ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆଡଭୋକେଟ୍ ଏକାଡେମି ଓ ଆଇନ କମିସନ୍‌ କାର୍ଯ୍ୟକ୍ଷମ ହେବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଓକିଲମାନଙ୍କର ଦକ୍ଷତା ବୃଦ୍ଧି ଲାଗି ରାଜ୍ୟ ସରକାର ଆଡଭୋକେଟ୍ ଏକାଡେମି ଓ ଆଇନ କମିସନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ନେଇଛନ୍ତି। ଏହାକୁ ତ୍ବରାନ୍ବିତ କରାଯିବ ବୋଲି ଆଇନ, ପଞ୍ଚାୟତିରାଜ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଆଜି ସ୍ଥାନୀୟ ପାନ୍ଥନିବାସଠାରେ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ସେ ଆହୁରି କହିଛନ୍ତି, ଆଇନଜୀବୀ କଲ୍ୟାଣ ପାଣ୍ଠି ୫କୋଟି ଟଙ୍କାକୁ ବୃଦ୍ଧି କରାଯିବା ସହ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପ୍ରବେଶ ପାଇଁ ଶତକଡ଼ା ୨୫ଭାଗ ଭାଗ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରହିଛି। ଏହାର ସୁଫଳ ଆଇନଜୀବୀମାନଙ୍କ ନିକଟରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ତ୍ରିପାଠୀ ଓ ଉପଦେଷ୍ଟା ସୀତାଂଶୁ ମୋହନ ଦ୍ୱିବେଦୀ ଭୁବନେଶ୍ବର ଓକିଲ ସଂଘ ଦ୍ୱାରା ପରିଚାଳିତ ଆନ୍ଦୋଳନକୁ ଯଥାର୍ଥ ବୋଲି କହିବା ସହ ଏହାର ସମାଧାନ ଲାଗି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବୈଠକରେ ସଂଘର ଉପଦେଷ୍ଟା ଚନ୍ଦ୍ରଶେଖର ପଣ୍ଡା, ମୋହନ ପଢ଼ିହାରୀ, ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ପଟ୍ଟନାୟକ, ମଧୁମାଧବ ଜେନା, ଏସ.ଏସ.କେ. ସୁବୁଦ୍ଧି, ଦୁର୍ଗାମାଧବ ମିଶ୍ର, ଭୀଷ୍ମଦେବ ସରାଫ, ବିବେକାନନ୍ଦ ମହାନ୍ତିଙ୍କ ସମେତ ୨୫ଟି ଜିଲ୍ଲାର ବିଭିନ୍ନ ଓକିଲ ସଂଘର ପ୍ରତିନିଧି ଯୋଗ ଦେଇଥିଲେ। ଆଇନଜୀବୀ ମିତ୍ରଭାନୁ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର