମୟ ଜରିଆରେ ଆମେ ଆମର ଅନନ୍ୟ ସଂସ୍କୃତିକୁ ଆହୁରି ବ୍ୟାପକ କରିବା ଉଚିତ ବୋଲି କହିଛନ୍ତି ରାଜ୍ୟପାଳ ଏସ୍‌ସି ଜମିର୍‌। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଲଳିତ କଳା ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଲଳିତ କଳା ଏକାଡେମିର ପ୍ରତିଷ୍ଠା ଦିବସରେ ଏଭଳି ବକ୍ତବ୍ୟ ରଖିଛନ୍ତି ରାଜ୍ୟପାଳ। ଏଥିସହିତ ଭାସ୍କର୍ଯ୍ୟ କଳା ଶିବିର, ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଛି। ଏହି ଅବସରରେ ଭାସ୍କର୍ଯ୍ୟ ଶିଳ୍ପ ପ୍ରସ୍ତୁତ କରିଥିବା ୧୫ ଜଣ ଶିଳ୍ପୀ ଏବଂ ତାଙ୍କର ସହାୟକ ଶିଳ୍ପୀଙ୍କୁ ଅର୍ଥରାଶି, ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଜଣେ ଶିଳ୍ପୀ ଓ ତାଙ୍କ ସହାୟକଙ୍କୁ ୩୦ ଓ ୫ ହଜାର ଟଙ୍କା ହିସାବରେ ମୋଟ୍‌ ୩୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ତଥା ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ, ଶିଳ୍ପୀମାନେ ହିଁ ପଥରରେ ଜୀବନ ଭରିବାର କ୍ଷମତା ରଖନ୍ତି। ଓଡ଼ିଶାରେ ପ୍ରସିଦ୍ଧ ମନ୍ଦିରର କାରୁକାର୍ଯ୍ୟ ହିଁ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଥିଲେ। ବିଶିଷ୍ଟ ପ୍ରସ୍ତରଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିରର ସୁକ୍ଷ୍ମ କାରିଗରୀର ଉଦାହରଣ ଦେଇଥିଲେ। ଏଥିସହିତ ବାଙ୍କି ଚର୍ଚିକା ମନ୍ଦିରର କାରୁକାର୍ଯ୍ୟ କିଭଳି ଧୀରେଧୀରେ କ୍ଷୟ ହୋଇଗଲାଣି ଏବଂ ତାହାକୁ କିଭଳି ସଂରକ୍ଷଣ କରାଯାଇ ପାରିବ ସେ ବାବଦରେ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି କହିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ବକ୍ତବ୍ୟ ରଖିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏକାଡେମିର ସଚିବ ମାନସ ରଂଜନ ଜେନା ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ଲିଙ୍ଗରାଜ ମହାରଣା, ନିତ୍ୟାନନ୍ଦ ଓଝା, ପୃଥ୍ଵୀରାଜ ସିଂହଦେଓ, ଜମ୍ବେଶ୍ୱର ବେହେରା, ଡ.ଜ୍ଞାନେଶ ମିଶ୍ର, ସ୍ମୃତିକାନ୍ତ ରାଉତ, ଅଭିମନ୍ୟୁ ଓଝା, ବ୍ରହ୍ମାନନ୍ଦ ମହାରଣା, କଳ୍ପତରୁ ମହାରଣା, ପିନାକୀ ରଂଜନ ମହାନ୍ତି, ସୂର୍ଯ୍ୟକାନ୍ତ ନାୟକ, ସୋମନାଥ ରାଉତ, ସଂଜୀବ ବିଶ୍ୱାଳ, ଗଗନବିହାରୀ ପରିଡ଼ା, ଉମାଶଙ୍କର ଦାଶ, ରଶ୍ମିତାରାଣୀ ରଣା, ଜିତନ୍‌ ବେହେରା, ଦୀପ୍ତିରଂଜନ ଓଝା, ମହେଶ ମେହେର, ତ୍ରିଲୋଚନ ମହାରଣା, ମନୋରଂଜନ ମହାରଣା, ବରୁଣ ବେହେରା, ନୀଳମଣି ଓଝା, ଲକ୍ଷ୍ମଣ ଓଝା, ବଳରାମ ମହାରଣା, ସୁରଜ କୁମାର ସାହୁ, ଲକ୍ଷ୍ମୀଧର ରାଉତ, ଗୁରୁଦେବ ପଲାଇ, ବିଶ୍ୱଜିତ ରାଉତ, ଦେବେନ୍ଦ୍ର କୁମାର ପରିଡ଼ାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରମୋଦ କୁମାର ମହାନ୍ତି ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର